ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନ ରାଜନୈତିକ ଅସ୍ଥିରତା ଚରମରେ: ବିଲାୱଲଙ୍କୁ ପ୍ରଧାନମନ୍ତ୍ରୀ କରାଇବ ପାକ୍‌ ସେନା!

ଇସଲାମାବାଦ: ପାକିସ୍ତାନରେ ପୁଣି ଥରେ ରାଜନୈତିକ ଅସ୍ଥିରତା ଜଟିଳ ରୂପ ନେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପାକ୍‌ ସେନା ମଧ୍ୟରେ ଲାଗି ରହିଥିବା ଲଢ଼େଇ ମଧ୍ୟରେ ଇମ୍ରାନ୍‌ଙ୍କ ଦଳ ପିଟିଆଇ ତଳିତଳାନ୍ତ ସ୍ଥିତିକୁ ଚାଲିଆସିଛି। ଦଳର ଶତାଧିକ ନେତା ଇସ୍ତଫା ଦେଇସାରିଛନ୍ତି ଏବଂ ଇମ୍ରାନଙ୍କ ପଛରେ କର୍ମୀଙ୍କ ସମର୍ଥନ ମଧ୍ୟ ପୂର୍ବଭଳି ନାହିଁ। ଇମ୍ରାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇଯାଇଥିବା ବେଳେ ଇମ୍ରାନଙ୍କୁ ସେନା ଅଦାଲତା ଦ୍ବାରା ଜେଲ୍‌ ଦଣ୍ଡ ମଧ୍ୟ ହୋଇପାରେ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦୁର୍ବଳ ନେତୃତ୍ବ ମଧ୍ୟ ଦେଶର ସଙ୍କଟ ବଢ଼ାଇ ଚାଲିଥିବାରୁ ତାଙ୍କୁ ହଟାଇ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପାକିସ୍ତାନ ସେନା ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ଇମ୍ରାନଙ୍କ ଦଳ ପିଟିଆଇରୁ ଇସ୍ତଫା ଦେଇଥିବା ସମସ୍ତ ବରିଷ୍ଠ ନେତା ବିଲାୱଲ ଭୁଟ୍ଟୋଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ରେ ସାମିଲ ହେବେ । ପିପିପିକୁ ଶକ୍ତିଶାଳୀ କରାଇବା ଲକ୍ଷ୍ୟରେ ସେନା ଯୋଜନାବଦ୍ଧ ପଦକ୍ଷେପ ନେବା ଆରମ୍ଭ କରିଛି।

ମେ ୯ରେ ଇମ୍ରାନଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରାଯିବା ପରେ ଦେଶବ୍ୟାପୀ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା ଏବଂ ଇମ୍ରାନଙ୍କ ସମର୍ଥକମାନେ ସେନା ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରିଥିଲେ। ଏଥିରେ କ୍ଷୁବ୍ଧ ସେନା ଏବେ ଇମ୍ରାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚଳାଇଛି। ପାକିସ୍ତାନ ସେନାର ପ୍ରବଳ ଚାପ ଯୋଗୁଁ ଇମ୍ରାନଙ୍କ ସହ ଅତି ଘନିଷ୍ଠ ଫୱାଦ ଚୌଧାରୀ, ଶିରିନ ମଜାରୀ, ଆମିର ମହମୁଦ, ଅଲି ଜୈଦି ଏବଂ ମଲିକା ବୋଖାରୀ ପ୍ରମୁଖ ଦଳ ଛାଡ଼ି ପଳାଇଛନ୍ତି। ଏହି ନେତାମାନଙ୍କର ପଂଜାବ ପ୍ରଦେଶରେ ଅଧିକ ପ୍ରଭାବ ଥିବାରୁ ସେମାନେ ପିପିପିରେ ଯୋଗଦେଲେ ଇମ୍ରାନଙ୍କ ଦଳ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଏଭଳି ସ୍ଥିତିରେ ପାକିସ୍ତାନରେ ଦୁର୍ବଳ ସରିଫ୍‌ ସରକାରକୁ ହଟାଇ ଏକ ମେଣ୍ଟ ସରକାର ଗଠନ କରି ବିଲାୱଲଙ୍କ ହାତରେ ଦେଶର ନେତୃତ୍ବ ଦେବାକୁ ଶୀର୍ଷ ସେନା କମାଣ୍ଡରମାନେ ଚାହୁଛନ୍ତି।

ବିଲାୱଲ ଏପ୍ରିଲ ୨୦୨୨ରେ ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ଶୀର୍ଷ ସେନା ଅଧିକାରୀଙ୍କ ଖୁବ୍‌ ଘନିଷ୍ଠ ହୋଇଛନ୍ତି। ପାକିସ୍ତାନର ଆର୍ଥିକ ଦୁର୍ଗତି ଭିତରେ ଏକ ସାଧାରଣ ନିର୍ବାଚନ ସମ୍ଭବ ନଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଶେଷ କରାଇ ବିଲାୱଲଙ୍କୁ ଏକ ମେଣ୍ଟ ସରକାରର ପ୍ରଧାନମନ୍ତ୍ରୀ କରାଇବାକୁ ସେନାର ଯୋଜନା ଚର୍ଚ୍ଚାରେ ରହିଛି। ଚଳିତ ସରକାରର କାର୍ଯ୍ୟକାଳ ୧୩ ଅଗଷ୍ଟରେ ଶେଷ ହେବ। ଏହାପରେ ଦୁଇ ମାସ ମଧ୍ୟରେ ନିର୍ବାଚନ ସଂପନ୍ନ କରାଇବା ନିମନ୍ତେ ଭିତିରି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଲାୱଲଙ୍କ ପଛରେ ସମର୍ଥନ ଯୁଟାଇବାକୁ ସେନା କାମ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ