ରାଜ୍ୟ ସ୍ପେଶାଲ ରିପୋର୍ଟ

ପବିତ୍ର ମୋହନଙ୍କ ନାମ‌ରେ ତାଳଚେର ମେଡିକାଲ କଲେଜ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଓଡ଼ିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଳଚେର ରାଜାଙ୍କ ଅତ୍ୟାଚାର ଅନ୍ୟାୟ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ନେତୃତ୍ୱ ନେବା ସହ ଭାରତଛାଡ଼ ଆନ୍ଦୋଳନରେ ମଧ୍ୟ ସେ ଯୋଗ ଦେଇଥିଲେ। ସ୍ୱାଧୀନତା ପରେ ସେ ବିଭିନ୍ନ ସମୟରେ ବିଧାୟକ, ସାଂସଦ, ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟର ବିକାଶରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି। ସେହି ମହାନ ସଂଗ୍ରାମୀଙ୍କ ସ୍ମୃତିକୁ ସମ୍ମାନ ଜଣାଇ ତାଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକାଧିକ ଘୋଷଣା କରିଛନ୍ତି। ତାଳଚେରରେ ପବିତ୍ର ମୋହନ ପ୍ରଧାନ ସ୍ମୃତି ପୀଠର ବିକାଶ କରାଯିବା ସହିତ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଭୁବନେଶ୍ୱର ଠାରେ କରାଯିବ। ଏହା ସହିତ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ। ସେହିପରି କଣିହାଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧୀନ ସେତୁକୁ ମଧ୍ୟ ସ୍ୱର୍ଗତ ପ୍ରଧାନଙ୍କ ନାମରେ ନାମିତ କରାଯିବ।
ଅନୁଗୁଳ ଜିଲ୍ଲାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ହସ୍‌ପିଟାଲକୁ ଚଳିତ ବର୍ଷ ଅକ୍ଟୋବର ମାସଠାରୁ କାର୍ଯ୍ୟକ୍ଷମ କରାଯିବ। ଏହା ସହିତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ‘ଆମ ହସ୍‌ପିଟାଲ’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ ଅନୁଗୁଳ ଗସ୍ତ ସମୟରେ ଲୋକମାନେ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ କରିବା ସହ ବହୁ ଦାବି ରଖିଥିଲେ।

ଲୋକଙ୍କ ଅଭିଯୋଗ ଓ ପ୍ରସ୍ତାବକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ଆଜି ଅନୁଗୁଳ ପାଇଁ ବହୁ ଘୋଷଣା କରିଛନ୍ତି। ଅନୁଗୁଳ ଜିଲ୍ଲାର ବନ୍ତଳା ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧନସମ୍ପତ୍ତି ନଷ୍ଟ ସହିତ ଜୀବନ ହାନୀ ମଧ୍ୟ ହେଉଛି। ଲୋକଙ୍କ ଠାରୁ ଏହି ସମସ୍ୟା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜିଲ୍ଲା ଡି.ଏଫ.ଓ.ଙ୍କ ଦ୍ବାରା ଏହି ଅର୍ଥ ଜରିଆରେ ବନ୍ତଳାର ୪୩ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧିକ ସୁରକ୍ଷିତ ବ୍ୟବସ୍ଥାର ବିକାଶ କରାଯିବ।

ଭୁବନେଶ୍ବରରେ ହେବ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି
ହାତୀ-ମଣିଷ ସଂଘର୍ଷ ରୋକିବାକୁ ୪.୬୫ କୋଟି ଟଙ୍କା ମଞ୍ଜୁର
ବନ୍ତଳା ଓ ସାତକୋଶିଆ ଇକୋ ଟୁରିଜିମ୍‌ ସ୍ଥଳରେ ହେବ ଅଗ୍ନିଶମ ସେବା କେନ୍ଦ୍ର
୧୫.୮୫ କୋଟି ଟଙ୍କାରେ ଅନୁଗୁଳରେ ନିର୍ମାଣ ହେବ ୩ଟି ସେତୁ

ଜିଲ୍ଲାରେ ସଡ଼କ ଯୋଗାଯୋଗର ବିକାଶ ପାଇଁ ଓମ୍ବାଡ୍‌ସି ପାଣ୍ଠିରୁ ୭୬.୩୯ କୋଟି ଟଙ୍କା ବିନିଯୋଗ କରାଯାଇ ୩ଟି ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ। ପାଲଲହଡ଼ା ଏକ ଆଦିବାସୀ ଅଧ୍ୟୁସିତ, ଅନୁନ୍ନତ ଅଞ୍ଚଳ ହୋଇଥିବାରୁ ଏଠାରେ ୨ଟି ଗୁରୁତ୍ବପୂର୍ଣ୍ଣ ରାସ୍ତାର ଉନ୍ନତୀକରଣ କରାଯିବ। ପାଲଲହଡ଼ା ଫଳ ବଗିଚା ଠାରୁ ନାଇକାଣିପଲ୍ଲୀ ରାସ୍ତାର ବିକାଶ ପାଇଁ ୨୧.୮୫ କୋଟି ଏବଂ ସିବାଦା ଠାରୁ ଖଡ଼କାକୁମ୍ଭାର ମାଟି ରାସ୍ତାର ଉନ୍ନତୀକରଣ ପାଇଁ ୪୨.୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୧୨.୪୫ କୋଟି ଟଙ୍କା ବ୍ୟୟରେ କଣିଆ ବ୍ଳକ୍‌ର ଧଳଗଡ଼ିଆ ସିଆରିଆ ରାସ୍ତାରେ ମହୁଲିପୋଷି ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତାର ଉନ୍ନତୀକରଣ କରାଯିବ। ପାଲଲହଡ଼ାରେ ୩ଟି ଗୁରୁତ୍ବପୂର୍ଣ୍ଣ ସେତୁ ମଧ୍ୟ ନିର୍ମାଣ କରାଯିବ। ମାଙ୍କଡ଼ିଆ ନଳା ଉପରେ ଜୋକପାଣିଠାରେ ଏକ ସେତୁ ପାଇଁ ୫.୩୮ କୋଟି ଟଙ୍କା, ଅନ୍ଧାରୀନଳା ଉପରେ କୁଚେଇବେଡ଼ା ଠାରେ ସେତୁ ପାଇଁ ୪.୬୦ କୋଟି ଟଙ୍କା ଏବଂ ଖରବା ନଳା ଉପରେ ବିଜାଗୋଠ ଛକଠାରେ ସେତୁ ନିର୍ମାଣ ପାଇଁ ୫.୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସମୁଦାୟ ୧୫.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବନ୍ତଳାରେ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ ଦେଇଛନ୍ତି। ଏହା ସହିତ ସାତକୋଶିଆ ଇକୋ ଟୁରିଜିମ୍‌ ସ୍ଥାନରେ ମଧ୍ୟ ଏକ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରାଯିବ। ଜନସାଧାରଣଙ୍କ ଅନୁରୋଧକ୍ରମେ ଜିଲ୍ଲାର କୁଡ଼ାଗାଁ ଓ ଟିକରପଡ଼ାରେ ଦୁଇଟି ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରତ୍ୟେକ ବନ୍ୟା ଅଶ୍ରୟସ୍ଥଳ ପାଇଁ ୨.୬୪ କୋଟି ଟଙ୍କା ଖର୍ଚ୍ଚ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।