ଢେଙ୍କାନାଳ: ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେପିରେ ମିଶିବେ। ଏଥିପାଇଁ ଦଳର ଉଚ୍ଚ ନେତୃବୃନ୍ଦଙ୍କଠାରୁ ସେ ସବୁଜସଙ୍କେତ ପାଇଥିବା ଜଣାପଡ଼ିଛି। ଶ୍ରୀ ନନ୍ଦ ୨୦୦୦ ମସିହାରେ ବିଜେପି ଓ ବିଜେଡି ମେଣ୍ଟ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ୨୦୦୪ ମସିହା ନିର୍ବାଚନରେ ଦଳୀୟ ଟିକେଟ୍ ନମିଳିବାରୁ ସେ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ଏଥିରେ ସେ ବିଜୟୀ ହୋଇନଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସରୋଜ ସାମଲଙ୍କୁ କଡ଼ା ଟକ୍କର ଦେଇଥିଲେ। ଏହାପରେ ସେ ଦଳବଦଳ କରି ଏନ୍ସିପିରେ ଯୋଗ ଦେଇଥିଲେ। ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା ପରେ ଏଥିରୁ ସେ ଫାଇଦା ଉଠାଇଥିଲେ।
ସେହିସମୟରେ ବିଧାନସଭା ନିର୍ବାଚନମଣ୍ଡଳୀ ପୁନର୍ଗଠିତ ପରେ ଗଁଦିଆ ନିର୍ବାଚନମଣ୍ଡଳୀ ଢେଙ୍କାନାଳ ନିର୍ବାଚନମଣ୍ଡଳୀରେ ମିଶିଯାଇଥିଲା। ବିଜେଡି ସହଯୋଗରେ ଶ୍ରୀ ନନ୍ଦ ଏନ୍ସିପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ପରେ ବିଜେଡିରେ ସାମିଲ୍ ହୋଇଥିଲେ ମଧ୍ୟ ୨୦୧୪ ମସିହାରେ ଦଳ ପକ୍ଷରୁ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ ପାଇନଥିଲେ। ୨୦୧୯ ମସିହା ନିର୍ବାଚନରେ ସେ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ଚଳିତବର୍ଷର ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶ୍ରୀ ନନ୍ଦ ବିଜେପିରେ ଯୋଗଦେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଏଥିପାଇଁ ସେ ତାଙ୍କ ସମର୍ଥକମାନଙ୍କ ସହ ଆଲୋଚନା, ପର୍ଯ୍ୟାଲୋଚନା ଜାରି ରଖିଛନ୍ତି। ତେବେ, ସେ କେବେ ବିଜେପିରେ ଯୋଗଦେବେ ତାହା ସ୍ପଷ୍ଟ ହୋଇନାହିଁ।