ଯାଜପୁର: ଧର୍ମଶାଳାର କଳାପଥର ବ୍ୟବସାୟର କଳା ସାମ୍ରାଜ୍ୟ ପାଇଁ ପାହାଡ଼ପର୍ବତ ଓ ପରିବେଶ ଆଜି ଧ୍ବଂସାଭିମୁଖୀ। ଲୋକଙ୍କ ଧର୍ମୀୟ ଭାବନାକୁ ବି ମାଫିଆମାନେ ଭାଙ୍ଗି ଚୂର୍ମାର କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏହାର ଦୃଷ୍ଟାନ୍ତ ହେଉଛି ଚାରଗୋଠ ଗାଁ ନିକଟସ୍ଥ ମଉଳାଗଞ୍ଜ ପାହାଡ଼ର ଶିବରାମ ଗୁମ୍ଫା। ପଥର ବ୍ଲାଷ୍ଟିଂର ପ୍ରଭାବରେ ଏହା ଭୁଶୁଡ଼ିବା ସହ ଧ୍ବଂସ ହେବାକୁ ଯାଉଛି। ମଉଳାଗଞ୍ଜ ପାହାଡ଼ଟି ସାଧାରଣରେ କଠୌଣୀ ତଥା ବାଘୁଆ ପାହାଡ଼ ନାମରେ ପରିଚିତ। ଏହି ପାହାଡରେ ହରହରି ପୀଠ ତଥା ପାଦୁକାଗିରି ଆଶ୍ରମରେ ବିଜେ ହୋଇଛନ୍ତି ଏହି ଅଞ୍ଚଳର ଆରାଧ୍ୟ ଦେବ ମହାଦେବ କଠୌଣୀଶ୍ବର। ପାହାଡ଼ରେ ହରହରି ପୀଠ ଉପରେ ପ୍ରାୟ ୩୦୦ ମିଟର ଉଚ୍ଚରେ ରହିଛି ଶିବରାମ ଗୁମ୍ଫା।
ପ୍ରଥମେ ମହାଦେବ କଠୌଣୀଶ୍ବର ଏହି ଶିବରାମ ଗୁମ୍ଫାରେ ବିଜେ ହୋଇଥିଲେ। ପରେ ଠାକୁର ହରହରି ପୀଠକୁ ଆସିଥିଲେ ବୋଲି ସ୍ଥାନୀୟ ଲୋକ କହନ୍ତି। ଏହି ଗୁମ୍ଫା ଓ ପୀଠର ଯଥେଷ୍ଟ ପ୍ରସିଦ୍ଧି ରହିଛି। ପ୍ରାୟ ଶହେ ବର୍ଷ ପୂର୍ବରୁ ଏହି ଗୁମ୍ଫାରେ ରହୁଥିବା ସାଧୁ ଶିବରାମଙ୍କୁ ଲୋକେ ପୂଜା କରିଥାନ୍ତି। ତାଙ୍କ ନାମ ଅନୁସାରେ ଏହି ପୀଠର ନାମ ଶିବରାମ ଗୁମ୍ଫା ହୋଇଥିଲା। ସେ ସୁଡ଼ଙ୍ଗ ଭିତର ଦେଇ ତଳେ ଥିବା ହରହରି ପୀଠକୁ ଯିବାଆସିବା କରିଥାନ୍ତି ବୋଲି ସ୍ଥାନୀୟ ଲୋକେ କହନ୍ତି। ତାଙ୍କ ପରଲୋକ ପରେ ଶିଷ୍ୟ ପରାମାନନ୍ଦ ଦାସ ମଧ୍ୟ ଅନେକ ଦିନ ଧରି ଏହି ଗୁମ୍ଫାରେ ରହି ପୂଜା ଆରାଧନା କରୁଥିଲେ। ତାଙ୍କ ଚେରମୂଳିରେ ବହୁ ଅସାଧ୍ୟ ରୋଗ ଭଲ ହେଉଥିଲା। ଏହି ଗୁମ୍ଫାର ପ୍ରବେଶପଥର ଉଚ୍ଚତା ୧୦୦ ଫୁଟ ହୋଇଥିବା ବେଳେ ଚଉଡ଼ା ୫୦ ଫୁଟ। ଭିତରେ ୧୦ ଫୁଟ ଉଚ୍ଚତା ଓ ୫ ଫୁଟ ଓସାର ଥାଇ ବହୁ ଭିତରକୁ ବାଟ ଫିଟିଛି। ପ୍ରବେଶ ପଥରେ ପିତଳ ବନ୍ଧ ଥିବାବେଳେ କବାଟ ମଧ୍ୟ ଥିଲା। ସାଧୁ ପରମାନନ୍ଦଙ୍କ ପରଲୋକ ପରେ ଧୀରେଧୀରେ ତାହା ପରିତ୍ୟକ୍ତ ହୋଇଗଲା। କବାଟ ଚୋରି ହୋଇଗଲା। ତଥାପି ଗୁମ୍ଫା ସହ ଏହି ଅଞ୍ଚଳବାସୀଙ୍କ ଆଧ୍ୟାତ୍ମିକ ଆବେଗ ଯୋଡ଼ି ହୋଇ ରହିଛି।

ଏହି ଗୁମ୍ଫା ତଳେ ଏବେ ୭ ଏକର ଲିଜ୍ ଦିଆଯାଇ ପ୍ରାୟ ୭୦ ଏକର ପାହାଡ଼ରେ ଦିନରାତି ବେଆଇନ ଭାବେ ବ୍ଲାଷ୍ଟିଂ ଚାଲିଛି। ବିସ୍ଫୋରଣରେ ପାହାଡ଼ ସହ ଚାରିପାଖରେ ଥିବା ଗାଁର ମାଟି ମଧ୍ୟ ଥରି ଉଠୁଛି। ଏହାର ପ୍ରଭାବରେ ଗୁମ୍ଫା ଭୁଶୁଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଧର୍ମଶାଳାର ପାହାଡ଼ ପର୍ବତ ସୁରକ୍ଷା ମଞ୍ଚ ସଭାପତି ସତୀଶ ବିଶ୍ବାଳ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅତୀତରେ ଲୁଣିବେର (ଗଙ୍ଗେଇଡୁବୁରୀ) ଓ ଡଙ୍କାରୀ ପରି ପାହାଡ଼ରେ ଥିବା ଆଧ୍ୟାତ୍ମିକ ସ୍ମୃତିକୁ ପାହାଡ଼ ଲୁଟେରାମାନେ ଧ୍ବଂସ କରି ଦେଇଛନ୍ତି। ଆଗାମୀ ଦିନରେ ଶିବରାମ ଗୁମ୍ଫାକୁ ଧ୍ବଂସ କରାଯିବାର ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ। ଗୁରୁବାର ଏ ବିଷୟରେ କାର୍ତ୍ତିକ ସ୍ବାଇଁ, ପତିତପାବନ ସ୍ବାଇଁ, କପିଳା ଜେନା, ମହେଶ୍ବର ରାଉତ, ସଞ୍ଜୟ ନାଥ, ଡମ୍ବରୁଧର ସାହୁ ଓ ଶ୍ରୀ ବିଶ୍ବାଳ ଆଲୋଚନା କରିଛନ୍ତି।