ଚଢେଇଧରା: ଯାଜପୁର ଜିଲ୍ଲା ଚଢେଇଧରା ଅଞ୍ଚଳରେ ଥିବା ପଥର ଖାଦାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କାମ କରୁଥିବା ଜଣେ ଶିଶୁ ଶ୍ରମିକଙ୍କ ସମେତ ୩ଜଣଙ୍କ ପ୍ରାଣହାନି ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ,ରଙ୍ଗା, ଗଙ୍ଗା ଲୁଣିବର କଳା ପଥର ଖାଦାନରେ ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟି ଏକ ମେସିନ ଭିତରେ ଅପରେଟର ଓ ହେଲପରଙ୍କର ମୃତ୍ୟୁ ହେଇଛି। ସେଠାରେ ଏକ ଶିଶୁ ଶ୍ରମିକ ଆହତ ହୋଇଥିଲେ। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି।
ଉକ୍ତ ଶିଶୁ ଶ୍ରମିକଙ୍କର ନାମ ଅପୁ ରାଉତ ବୋଲି ଜଣାଯାଇଛି। ତାଙ୍କର ବୟସ ୧୬ ବର୍ଷ। ସେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଗେଙ୍ଗୁଟିଆ ଗାଁର ଗୁରିଆ ରାଉତଙ୍କ ପୁଅ। ଏମାନେ ବିନା ଲିଜ୍ କଳା ପଥର ଖାଦାନରେ କାମ କରୁଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। କିନ୍ତୁ ଏଯାଏ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ନଥିବା କୁହାଯାଉଛି।