ରାଜ୍ୟ

ପଡ଼ିଆ ପଡ଼ିଛି ବ୍ରାହ୍ମଣୀ ପଠା: ଉଜାଡ଼ିଦେଲେ ‘ସବୁଜ କରିଡର୍‌’

ଓଡ଼ାପଡ଼ାରୁ ରାକେଶ ରୋଷନ ମହାନ୍ତି
ଅନୁଗୁଳ: ବାଇଗଣରୁ ଝୁଡ଼ଙ୍ଗ, କଲରାରୁ କାକୁଡ଼ି। ଟମାଟୋଠାରୁ ନେଇ ଫୁଲ ଓ ବନ୍ଧାକୋବି, ସାରୁ, କଦଳୀ, କଞ୍ଚାଲଙ୍କା ଯାଏଁ, ଏମିତି କେଉଁ ପରିବା ନଥିଲା ଯାହା ବ୍ରାହ୍ମଣୀ ନଦୀପଠାରେ ହେଉ ନଥିଲା। ରାତି ପାହିଲେ ଚାଷୀ ଧାଉଁଥିଲା ନଦୀପଠାକୁ। ସବୁଜିମାରେ ଉଛୁଳି ଉଠୁଥିଲା ବ୍ରାହ୍ମଣୀ ପଠା। ଆଜି ସବୁ ଖାଁ ଖାଁ, ଉଜୁଡ଼ା। ବର୍ଷ କେଇଟାରେ ନଦୀର ଜଳସ୍ତର ତଳକୁ ଖସିଯିବା ଓ ଜଳସେଚନଠାରୁ ଶିଳ୍ପାୟନର ପ୍ରଭାବରେ ନଦୀପଠା ପଡ଼ିଆ ପଡ଼ିବା ଦେଖିଲେ ଚାଷୀର ଛାତି ଫାଟି ଯାଉଛି। ବିକାଶର ରାସ୍ତାରେ ଆଗେଇବା ବେଳେ ବ୍ରାହ୍ମଣୀର ‘ସବୁଜ କରିଡର୍‌’ ଏମିତି ଉଜୁଡ଼ିଯିବ; ତାହା କେହି କଳନା କରି ନଥିଲେ। ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରେ ଢେଙ୍କାନାଳ ଜିଲ୍ଲାକୁ ଛୁଇଁଛି ବ୍ରାହ୍ମଣୀ ନଦୀ। ମଙ୍ଗଳପୁର, କୁସୁପଙ୍ଗା, ଖଡ୍‌ଗପ୍ରସାଦ, ମୋଟଙ୍ଗା ପଞ୍ଚାୟତର ଶତାଧିକ ଗାଁର ଲୋକେ ନଦୀ ଉପ‌ରେ ନିର୍ଭରଶୀଳ। ଖାସ୍‌ କରି ନଦୀ କୂଳିଆ ମାନପୁର, କାଳିଆତୈଳା, ବରସାହି, ଅଚଳକୋଟ, ଦୁର୍ଗାପୁର, କୁସୁପଙ୍ଗା, କୁରୁଣ୍ଟି, ଖଡ୍‌ଗପ୍ରସାଦ, ସୁରଭି, ମୋଟଙ୍ଗା ଆଦି ଗ୍ରାମବାସୀ ବ୍ରାହ୍ମଣୀ ପଠାରେ ବିଭିନ୍ନ ପ୍ରକାର ଚାଷ କରୁଥିଲେ। ଧାନ କଟା ପରେ ପରେ ବ୍ରାହ୍ମଣୀ କୂଳରେ ପନିପରିବା ଲଗାଉଥିଲେ ଚାଷୀ। ଭଳିକି ଭଳି ପନିପରିବାରେ ପୂରି ଉଠୁଥିଲା ନଦୀପଠା। ମୁଖ୍ୟମନ୍ତ୍ରୀ ଥିବାବେଳେ ନନ୍ଦିନୀ ଶତପଥୀ ଏହି ଚାଷକୁ ବଞ୍ଚ‌ାଇ ରଖିବାକୁ ଆରମ୍ଭ କରିଥିଲେ ‘ସବୁଜ କରିଡର୍‌’। ବ୍ରାହ୍ମଣୀ ନଦୀକୁ ବ୍ୟବହାର କରି ଚାଷକାର୍ଯ୍ୟକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଏଲ୍‌.ଆଇ ପଏଣ୍ଟର ବ୍ୟବସ୍ଥା କରାଇଥିଲେ ନନ୍ଦିନୀ। ଏଇଥିପାଇଁ ଯେ ଖରାଦିନରେ ମଧ୍ୟ ଚାଷକାମ ବ୍ୟାହତ ହେବନି। ଯାହା ଆଜି ଆଉ ଦେଖିବାକୁ ମିଳୁ ନଥିବା ସ୍ଥାନୀୟ ଅଞ୍ଚଳର ଚାଷୀ କହିଛନ୍ତି।

ଶିଳ୍ପାୟନର ଜୋରଦାର ପ୍ରଭାବ ପଡ଼ିଛି ବ୍ରାହ୍ମଣୀର ‘ଗ୍ରିନ୍‌ କରିଡର୍‌’ ଉପରେ। ଲୋକେ ଚାଷରୁ ଯେତିକି ଆୟ କରୁଥିଲେ, ଦିନକୁ ତା’ଠୁ ଅଧିକ ମଜୁରୀ ମିଳିବା କାରଣରୁ ଚାଷକୁ ମୁହଁ ମୋଡ଼ିଲେଣି। ନୂଆ ପିଢ଼ି ଚାଷ ପ୍ରତି ମନ ବଳାଉ ନାହାନ୍ତି। ପୁରୁଖା ଲୋକ ବି ଆଉ ଚାଷରେ ଶ୍ରମ ଦେଇ ପାରୁନାହାନ୍ତି। ଖାଲି ସେତିକି ନୁହେଁ, କୃଷି ଶ୍ରମିକ ଅଭାବ ଜଳ ଜଳ। ତା’ ସାଙ୍ଗକୁ ନଦୀର ଜଳସ୍ତର ଖସିଯାଉଛି। କେନାଲ ଥାଇ ବି ଜଳସେଚନ ହୋଇପାରୁନି। ତେଣୁ ଖାଲି ବର୍ଷାଦିନେ ଧାନଚାଷ ଛଡ଼ା ଆଉ ପନିପରିବା ହୋଇପାରୁ ନଥିବା କୁରୁଣ୍ଟି ଅଞ୍ଚଳର ଚାଷୀ ରଞ୍ଜିତ ନାୟକ କହିଛନ୍ତି।

ସେହିପରି ମାନପୁର ଅଞ୍ଚଳର କ୍ଷୀରୋଦ ସାହୁ କୁହନ୍ତି, ଆଗରୁ ଯେଉଁ ଜଳସେଚନ ବ୍ୟବସ୍ଥା ଥିଲା ତାହାକୁ ଉନ୍ନତ କରାଗଲା ନାହିଁ କି ସରକାରୀ ପ୍ରୋତ୍ସାହନ ମିଳିଲା ନାହିଁ। ଏଲ୍‌ଆଇ ପଏଣ୍ଟ ରକ୍ଷଣାବେକ୍ଷଣ କରିବାରେ ଚାଷୀକୁ ସହଯୋଗ କଲାନାହିଁ। ନା ସେ ପଏଣ୍ଟ ରହିଲା, ନା ନଦୀରେ ପାଣି। ପ୍ରଶାସନ ବି ଜଳସେଚନର ବ୍ୟବସ୍ଥା କଲାନି। ଢେଙ୍କାନାଳ ଜିଲ୍ଲାସାରା କେନାଲ ଖୋଳା ହୋଇ ସାରିଛି କିନ୍ତୁ ବିଲ ମୁଣ୍ଡକୁ ପାଣି ଯାଉନି। ଏଥିରେ କିଏ କେମିତି ଚାଷ କରିବ? ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ବ୍ରାହ୍ମଣୀ ନଦୀପଠା ପୁଣି ସବୁଜିମାରେ ହସି ଉଠିବ ବୋଲି କହିଛନ୍ତି ମଙ୍ଗଳପୁର ଅଞ୍ଚଳର ଯୁବଚାଷୀ ହଟକିଶୋର ମହତାବ। କମ୍ ବୟସରେ ସେ ନିଜ ବଳରେ ୨ଏକର ଜମିରେ ସୂର୍ଯ୍ୟମୁଖୀ ଫୁଟାଇଛନ୍ତି। ତା ସହ ବର୍ଷାଦିନିଆ ଧାନ ଚାଷ ବି କରୁଛନ୍ତି। ଛତୁ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ବି ସେ ରୋଜଗାର ଦେଉଛନ୍ତି। ତେଣୁ ଚାଷ ପାଇଁ ସବୁସ୍ତରରେ ଉଦ୍ୟମ ଲୋଡ଼ା ଓ ଆଜିର ଯୁବପିଢ଼ି ଚାଷକୁ ଆପଣାଇବାର ଆବଶ୍ୟକତା ଥିବା‌ ହଟକିଶୋର କହିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀପଠାର ଶହ ଶହ ଏକର ଚାଷଜମି ଏବେ ପଡ଼ିଆ ପଡ଼ିଛି। ଫଳରେ କ‌ାଳକ୍ରମେ ତାହାକୁ ମାଫିଆମାନେ କବ୍‌ଜା କରି ଚାଲିଛନ୍ତି। ପଠାରୁ ମାଟି ତାଡ଼ି ମାଟି ମାଫିଆ ମାଲେମା‌ଲ୍‌ ହେଉଛନ୍ତି। ନିକଟରେ ଏଠାରେ ଗଢ଼ି ଉଠିଥିବା ବେଆଇନ୍ ଇଟାଭାଟିରେ ଦୁଇ ଶ୍ରମିକଙ୍କର ମୃତ୍ୟୁ ହେବାପରେ ତାହାକୁ ପ୍ରଶାସନ ଭାଙ୍ଗି ଦେଇଥିଲା। କିନ୍ତୁ ଜଳସେଚନ ଓ ପ୍ରୋତ୍ସାହନ ମିଳିଲେ ଚାଷୀ ପୁଣି ବ୍ରାହ୍ମଣୀ ପଠାମୁହାଁ ‌ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।