ରାୟପୁର: ଛତିଶଗଡ ସରକାର ଅନ୍ତର୍ଜାତୀୟ ଶ୍ରମିକ ଦିବସକୁ ବୋରେ ବାସି ଅର୍ଥାତ ‘ପଖାଳ ଦିବସ’ ଭାବେ ପାଳନ କରିଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜନେତା, ଅଧିକାରୀ, ପୁଲିସ କର୍ମଚାରୀ ଯବାନ ସମସ୍ତେ ଆଜି ବାସି ପଖାଳ ଦିବସରେ ସାମିଲ ହୋଇଛନ୍ତି। ନିଜର ସଂସ୍କୃତି ଓ ସ୍ବତନ୍ତ୍ର ଖାଦ୍ୟପେୟ ପାଇଁ ଭାରତରେ ଛତିଶଗଡ଼ର ପରିଚୟ ରହିଛି। ତୀଜ ପର୍ବ ଓ କଳା ପରଂପରା ସହିତ ଛତିଶଗଡ଼ର ଖାଦ୍ୟପେୟ ମଧ୍ୟ ଆକର୍ଷଣୀୟ। ରାଜ୍ୟର ପ୍ରମୁଖ ବ୍ୟଞ୍ଜନରେ ଠେଠରୀ, ଚୀଲା, ଫରା, ଖର୍ମୀ ସହିତ ବାସି ପଖାଳ ମଧ୍ୟ ସାମିଲ ରହିଛି। ଗତବର୍ଷ ଛତିଶଗଡ଼ରେ ହୋଇଥିବା ପଖାଳ ଦିବସକୁ ନେଇ ଦେଶବ୍ୟାପି ଚର୍ଚ୍ଚା ହୋଇଥିଲା। ଛତିଶଗଡ଼ର ଗ୍ରାମାଞ୍ଚଳରେ ଗ୍ରୀଷ୍ମଋତୁରେ ବାସି ପଖାଳ ଖାଇବା ପରଂପରା ରହିଛି। ଏଥି ପାଇଁ ରାଜ୍ୟ ସରକାର ଶ୍ରମିକ ଦିବସ ଅବସରରେ ଏହା ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ବାସି ପଖାଳରେ ଔଷଧୀୟ ଗୁଣ ରହିଛି ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।

ମେ’ ୧ ତାରିଖରେ ରାଜ୍ୟରେ ପଖାଳ ଦିବସ ପାଳନ କରାଯାଇଛି। ଏଥି ପାଇଁ ରାଜ୍ୟର ରାଜଧାନୀ ରାୟପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବାସି ପଖାଳ ଖାଇଥିଲେ। ରାତିରେ ବଳି ପଡ଼ିଥିବା ଭାତକୁ ପାଣିରେ ବୁଡ଼ାଇ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ଏଥିରେ ଦହି, ଚଟଣୀ, ଶାଗ ଭଳି ମିଶ୍ରଣ ଦିଆଯାଇ ପଖାଳ ପ୍ରସ୍ତୁତ କରାଯାଇଥାଏ। ଏହା ଯେତେବେଳେ କିଛି ଘଣ୍ଟା ପର୍ଯ୍ୟନ୍ତ ରହିଯାଏ, ବାସିରେ ପରିଣତ ହୋଇଥାଏ। ପାଣିରେ ମିଶ୍ରତ ଭାତକୁ ପଖାଳ କୁହାଯାଏ।
ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲଙ୍କ ଉଦ୍ୟମରେ ବିଗତ ୪ ବର୍ଷ ହେଲା ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଛତିଶଗଡ଼ରେ ପଖାଳ ଦିବସର ଆୟୋଜନ କରାଯାଉଛି। ଏହା ବ୍ୟତୀତ ଏହି ଦିବସ ଦିନକୁଦିନ ଲୋକପ୍ରିୟତା ହେଉଛି। ଆଜିକାଲି ଏହି ଦିବସ ବଡ଼ ହୋଟେଲରେ ମଧ୍ୟ ଆୟୋଜନ ହେଉଛି।

ଛତିଶଗଡ଼ର ଗ୍ରାମାଞ୍ଚଳରେ ରହୁଥିବା ଲୋକେ ବାସି ପଖାଳ ଖାଆନ୍ତି। ଛତିଶଗଡ଼ର ଲୋକଗୀତରେ ମଧ୍ୟ ପଖାଳର ବର୍ଣ୍ଣନା ରହିଛି। ଲୋକଗୀତ ‘ଦଦରିଆ’ ଓ ନାଟକରେ ଏହାକୁ ବର୍ଣ୍ଣନା କରାଯାଇଛି। ଗ୍ରାମାଞ୍ଚଳର ଲୋକଙ୍କ କହିବା ଅନୁସାରେ ଗ୍ରୀଷ୍ମଋତୁରେ ବାସି ପଖାଳ ଖାଇବା ଦ୍ବାରା ଶରୀରକୁ ଆରାମ ମିଳିଥାଏ। ପାଚନ ପାଇଁ ମଧ୍ୟ ଏହା ହିତକାରକ। ବାସି ପଖାଳକୁ ପୁଷ୍ଟିକର ଖାଦ୍ୟ ଭାବେ ଗ୍ରହଣ କରାଯାଇଥାଏ। ଗ୍ରୀଷ୍ମଋତୁରେ ଯେତେବେଳେ ତାପମାତ୍ରା ବଢ଼ିଯାଏ, ସେହି ସମୟରେ ଲୋକେ ବାସି ପଖାଳ ଆବଶ୍ୟକ କରନ୍ତି। ଅଂଶୁଘାତରୁ ରକ୍ଷା ପାଇଁ ଏହା ଭଲ ଖାଦ୍ୟ। ପଖାଳରେ ପାଣି ଥାଏ। ତେଣୁ ବାନ୍ତି ଭଳି ରୋଗକୁ ନିୟନ୍ତ୍ରଣ କରିଥାଏ।
ଜାଣନ୍ତୁ ବାସ ପଖାଳର ଗୁଣ
-ଭିଟାମିନ-‘ବି’ର ଅଭାବ ପୂରଣ କରେ
-ଶରୀରକୁ କ୍ୟାଲସିୟମ ଓ ପୋଟାସିୟମ ମିଳେ
-ହୃଦରୋଗ, ଚର୍ମରୋଗ ହ୍ରାସ କରେ
-ଶୋଷ ମେଣ୍ଟାଏ, ଅଂଶୁଘାତଜନିତ ସମସ୍ୟା ଦୂରକରେ
-ରୋଗପ୍ରତିଷେଧକ କ୍ଷମତା ବଢ଼ାଇଥାଏ
-ଶରୀରରେ ଆଇରନ୍ ବୃଦ୍ଧି କରେ
-ଭଲ ନିଦ ହୁଏ, ସ୍ମରଣ ଶକ୍ତି ବଢ଼ାଏ
-ଚା’, କଫି, ମଦ୍ୟପାନ ଅଭ୍ୟାସ ଛଡ଼ାଇବାରେ ସାହାଯ୍ୟ କରେ

ଗରିବ ହୁଅନ୍ତୁ ବା ଧନୀ। ଛତିଶଗଡ଼ରେ ସମସ୍ତେ ବାସି ପଖାଳ ଖାଆନ୍ତି। ଅତିଥିଙ୍କୁ ମଧ୍ୟ ପରସା ଯାଇଥାଏ। ସାଧାରଣତଃ ଘରେ ରାତ୍ରି ସମୟରେ ରୋଷେଇ ହୋଇଥିବା ଭାତ ଯେତେବେଳେ ଅଧିକ ହୋଇଯାଏ, ତା’ ପରଦିନ ପାଇଁ ଏଥିରେ ପାଣି ମିଶାଇ ଦିଆଯାଇଥାଏ। ରାତିର ଭାତକୁ ସଦୁପଯୋଗ କରାଯାଏ। ଅନ୍ୟପଟରେ ଗ୍ରାମାଞ୍ଚଳରେ ଯଦି ଘରକୁ କେହି ଅତିଥି ଅଚାନକ ଆସନ୍ତି, ଘରେ ଅଧିକ ରୋଷେଇ ହୋଇଥିଲେ ପରସିବା ପାଇଁ ଅସୁବିଧା ହୋଇନଥାଏ। ସକାଳୁ ଲୋକେ ଯେତେବେଳେ ନିଜନିଜ କର୍ମକ୍ଷେତ୍ରକୁ ଯାଆନ୍ତି, ସେହି ସମୟରେ ବାସ ପଖାଳ ଖାଇ ବାହାରନ୍ତି।