ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆବର୍ଷ ପାଇଁ ପ୍ରଶାସନିକ ପ୍ରସ୍ତୁତି: ରାତି ୧ରୁ ଶ୍ରୀମନ୍ଦିର ଦ୍ବାରଫିଟା, ଦର୍ଶନ

ପୁରୀ: ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେହେତୁ ଏବେଠୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଅସମ୍ଭାଳ ଭିଡ଼ ଲାଗିଲାଣି, ତାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। ୩୧ ତାରିଖ ପହୁଡ଼ ପରେ ପରେ ରାତି ୧ରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ହେବ। ଏହା ପରେ ଅନ୍ୟାନ୍ୟ ନୀତିକାନ୍ତି ସହ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି।
ସେପଟେ ଭକ୍ତଙ୍କ ପାଇଁ ସିଂହଦ୍ବାରରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ଛାୟାପ୍ରଦ ସେଡ୍‌ ସହ ପିଇବା ପାଣିର ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ‌

ଡିସେମ୍ବର ୩୧, ଜାନୁଆରି ୧ ଓ ୨ ତାରିଖ, ଏଭଳି ୩ ଦିନ ସିଂହଦ୍ବାରରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଞ୍ଚଳକୁ ନୋ ଭେଣ୍ଡିଂ ଜୋନ୍‌ କରିବାକୁ ନିଷ୍ପତ୍ତି ହୋଇଛି। ସେ‌ପଟେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଏସ୍‌ପି ଡ. କେ. ବିଶାଲ ସିଂହ କହିଛନ୍ତି। ସେହିଭଳି ଟ୍ରାଫିକ ବ୍ୟବସ୍ଥା ଓ ବେଳାଭୂମି ଭିଡ଼ ଉପରେ ବି ସ୍ବତନ୍ତ୍ର ନଜର ରଖାଯାଇଥିବା ଡ. ସିଂହ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ନିୟୋଜିତ ଭାରୀଯାନ ଚଳାଚଳ ୩୧ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ନୂଆବର୍ଷରେ ଭକ୍ତଙ୍କ ଦର୍ଶନ ଉପଲକ୍ଷେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏସ୍‌ପି କେ ବିଶାଳ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ‌ବିସ୍ତୃତ ଆଲୋଚନା ପରେ ଡିସେମ୍ବର ୩୧ ତାରିଖ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।

ନିଷ୍ପତ୍ତି ଅନୁଯାୟୀ, ଯେହେତୁ ନୂଆବର୍ଷ ପାଇଁ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିବ, ସେ ଦୃଷ୍ଟିରୁ ୩୧ ତାରିଖରେ ସଅଳ ପହୁଡ଼ କରି ରାତି ୧ଟାରେ ପରଦିନର ଦ୍ବାରଫିଟା ନୀତି କରିବାକୁ ନିଷ୍ପତ୍ତି ହୋଇଛି। ସିଂହଦ୍ବାରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡ୍‌ ହେବ। ସେପଟେ ସର୍ବସାଧାରଣ ଦର୍ଶନ ପାଇଁ ଥିବା ସେଡ୍‌କୁ ସଂପ୍ରସାରଣ କରାଯିବ। ସିଂହଦ୍ବାରରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ଅସ୍ଥାୟୀ ସେଡ୍‌ କରାଯିବ। ମାର୍କେଟ୍‌ ଛକରେ ଏକ ଅସ୍ଥାୟୀ ଜୋତାଷ୍ଟାଣ୍ଡ ବି କରାଯିବ। ସେଡ୍‌ରେ ପିଇବା ପାଣି ବ୍ୟବସ୍ଥା କରାଯିବ। ନୀତିକାନ୍ତି ଜାଣିବା ପାଇଁ ଏଲ୍‌ଇଡି ଲଗାଯିବ। ଭକ୍ତ ତଥା ପର୍ଯ୍ୟଟକମାନେ ଜଗନ୍ନାଥବଲ୍ଲଭ, ଶରଧାବାଲି, ଏସ୍‌ସିଏସ କଲେଜ ଛକ, ବାରବାଟୀ ଜାଗା, ଲୋକନାଥ ରୋଡ୍‌ରେ ଗାଡ଼ି ପାର୍କିଂ କରିବେ। ଏହି ଜାଗାରେ ଗାଡ଼ି ରଖିବାକୁ ଜାଗା ନ ହେଲେ ତାଳବଣିଆକୁ ଅତିରିକ୍ତ ଗାଡ଼ିକୁ ପାର୍କିଂ ପାଇଁ ପଠାଯିବ। ପ୍ରଶାସନର ଏହି ପାର୍କିଂ ଜାଗାରେ ପର୍ଯ୍ୟଟକମାନେ ମାଗଣାରେ ଗାଡ଼ି ରଖିପାରିବେ। ବାକି ପୌରସଂସ୍ଥାର ଯେଉଁ ପାର୍କିଂ ଜାଗା‌ ରହିଛି, ସେଠାରେ ଦର ତାଲିକା ଲଗାଯିବ। କେଉଁ ଗାଡ଼ି ବାବଦକୁ କେତେ ଟଙ୍କା ଆଦାୟ ହେବ, ସେହି ଦର ତାଲିକା ପାର୍କିଂ ଜାଗାରେ ସ୍ପଷ୍ଟ ଦୃଶ୍ୟମାନ ହେଲା ଭଳି ଲଗାଯିବ। ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ବକୁ ପର୍ଯ୍ୟାପ୍ତ ଆଲୋକୀକରଣ କରାଯିବ। ବ୍ୟାପକ ଫୁଲସଜ୍ଜା କରାଯିବ। ଆମ୍ବୁଲାନ୍ସର ବ୍ୟବସ୍ଥା ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।