ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ବର ଆଇଆଇଟିର ସଫଳତା: ବାର୍ଷିକ ୫୫ ଲକ୍ଷରେ ନିଯୁକ୍ତି ଅଫର୍‌

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଭୁବନେଶ୍ବର ଆଇଆଇଟିର ଛାତ୍ରଛାତ୍ରୀ ନିଯୁକ୍ତି କ୍ଷେତ୍ର‌ରେ ‌ବେଶ୍‌ ସଫଳତା ହାସଲ କରିଛନ୍ତି। କରୋନା ମହାମାରୀ ସମୟରେ ବି ଏଠାକାର ଛାତ୍ରଛାତ୍ରୀ ଦେଶ ବିଦେଶର ନାମକରା କମ୍ପାନିରେ ନିଯୁକ୍ତି ଅଫର୍‌ ପାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ଦିନ ତଳେ ବି.ଟେକ୍‌ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଲାଗି ଆରମ୍ଭ ହୋଇଥିବା କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ୧୪୬ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର୍‌ ମିଳି ସାରିଛି। ଦ୍ବିତୀୟ ପର୍ଯ୍ୟାୟରେ ଏମ୍‌.ଟେକ୍‌ ଓ ତୃତୀୟ ପର୍ଯ୍ୟାୟରେ ଏମ୍‌ଏସ୍‌ସି ଛାତ୍ରଛାତ୍ରୀଙ୍କ ଚୟନ ପ୍ରକ୍ରିୟା ଚାଲିବ। ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିଯୁକ୍ତି ଋତୁ ଚାଲିବାକୁ ଥିବାରୁ ବହୁସଂଖ୍ୟକ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ପାଇବେ ବୋଲି ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର୍‌ ଶ୍ରୀପଦ କରମଲକର ଆଶାବ୍ୟକ୍ତ କରିଛନ୍ତି।

ଆଇଆଇଟି ଭୁବନେଶ୍ବରର କମ୍ପ୍ୟୁଟର୍‌ ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗ ଛାତ୍ରୀ ଗିରି ନନ୍ଦିନୀ ଉଦାଠୁ ସର୍ବାଧିକ ବାର୍ଷିକ ୫୫ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏବେ ସୁଦ୍ଧା ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ହାରାହାରି ବାର୍ଷିକ ଦରମା ପ୍ରାୟ ୨୦ ଲକ୍ଷ ରହିଛି। ଅଧିକାଂଶ ପିଲାଙ୍କୁ ୨୫ଲକ୍ଷରୁ ଅଧିକ ଟଙ୍କାରେ ନିଯୁକ୍ତି ଦେଇଛନ୍ତି କମ୍ପାନି। ଅଳ୍ପ କିଛି ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟସ୍ତରରୁ ମଧ୍ୟ ଅଫର୍‌ ମିଳିଛି। ଇଣ୍ଟର୍ଣ୍ଣସିପ୍‌ ନେଉଥିବା ଅନେକ ପିଲାଙ୍କୁ ମଧ୍ୟ ନିଯୁକ୍ତି ପୂର୍ବରୁ ଅଫର୍‌ ମିଳିଥିଲା, ଯାହାକି ଇଣ୍ଟର୍ଣ୍ଣସିପ୍‌କୁ ପୂର୍ଣ୍ଣକାଳୀନ ଚାକିରିରେ ପରିଣତ କରାଯାଇଛି। ବି.ଟେକ୍‌ ପାଠ୍ୟକ୍ରମର ମୋଟ ୩୭୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୬ଜଣ ପ୍ରଥମ ଦୁଇଦିନ କ୍ୟାମ୍ପସ ଚୟନରେ ନିଯୁକ୍ତି ଅଫର୍‌ ପାଇଛନ୍ତି। ଏହି ଚୟନ ପ୍ରକ୍ରିୟା‌ରେ ୧୫୦ରୁ ୧୭୦ କମ୍ପାନି ଭାଗ ନେବେ ବୋଲି ଆଇଆଇଟି କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି। ଏବର୍ଷ କେତେକ କମ୍ପାନି କେବଳ ଛାତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ଚାକିରି ପାଇଁ ଅଫର୍‌ ଦେଉଛନ୍ତି। କୋଡ୍‌ ନେସନ୍‌ ଇନୋଭେସନ ଲ୍ୟାବ୍‌, ଆନାଲଗ୍‌ ଡିଭାଇସ୍‌, ଆମାଜନ୍‌, ଡ୍ରିମ୍‌ ୧୧, ରୁପେକ୍‌, ଜେଏଲ୍‌ଆର, କାଟରପିଲ୍ଲାର, ମାଥ୍‌ୱାର୍କ, ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ଆଦି କମ୍ପାନି କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ଆଇଆଇଟି ଛାତ୍ରଛାତ୍ରୀଙ୍କ ପ୍ଲେସ୍‌ମେଣ୍ଟ ରେଟ୍‌ ୯୨% ରହିଥିଲା।

ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନକୁ ନେଇ ଆଇଆଇଟି ନିର୍ଦେଶକ ପ୍ରଫେସର କରମଲକର କହିଛନ୍ତି ଯେ ପ୍ରତିବର୍ଷ ଏଠାକାର ଛାତ୍ରଛାତ୍ରୀ ନିଯୁକ୍ତି କ୍ଷେତ୍ରରେ ବେଶ୍‌ ସଫଳତା ହାସଲ କରୁଛନ୍ତି। ଚଳିତ ଶିକ୍ଷାବର୍ଷରେ ଏବେ ସୁଦ୍ଧା ଶତାଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର୍‌ ମିଳିସାରିଛି। ଛାତ୍ରୀମାନେ ଭଲ ପ୍ରଦର୍ଶନ କରିବା ଶିକ୍ଷାନୁଷ୍ଠାନ ଲାଗି ଗୌରବର ବିଷୟ। ସାମ୍ପ୍ରତିକ ଆହ୍ବାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ବେ ଏଠାକାର କ୍ୟାରିଅର ଡେଭଲପମେଣ୍ଟ ସେଲ୍‌ ନୂତନ ଉଚ୍ଚତାକୁ ଛୁଇଁବାରେ ଆତ୍ମବିଶ୍ବାସ ପ୍ରଦର୍ଶନ କରିଛି। କ୍ୟାରିଅର ଡେଭଲପମେଣ୍ଟ ସେଲ୍‌ ପ୍ରଭାରି ଅରୁଣ କୁମାର ପ୍ରଧାନ କହିଛନ୍ତି ଯେ ବିଶ୍ବର ମାନ୍ଦାବସ୍ଥା ଓ କୋଭିଡ୍‌ ପରବର୍ତ୍ତୀ ଆହ୍ବାନ ଯୋଗୁଁ ଅନେକ ବଡ଼ କମ୍ପାନିର ନିଯୁକ୍ତି ଯୋଜନା ଉପରେ ପ୍ରଭାବ ପଡ଼ିଛି। ବିଶ୍ବର ଶୀର୍ଷ ସ୍ଥାନରେ ଥିବା ବହୁରାଷ୍ଟ୍ରୀୟ କମ୍ପାନି ଓ କର୍ପୋରେସନଗୁଡ଼ିକର ଶ୍ରେଷ୍ଠ ଅଫରକୁ ଆଇଆଇଟି ଭୁବନେଶ୍ବରର ଛାତ୍ରଛାତ୍ରୀ ହାତେଇ ନେଇଛନ୍ତି। ନିଯୁକ୍ତି ଏବେ ହାଇବ୍ରିଡ୍‌ ମଡେଲ୍‌ ଆଡ଼କୁ ଢଳିବା ଦ୍ବାରା କ୍ୟାମ୍ପସ ପ୍ଲେସମେଣ୍ଟରେ ଏକ ନୂଆ ଧାରା ସୃଷ୍ଟି ହେବା ନିଶ୍ଚିତ। ବିଶ୍ବରେ ଅସ୍ବାଭାବିକ ପରିସ୍ଥିତି ସତ୍ତ୍ବେ ନିୟମିତ ନିଯୁକ୍ତିଦାତାମାନେ ଏବେ ବି କ୍ୟାମ୍ପସ ନିଯୁକ୍ତିକୁ ବାଛି ନେଉଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।