ରାଉରକେଲା : ପ୍ରତିବର୍ଷ ଓଡ଼ିଶାର ହଜାର ହଜାର ଶିଶୁ ନିଖୋଜ ହେଉଛନ୍ତି। କେଉଁଠି ପରିବାର ସହ କଳି କରି ଘର ଛାଡ଼ୁଛନ୍ତି ତ କେଉଁଠି ଅନ୍ୟ ରାଜ୍ୟକୁ ଚାଲାଣ ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି) ରିପୋର୍ଟ ଅନୁସାରେ ଗତ ୬ ବର୍ଷରେ ରାଜ୍ୟର ୧୬ ହଜାର ୬୫୪ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏମାନଙ୍କୁ ଖୋଜିବା, ଟ୍ରାକ୍ କରିବା ଓ ଚିହ୍ନଟ କରି ସୁରକ୍ଷିତ ଉଦ୍ଧାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ‘ଅପରେସନ ସ୍ମାଇଲ୍’, ‘ଅପରେସନ ମୁସ୍କାନ୍’, ‘ଅପରେସନ ପରୀ’ ଆଦି ଆରମ୍ଭ କରାଯାଇଥିଲା। ତେବେ ଏଥିରେ ଆଶାନୁରୂପ ସଫଳତା ମିଳୁନି। ସୁନ୍ଦରଗଡ଼ ସାଂସଦ ତଥା ଭାରତ ସରକାରଙ୍କ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଗତ ୩ ବର୍ଷରେ ନିଖୋଜ ଶିଶୁ ଓ ସେମାନଙ୍କର ଉଦ୍ଧାର ହାର ନେଇ ସଂସଦରେ ପ୍ରଶ୍ନ କରିଛନ୍ତି। ଜବାବରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଯେଉଁ ତଥ୍ୟ ରଖିଛନ୍ତି, ତାହା ଶିଶୁ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ ଅବହେଳାକୁ ପଦାରେ ପକାଇଦେଇଛି।
ଗତ ତିନି ବର୍ଷ (୨୦୧୯, ୨୦୨୦ ଓ ୨୦୨୧) ରେ ଓଡ଼ିଶାରେ ୯୭୦୫ ଜଣ ଶିଶୁ ନିଖୋଜ ହୋଇଥିବା ବିଭିନ୍ନ ଥାନାରେ ଏତଲା ହୋଇଛି। ସେମାନଙ୍କ ମଧ୍ୟରୁ ୯୦୦୪ ଜଣଙ୍କୁ ଉଦ୍ଧାର କରାଯାଇଛି।
ରାଜ୍ୟର ଶିଶୁ ଉଦ୍ଧାର ହାର ୯୨.୭୭ ପ୍ରତିଶତ ରହିଛି। ଅନ୍ୟପଟେ, ୭୦୧ଜଣ ଶିଶୁଙ୍କୁ ଏଯାବତ୍ ଉଦ୍ଧାର କରାଯାଇନି କିମ୍ବା ସେମାନଙ୍କର ପତ୍ତା ମିଳୁନଥିବା ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଦେଶର ନିଖୋଜ ଶିଶୁ ଉଦ୍ଧାର ହାର ୮୯.୨୩% ରହିଛି। ଜାତୀୟ ହାରଠାରୁ ଓଡ଼ିଶାର ହାର ଯଦିଓ ଅଧିକ ରହିଛି; ତେବେ ଦେଶର ମୋଟ୍ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଫଳ ଉଦ୍ଧାର ତାଲିକାରେ ରାଜ୍ୟ ୮ମ ସ୍ଥାନରେ ରହିଛି। ଏହି ତାଲିକାରେ ଓଡ଼ିଶା ଉପରକୁ ମହାରାଷ୍ଟ୍ର(୧୯୪.୮୪%), ମେଘାଳୟ((୧୦୬.୫୫%), ହରିୟାଣା(୧୦୨.୩୩%), ଆଣ୍ଡାମାନ ଓ ନିକୋବର(୧୦୧.୩୮%), ଉତ୍ତରାଖଣ୍ଡ(୧୦୦%), କେରଳ(୯୮.୩୨%), ଗୁଜରାଟ(୯୭.୮୯%) ରହିଛି।