ରାଜ୍ୟ ସ୍ପେଶାଲ ରିପୋର୍ଟ

ନାରାୟଣପାଟଣା: ଓଡ଼ିଶା ଲେଉଟି ଛେଳି ମାରିଲା ମହାବଳ

ନାରାୟଣପାଟଣା : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌କୁ ପୁଣି ଲେଉଟିଲା ମହାବଳ ବାଘ। ୩ଦିନ ହେଲା ବାଘର କୌଣସି ସ୍ବରଶବ୍ଦ ନଥିଲା। ବାଘ ଆନ୍ଧ୍ରକୁ ଚାଲି ଯାଇଥିବା ଅନୁମାନ କରି ଲୋକେ ଆଶ୍ବସ୍ତ ହୋଇଥିଲେ। କିନ୍ତୁ, ଓଡ଼ିଶାରେ ପଶି ବଳଦ ପରେ ଛେଳି ଶିକାର କରି ମହାବଳ ପୁଣି ନିଜ ଉପସ୍ଥିତି ଜାହିର କରିଛି। ଖବର ପାଇ ରବିବାର ସଂଧ୍ୟାରେ ବନ ବିଭାଗ ଟିମ୍‌ ପୁଣି ଆନ୍ଧ୍ର ସୀମାନ୍ତ ଓଡ଼ିଶାର ଗାଁରେ ପହଞ୍ଚିଛି। ସହଜରେ ଶିକାର ମିଳି ଯାଉଥିବାରୁ ବାଘ ଆଉ ଏହି ଅଞ୍ଚଳ ଛାଡ଼ିବ ନାହିଁ ବୋଲି ଅନୁମାନ କରି ସୀମାନ୍ତ ଗ୍ରାମବାସୀ ଚିନ୍ତିତ ତଥା ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ପ୍ରାୟ ସପ୍ତାହକ ତଳେ ଆନ୍ଧ୍ରରୁ ଗୋଟିଏ ଅଣ୍ଡିରା ମହାବଳ ବାଘ ଓଡ଼ିଶା ସୀମାରେ ପଶିଥିଲା। ବନ୍ଧୁଗାଁ ବ୍ଲକ୍‌ କାପୋଲୋଡା ପଞ୍ଚାୟତର ଝାଙ୍କରକାର୍ଲି ଜଙ୍ଗଲରେ ଗୋଟିଏ ବଳଦକୁ ଶିକାର କରିଥିଲା। ଖବର ପାଇ ନାରାୟଣପାଟଣା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆନ୍ଧ୍ର ବନ ବିଭାଗକୁ ମଧ୍ୟ ଯୋଗାଯୋଗ କରାଯାଇଥିଲା। ବାଘ ବିଶେଷଜ୍ଞ ହାଇଦ୍ରାବାଦରୁ ଆସିବା ପରେ ବାଘର ଗତିବିଧିକୁ ନିରୀକ୍ଷଣ କରିବା ଆରମ୍ଭ କରିଥିଲେ। ମାରିଥିବା ବଳଦକୁ ପ୍ରାୟ ୩ଦିନ ଧରି ମହାବଳ ଖାଇଥିଲା। ଏହାପରେ ହଠାତ୍‌ ଉଭାନ ହୋଇଯିବା ସମସ୍ତଙ୍କୁ ଚକିତ କରିଥିଲା। ଯେଉଁ ଜଙ୍ଗଲରୁ ଆସିଥିଲା ହୁଏତ ସେହି ସ୍ଥାନକୁ ଚାଲି ଯାଇଥିବା ଅନୁମାନ କରାଯାଇଥିଲା। ବଳଦକୁ ସଂପୂର୍ଣ୍ଣ ଖାଇବା ପରେ ବାଘ‌‌ର କୌଣସି ଗତିବିଧି ନମିଳିବା ପ୍ରଥମେ ସ୍ବାଭାବିକ ଘଟଣା ବୋଲି ଆକଳନ କରାଯାଉଥିଲା। ହେଲେ ତାହାକୁ ବାଘ ଭୁଲ ପ୍ରମାଣିତ କରି ୩ଦିନର ବ୍ୟବଧାନ ପରେ ରବିବାର ସନ୍ଧ୍ୟାରେ ଆଲମଣ୍ଡା ପଞ୍ଚାୟତର କେସୁଭଦ୍ରା ନିକଟସ୍ଥ କାଉଟି ଗାଁରେ ଦେଖିବାକୁ ମିଳିଛି। ଜନବସତିର ଅତି ନିକଟକୁ ଆସି ଗୋଟିଏ ଛେଳି ଶିକାର କରିଛି। ଏହାପରେ ଛେଳିକୁ ମୁହଁରେ କାମୁଡ଼ି ଧରି ଘୋଷାରି ଘୋଷାରି ଜଙ୍ଗଲ ଭିତରେ ଥିବା ଗୋଟିଏ ଗୁମ୍ଫାକୁ ଚାଲି ଯାଇଥିବା ଗ୍ରାମବାସୀ କହିଛନ୍ତି।

ବାଘ ଫେରିବା ନେଇ ରବିବାର ସଂଧ୍ୟାରେ ଆଲମଣ୍ଡା ବନପାଳ ଅଜିତ ଖରା ଖବର ପାଇବା ପରେ ଗୋଟିଏ ଟିମ୍‌ ନେଇ ଗାଁରେ ପହଞ୍ଚିଛନ୍ତି। ସେହିପରି ସୂଚନା ମିଳିବାରୁ ନାରାୟଣପାଟଣା ରେଞ୍ଜର ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଏଡ଼ଗୁମବାଲସା ଗାଁର ସାକିଲୋଭା ନିକଟରେ ରବିବାର ସଂଧ୍ୟାରେ ସ୍ଥାନୀୟ କାଣ୍ଡତାମରା ଅଭିଙ୍କ ତିନୋଟି ଛେଳି ମରିଥିବା ଦେଖିବାକୁ ମିଳିଛି। ବାଘ ହିଁ ଛେଳିଙ୍କୁ ଶିକାର କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ମହାବଳ ନା ହେଟାବାଘ ଶିକାର କରିଛି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଆସନ୍ତାକାଲି ସକାଳେ ପାଦଚିହ୍ନରୁ ବାଘ ସଂପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ବନ ବିଭାଗ ଆଶା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।