ଭୁବନେଶ୍ବର,(ସସ୍ମିତା ସାହୁ): ନାଟକ ପରିବେଷଣ ପାଇଁ ଭଲ ମଞ୍ଚଟିଏ ଦରକାର। ମଞ୍ଚରେ ସବୁପ୍ରକାର ଅତ୍ୟାଧୁନିକ ଭିତ୍ତିଭୂମି ଥିଲେ ନିର୍ଦ୍ଦେଶକଙ୍କୁ ଏକ ଉନ୍ନତମାନର ନାଟକ ମଞ୍ଚସ୍ଥ କରାଇବାରେ ସୁବିଧା ହେବ। କିନ୍ତୁ ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପକୁ ଛାଡ଼ିଦେଲେ ରାଜ୍ୟର ଆଉ କୌଣସି ଜିଲ୍ଲାରେ ଏମିତି ମଣ୍ଡପ ନାହିଁ। କଳା, ସଂସ୍କୃତିର ରାଜ୍ୟ ଓଡ଼ିଶାରେ ଏମିତି ଏକ ବିଡ଼ମ୍ବନା ନାଟ୍ୟପ୍ରେମୀମାନଙ୍କୁ ବ୍ୟଥିତ କରୁଛି। ଏ ଦିଗରେ ସଂସ୍କୃତି ବିଭାଗ ବି କିଛି ଚିନ୍ତା ନ କରିବା ଆହୁରି ଆଶ୍ଚର୍ଯ୍ୟଜନକ।
ନାଟକର ପ୍ରଚାରପ୍ରସାର ଓ ଏହାକୁ ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବହୁ ଯୋଜନା କରାଯାଉଛି। ବର୍ଷ ସାରା ବିଭିନ୍ନ ନାଟ୍ୟ ସଂଘ ପକ୍ଷରୁ ରାଜଧାନୀର ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳା ମଣ୍ଡପରେ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ବାହାରୁ ନାଟ୍ୟ ଦଳ ଆସି ନାଟକ ପରିବେଷଣ କରନ୍ତି। ନାଟକ ନିଜ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ବହୁ ଲୋକକାହାଣୀର ବାହକ ହୋଇଥିବା ବେଳେ ଏହି ମଞ୍ଚ ଅଭିନୟ ଯେମିତି ଦୀର୍ଘ କାଳ ବଞ୍ଚି ରହିବ ତଥା କଳାକାରମାନଙ୍କ କଳାକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏକାଡେମି ପକ୍ଷରୁ ପ୍ରତିବର୍ଷ ଜାତୀୟ ଓ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ କରି ନାଟ୍ୟପ୍ରେମୀଙ୍କୁ ଆପ୍ୟାୟିତ କରାଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି, କ’ଣ କେବଳ ରାଜଧାନୀବାସୀ ହିଁ ଏହି ରାଜ୍ୟ ଓ ଜାତୀୟସ୍ତରୀୟ ନାଟକ ଉପଭୋଗ କରିବେ? ପୁରୀ, ବାଲେଶ୍ବର, ସମ୍ବଲପୁର, ମୟୂରଭଞ୍ଜ, ବ୍ରହ୍ମପୁର ଆଦିକୁ କଳାର ମାଟି କୁହାଯାଉଥିବା ବେଳେ ସେଠାର କଳାପ୍ରେମୀଙ୍କୁ ସନ୍ତୁଷ୍ଟ କରିବାକୁ ସରକାର ଉତ୍କୃଷ୍ଟ ପ୍ରେକ୍ଷାଳୟଟିଏ ଗଢ଼ି ପାରୁନାହାନ୍ତି କାହଁକି? ରାଜ୍ୟର ସାଂସ୍କୃତିକ ଜଗତରେ ଏହା ଏକ ବିରାଟ ବ୍ୟତିକ୍ରମ ବୋଲି ମତପ୍ରକାଶ ପାଉଛି। ନାଟକର ଭବିଷ୍ୟତ ପାଇଁ ଏ ଦିଗରେ ସରକାର ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି ବୋଲି ନାଟ୍ୟପ୍ରେମୀମାନେ ମତ ଦେଇଛନ୍ତି।
ରାଜ୍ୟର ଗୋଟିଏ ମାତ୍ର ପ୍ରେକ୍ଷାଳୟ ରବୀନ୍ଦ୍ର ମଣ୍ଡପରେ ହିଁ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ନାଟକ ପରିବେଷଣ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। ଅନ୍ୟ କେଉଁଠାରେ ଏଭଳି ପ୍ରେକ୍ଷାଳୟ ସୁବିଧା ସୁଯୋଗ ନାହିଁ। ଓଡ଼ିଶାରେ ନାଟ୍ୟ ଉପଯୋଗୀ ପାଖାପାଖି ୨୦ଟି ପ୍ରେକ୍ଷାଳୟ ରହିଛି। କିନ୍ତୁ କେଉଁଠି ପର୍ଯ୍ୟାପ୍ତ ଲାଇଟ୍ ସୁବିଧା ନାହିଁ ତ’ କେଉଁଠି ଆୟୋଜକଙ୍କୁ ଜେନେରେଟର୍ ଲଗାଇବାକୁ ପଡ଼ୁଛି। ଏପରିକି କିଛି କିଛି ସ୍ଥାନରେ ଦର୍ଶକଙ୍କ ବସିବା ପାଇଁ ଉପଯୁକ୍ତ ସିଟ୍ର ବ୍ୟବସ୍ଥା ନାହିଁ। ଖୋଦ୍ ରାଜଧାନୀର ଭଞ୍ଜକଳା ମଣ୍ଡପରେ ମଧ୍ୟ ଭିତ୍ତିଭୂମି ବିକଶିତ ହୋଇନାହିଁ। ଏହାକୁ ଆଧୁନିକୀକରଣ ପାଇଁ ଏବେ ସରକାରୀ କଳ ଅଣ୍ଟା ଭିଡ଼ିଛି।
ପୁରୀରେ ରହିଛି ୨ଟି ପ୍ରେକ୍ଷାଳୟ; ଅନ୍ନପୂର୍ଣ୍ଣା ଥିଏଟର ଓ ଟାଉନ୍ ହଲ୍ ପ୍ରେକ୍ଷାଳୟ। ଟାଉନ୍ ହଲ୍ ପ୍ରେକ୍ଷାଳୟ ବହୁତ ବଡ଼ ହୋଇଥିବାରୁ ଏହା ନାଟକ ପାଇଁ ନାଟ୍ୟପ୍ରେମୀଙ୍କ ପ୍ରଥମ ପସନ୍ଦ ନୁହେଁ। ଅନ୍ନପୂର୍ଣ୍ଣା ଥିଏଟର ସମସ୍ତଙ୍କର ପସନ୍ଦ। ଅନ୍ନପୂର୍ଣ୍ଣା ଥିଏଟର ରାଜ୍ୟର ସର୍ବପୁରାତନ ରଙ୍ଗମଞ୍ଚ। ଏହିଠାରୁ ‘ଶ୍ରୀ ଜୟଦେବ ସମ୍ମାନ’ ବିଜେତା ରାମଚନ୍ଦ୍ର ପ୍ରତିହାରୀ, ଅଭିନେତା ମାଷ୍ଟର ମାଣିଆ, ବ୍ୟୋମକେଶ ତ୍ରିପାଠୀ, ଦୁଃଖୀରାମ ସ୍ବାଇଁ, ଦୁର୍ଲଭ ସିଂହ, ନିତ୍ୟାନନ୍ଦ ଦାସ, ଭାନୁମତୀ ଦେବୀ ପ୍ରମୁଖ ଗଢ଼ି ହୋଇଛନ୍ତି। କିନ୍ତୁ ଏହି ପ୍ରେକ୍ଷାଳୟର ଅବସ୍ଥା ଅତ୍ୟନ୍ତ ଦୟନୀୟ। ୨ଟି ପର୍ଯ୍ୟାୟରେ ଲକ୍ଷ ଲକ୍ଷ ଟଙ୍କା ପ୍ରେକ୍ଷାଳୟର ନବୀକରଣ ପାଇଁ ଆସିଥିଲେ ମଧ୍ୟ ଏଯାଏ ଏହାର ଉନ୍ନତୀକରଣ ହୋଇପାରିଲା ନାହିଁ।
କଳାର ଅନ୍ୟତମ ଭୂମି ଭାବେ ପରିଚିତ ବାଲେଶ୍ବରରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଟାଉନ୍ ହଲ୍, ଗାନ୍ଧୀ ସ୍ମୃତି ଭବନ, ଫକୀର ମୋହନ ସ୍ମୃତି ପରିଷଦ ଆଦି ସରକାରୀ ପ୍ରେକ୍ଷାଳୟ ରହିଥିଲେ ମଧ୍ୟ ନାଟକ ପାଇଁ ଭିତ୍ତିଭୂମିର ଘୋର ଅଭାବ। ଏହିସବୁ ପ୍ରେକ୍ଷାଳୟରେ କେଉଁଠି ଦର୍ଶକଙ୍କ ବସିବା ସୁବିଧା ନାହିଁ ତ’ ପୁଣି କେଉଁଠି ନାଟକ ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଗଲେ ଜେନେରେଟର୍ ସୁବିଧା ନାହିଁ। ନାଟକ ଓ ଅଭିନୟର ଏନ୍ତୁଡ଼ିଶାଳ କୁହାଯାଉଥିବା ମୟୂରଭଞ୍ଜ ଜିଲ୍ଲାର ଅବସ୍ଥା ଏହାଠାରୁ ଆହୁରି ସଙ୍ଗୀନ। ଏବେ ସେଠାରେ ନାଟକ ପରିବେଷଣ ପାଇଁ ବିକଶିତ ଅଡିଟୋରିୟମ୍ଟିଏ ନାହିଁ। ସହିଦ ସ୍ମୃତିଭବନ କିଛି ମାତ୍ରାରେ ନାଟ୍ୟ କଳାକାରଙ୍କ ଆବଶ୍ୟକତାକୁ ପୂରଣ କରୁଥିଲେ ମଧ୍ୟ ଏହା ମଧ୍ୟ ନାଟକ ପରିବେଷଣ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ହୋଇପାରିନାହିଁ। ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ଅଜିତ ଦାସ, ଉତ୍ତମ ମହାନ୍ତି ଓ ମିହିର ଦାସଙ୍କ ଭଳି ଓଡ଼ିଶାର ଦିଗଜ୍ଜମାନେ ଏହିଠାରୁ ହିଁ ଅଭିନୟ କଳା ଆହରଣ କରିଥିବା ବେଳେ ଭଞ୍ଜ ମାଟିରେ ଏକ ଉତ୍କୃଷ୍ଟ ପ୍ରେକ୍ଷାଳୟର ଅଭାବ ସଂସ୍କୃତିପ୍ରେମୀକୁ ହତୋତ୍ସାହିତ କରୁଛି। ସମ୍ବଲପୁରରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଜିଲ୍ଲା ପ୍ରଶାସନ ଅଧୀନରେ ତପସ୍ବିନୀ ପ୍ରେକ୍ଷାଳୟ ରହିଛି। କିନ୍ତୁ ତାହା ନାଟକ ପରିବେଷଣ ପାଇଁ ସ୍ବୟଂସମ୍ପୂର୍ଣ୍ଣ ନୁହେଁ। ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପରରେ ଥିବା ଚାରିଟି ପ୍ରେକ୍ଷାଳୟରେ ବର୍ଷର ବିଭିନ୍ନ ସମୟରେ ନାଟକ ପରିବେଷଣ କରାଯାଏ। ସଂସ୍କୃତି ମଣ୍ଡପ, କବିସୂର୍ଯ୍ୟ ମଣ୍ଡପ, ଗୋପାଳକୃଷ୍ଣ ମଞ୍ଚ ଓ ପ୍ରକାଶମ୍ ମହଲରେ ନାଟକ ହେଉଥିଲେ ମଧ୍ୟ ନାଟକ ପାଇଁ ଆବଶ୍ୟକ ଉନ୍ନତମାନର ଭିତ୍ତିଭୂମି ନାହିଁ। ଫଳରେ ଆୟୋଜକମାନେ ବହୁ ଅସୁବିଧାର ସାମ୍ନା କରୁଛନ୍ତି।
ଏନେଇ ନାଟ୍ୟସଂଘର ସଭାପତି ହରେନ ସାହୁ କହିଛନ୍ତି, ନାଟ୍ୟସଂଘ ଅଧୀନରେ ଥିବା ୫୦ଟି ନାଟ୍ୟ ଦଳ ବର୍ଷତମାମ ରାଜ୍ୟର ସମସ୍ତ ସ୍ଥାନରେ ଯାଇ ନାଟକ ପରିବେଷଣ କରନ୍ତି। ଏନେଇ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ବହୁ ସହଯୋଗ କରାଯାଉଛି। କିନ୍ତୁ ରାଜ୍ୟର କୌଣସି ପ୍ରେକ୍ଷାଳୟ ରବୀନ୍ଦ୍ର ମଣ୍ଡପ ଭଳି ଉନ୍ନତ ହୋଇନଥିବାରୁ ଅନ୍ୟ କୌଣସି ସ୍ଥାନରେ ଜାତୀୟ ନାଟ୍ୟ ମହୋତ୍ସବ ଆୟୋଜନ ସମ୍ଭବ ନୁହେଁ। ଏପରିକି ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବ ଆୟୋଜନ କଲେ ମଧ୍ୟ ଆମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

