ରାଜ୍ୟ

ନାଁ ପଛର କଥା: ମନ୍ଦିର ନାମରେ ମା’ ଟଙ୍କପାଣି ରୋଡ୍‌

ଭୁବନେଶ୍ବର: ବ୍ରିଟିସ ଅମଳର କଥା। ସେତେବେଳେ ଏତେ ଆଧୁନିକତା ବା ଚାକଚକ୍ୟର ପ୍ରାବଲ୍ୟ ନ ଥିଲା। ଥିଲା ଭଗବାନ ଓ ପରମ୍ପରା ଉପରେ ଆସ୍ଥା ଓ ବିଶ୍ବାସ। ଗଛ ମୂଳେ, ପୋଖରୀ ତୁଠେ ବା ନଦୀ ପାଖରେ ପଥରରେ ସିନ୍ଦୂର ଲଗାଇ ଦେଲେ ସେ ଭଗବାନ ପାଲଟି ଯାଉଥିଲେ। ଏଭଳି ଆଧ୍ୟାତ୍ମିକ ଭାବରୁ ଆରମ୍ଭ ହୋଇଥିଲା ମା’ ଟଙ୍କପାଣି ମନ୍ଦିର ଓ ତାଙ୍କ କାହାଣୀ। କାଳକ୍ରମେ ମା’ ରହୁଥିବା ଗାଁର ନାମ ଟଙ୍କପାଣି ଓ ମନ୍ଦିରରୁ ସାନିଟାରିୟମ୍‌ ଛକ ପର୍ଯ୍ୟନ୍ତର ରାସ୍ତା ପାଲଟି ଯାଇଥିଲା ‘ଟଙ୍କପାଣି ରୋଡ୍‌’। ତେ‌ବେ ଆସନ୍ତୁ ଏଥର ‘ନାଁ ପଛର କଥା’ରେ ଜାଣିବା ମା’ ଟଙ୍କପାଣି ମନ୍ଦିରର କିଂବଦନ୍ତି ବା ଲୋକକଥା ଓ ଟଙ୍କପାଣି ରୋଡ୍‌ ନାମକରଣ ପଛର କାହାଣୀ।

ମା’ ଟଙ୍କପାଣି ମନ୍ଦିର ପରିଚାଳନା କମିଟିର ମ୍ୟାନେଜିଂ ଟ୍ରଷ୍ଟି ଲକ୍ଷ୍ମୀଧର ମହାପାତ୍ର, ବ୍ରହ୍ମେଶ୍ବରପାଟଣା ଗାଁ ନିକଟ କୁଆଖାଇ ନଦୀ ପାଖରେ ଉନବିଂଶ ଶତାବ୍ଦୀ ଆଡ଼କୁ ଏକ ‌କେନ୍ଦୁଗଛ ଥିଲା। ସେହି ଗଛରେ ଜଣେ ଠାକୁରାଣୀ ପୂଜା ପାଉଥିଲେ। ମା’ ରାତିରେ ପାଉଁଚି ଝୁମୁରୁ ଝୁମୁରୁ କରି ଗ୍ରାମ ସାରା ଭ୍ରମଣ କରୁଥିଲେ। ନିମାପାଡ଼ାର ଲୋକମାନେ କଟକ ଯିବାକୁ ସେ ସମୟ ଏହି ରାସ୍ତା ବ୍ୟବହାର କରୁଥିଲେ। ନିମାପଡ଼ାର ଜଣେ ଜମିଦାର ଲାଡ୍‌ ସିଂହ ଏହି କୁଆଖାଇ ନଦୀ ରାସ୍ତା ଦେଇ କଟକର କୋର୍ଟକୁ ଯା’ ଆସ କରୁଥିଲେ। ଦିନେ ଶୁଣାଣୀ ପାଇଁ କୋର୍ଟକୁ ଗଲା ବେଳେ ଏହି ନଦୀ‌ ବାଲିରେ ତାଙ୍କ ଘୋଡ଼ା ଗଳିପଡ଼ିଥିଲା। କଟକ କୋର୍ଟରେ ଠିକ୍‌ ସମୟରେ ପହଞ୍ଚିବ‌ା ତାଙ୍କ ପାଇଁ ବେଶ୍‌ ଜରୁରି ଥିବା ବେଳେ ଘୋଡ଼ା ସେ ନଦୀ ବାଲିରୁ ଉଠି ପାରୁନଥିଲା। ତାଙ୍କ ନଜର ହଠାତ ସେ କେନ୍ଦୁ ଗଛ ଉପରକୁ ଯାଇଥିଲା ଓ ସେଠାରେ ଜଣେ ଠାକୁରାଣୀ ପୂଜା ପାଉଥିବା ସେ ଦେଖିବାକୁ ପାଇଲେ। ସେଠାକୁ ଯାଇ ମା’ଙ୍କ ନିକଟରେ ନତମସ୍ତକ ହୋଇ ନଦୀ ବାଲିରୁ ଘୋଡ଼ାକୁ ବାହାର କରିବାକୁ ନେହୁରା ହୋଇଥିଲେ। କିନ୍ତୁ ଘୋଡ଼ା ବାହାରି ପାରିନଥିଲା। ଏହାପରେ ଲାଡ୍‌ସିଂହ କହିଥିଲେ, ‘ତୁ ଯଦି ସତରେ ଠାକୁରାଣୀ ହୋଇଥିବୁ ତେବେ ମୋ ଘୋଡ଼ା ନଦୀ ବାଲିରୁ ବାହାରିବ ଓ ମୁଁ ହାତରେ ଧରିଥିବା ଏହି ଟଙ୍କାଟି ପାଣି ହୋଇଯିବ’। କିଛି ସମୟ ପରେ ତାହା ହିଁ ହେଲା ଲାଡ୍‌ ସିଂହଙ୍କ ଘୋଡ଼ାଟି ନଦୀ ବାଲିରୁ ବାହାରି ଯାଇଥିଲା ଓ ସେ ହାତରେ ଧରିଥିବା ଟଙ୍କାଟି ପାଣି ହୋଇଯାଇଥିଲା। ଜମିଦାର ଲାଡ୍‌ ସିଂହ ଏହାକୁ ଦେଖି ହତବାକ୍‌ ହୋଇଯାଇଥିଲେ। ମା’ଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇ ସେ କୋର୍ଟ ଚାଲିଯାଇଥିଲେ।

ଲାଡ୍‌ ସିଂହ ଏହା ପରେ ମା’ଙ୍କ ପାଇଁ ମନ୍ଦିରଟିଏ ପ୍ରତିଷ୍ଠା ପାଇଁ ଜାଗା ଖୋଜିବା ଆରମ୍ଭ କରିଦେଲେ। କୁଆଖାଇ ନଦୀ ପାଖରେ ଉମାଦେଇ ବ୍ରହ୍ମପୁର ଗାଁରେ ୧୮ ଶତାବ୍ଦୀର ଏକ ପାତାଳଫୁଟା ଶିବ ମନ୍ଦିର ଥିଲା ‘ଭାବକୁନ୍ଦଳେଶ୍ବର ମନ୍ଦିର’। ଏହି ଶିବ ମନ୍ଦିର ପାଖରେ ହିଁ ମା’ଙ୍କ ମନ୍ଦିର ପ୍ରତିଷ୍ଠା କରିବାକୁ ଜମିଦାର ଧାର୍ଯ୍ୟ କଲେ। ମା’ ଟଙ୍କାକୁ ପାଣି କରି ଦେଇ ନିଜ ଅସ୍ତିତ୍ବ ଜାହିର କରିଥିବାରୁ ମା’ଙ୍କ ନାମ ରଖାଗଲା ମା’ ଟଙ୍କପାଣି। ମା’ କେନ୍ଦୁଗଛରେ ଥିବା ସମୟରେ ମା’ଙ୍କ ନିକଟରେ ଆମିଷ ଭୋଗ ହେଉଥିଲା। କିନ୍ତୁ ଭାବକୁନ୍ଦଳେଶ୍ବର ମନ୍ଦିର ପରିସରକୁ ମା’ ଆସିବା ପରେ ଶିବ ମନ୍ଦିର ହୋଇଥିବାରୁ ଏଠାରେ ମା’ଙ୍କୁ ଆମିଷ ଭୋଗ ଲଗାଗଲାନାହିଁ। ଏହି ମନ୍ଦିରରେ ମା’ଙ୍କୁ ଫଳ, ଫୁଲ, ଖିରି, ଖେଚୁଡ଼ି ଆଦି ଭୋଗ ହେଉଥିଲା। ମା’ଙ୍କର ସେତେବେଳେ କୌଣସି ଜମିବାଡ଼ି ବା ସମ୍ପତି ନଥିଲା। ଏହା କାଳ‌କ୍ରମେ ପୁରୀ ବାଲିସାହିସ୍ଥ ‘ଶଙ୍କରାନନ୍ଦ ସରସ୍ବତୀ’ ମଠ ଅଧୀନକୁ ଏହି ମନ୍ଦିର ଚାଲିଯାଇଥିଲା। ମଠ ଏହି ମନ୍ଦିରର ସମସ୍ତ ରୀତିନୀତି, ଭୋଗ, ଯାନିଯାତ କଥା ବୁଝିଲା। ଲାଡ୍‌ ସିଂହ ସେ ସମୟରେ ୪ ବାଟି ୧୩ ମାଣ ଜମି ସେ ମା’ଙ୍କ ନାମରେ କରି ଦେଇଥିଲେ। ଏହି ପରେ ମା’ଙ୍କ ପାଇଁ ଛତିଶ ନିଯୋଗ ଖଞ୍ଜା କରାଗଲା ଓ ମା’ଙ୍କ ମନ୍ଦିର ରାଜଧାନୀର ଏକ ପ୍ରମୁଖ ମନ୍ଦିର ପାଲଟିଗଲା। ଏବେ ବି ମା’ଙ୍କ ମନ୍ଦିରରେ ଭିନ୍ନ ଭିନ୍ନ ଜାତିର ସେବାୟତମାନେ ରହି ସେବା କରନ୍ତି ଓ ‌ମା’ଙ୍କ ସେବା ପାଇଁ ମନ୍ଦିରର କିଛି କିଛି ଜମି ମଧ୍ୟ ପାଇଛନ୍ତି।

ମା’ଙ୍କର ଏହି କାହାଣୀକୁ ନେଇ ଭିନ୍ନ କିଂବଦନ୍ତି ମଧ୍ୟ ରହିଛି। ମା’ ଟଙ୍କପାଣି ମନ୍ଦିରର ମହାପାତ୍ର ‌ସେବକ ନରେନ୍ଦ୍ର ନାୟକ କହିଛନ୍ତି, ମା’ ନଦୀପଠାରେ କେନ୍ଦୁ ଗଛ ମୂଳେ ରହିଥିବା ବେଳେ ଶଙ୍କରାନନ୍ଦ ମଠର ଦଣ୍ଡଧାରୀ ସ୍ବାମୀଙ୍କୁ ମା’ ସ୍ବପ୍ନାଦେଶ ହୋଇଥିଲା। ‘ଭାବକୁନ୍ଦଳେଶ୍ବର ମନ୍ଦିର’ ପରିସରରେ ତାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ କହିଥିଲେ। ଦଣ୍ଡଧାରୀ ସ୍ବାମୀ ଓ ପୁରୀ ମୁକ୍ତି ମଣ୍ଡପର ସେବକମାନେ ଆସି କେନ୍ଦୁ ଗଛ ମୂଳରୁ ମା’ଙ୍କ ଶିଳା ଆଣି ଏଠାରେ ପ୍ରତିଷ୍ଠା କରିଥିଲେ। ମନ୍ଦିର ପ୍ରତିଷ୍ଠା ପରେ ଦଣ୍ଡଧାରୀ ସ୍ବାମୀ କହିଥିଲେ, ‘ମନ୍ଦିର ତ’ ପ୍ରତିଷ୍ଠା ହେଲା, ହେଲେ ମା’ ତୁ ତୋ ଅସ୍ତିତ୍ବର ପରିଚୟ ଦେଲୁନାହିଁ। ମୁଁ ହାତରେ ଧରିଥିବା ରୂପା ମୁଦ୍ରାକୁ ପାଣି କରି ଜନସାଧାରଣଙ୍କୁ ତୋ ଅସ୍ତିତ୍ବର ପରିଚୟ ଦେ’। ତତ୍‌କ୍ଷଣାତ୍‌ ସେ ମୁଦ୍ରା ପାଣି ପାଲଟି ଯାଇଥିଲା। ଟଙ୍କାକୁ ପାଣି କରିଥିବାରୁ ମା’ଙ୍କ ନାମ ରହିଲା ଟଙ୍କପାଣି।

ଟଙ୍କପାଣି ରୋଡ୍‌ର ଗୋଲକ ଦାସ କହିଛନ୍ତି, ମା’ ଟଙ୍କପାଣି ମନ୍ଦିର ପ୍ରତିଷ୍ଠା ହେବା ପରେ ମା’ଙ୍କ ମନ୍ଦିରରୁ ବ୍ରହ୍ମେଶ୍ବର ମନ୍ଦିରରୁ ରବି ଟକିଜ୍‌ ହୋଇ ସାନିଟାରିୟମ୍‌ ଛକ ପର୍ଯ୍ୟନ୍ତ ରାସ୍ତାକୁ ଲୋକମାନେ ଟଙ୍କପାଣି ରୋଡ୍‌ କହିବା ଆରମ୍ଭ କରିଦେଲେ। ସେତେବେଳେ ଏହି ରାସ୍ତାରେ କାଁ ଭାଁ ଘର ଥିଲା। ଚାରିଆଡ଼େ ଶୂନ୍‌ଶାନ୍। ଏଠା‌ରୁ ବ୍ୟବସାୟୀ ଓ ହାଟୁଆମାନେ ସହର ଭିତରକୁ ଯିବା ପାଇଁ ଡରୁଥିଲେ। ଏଣୁ ସକୁଶଳେ ଯା’ଆସ ପାଇଁ ମା’ଙ୍କୁ ମୁଣ୍ଡିଆ ମାରି ବାହାରୁଥିଲେ। ଧୀରେଧୀରେ ମା’ଙ୍କ ପ୍ରତି ଲୋକଙ୍କର ଆସ୍ଥା ବେଶ୍‌ ବଢ଼ିଯାଇଥିଲା ଓ ରାସ୍ତାଟି ଟଙ୍କପାଣି ରୋଡ୍‌ ଭାବେ ପ୍ରଚଳିତ ହୋଇଥିଲା। ଏହି ସାଢ଼େ ୪ କିଲୋମିଟର ରାସ୍ତା ଏବେ ରାଜଧାନୀର ଏକ ପ୍ରମୁଖ ତଥା ପୁରାତନ ଅଞ୍ଚଳ ଭାବେ ପ୍ରସିଦ୍ଧ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।