ରାଜ୍ୟ

ନାଁକୁ ଆଦର୍ଶ ଗାଁ: ଗାଁକୁ ରାସ୍ତା ନାହିଁ, ପୁଅଙ୍କୁ ମିଳୁନି କନିଆଁ

ରତ୍ନାକର ଭୋଇ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ର ସେନାଘାଟି ଗାଁ। ୨୦୧୬ ମସିହାରେ ଆଦର୍ଶ ଗାଁ ଭାବେ ଘୋଷଣା କରାଯାଇଥିଲା। ଗାଁର ବିକାଶ ପାଇଁ ରାସ୍ତାଘାଟ, ଅଙ୍ଗନବାଡ଼ି, କମ୍ୟୁନିଟି ଗୃହ ଠାରୁ ଆରମ୍ଭ କରି ଅନେକ ଯୋଜନା ହୋଇଥିଲା। ଇତିମଧ୍ୟରେ ୬ ବର୍ଷ ଅତିକ୍ରାନ୍ତ ‌ହୋଇଗଲାଣି। ତଥାପି, ଗାଁର ସ୍ଥିତି ଯେମିତି କି ସେମିତି। ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ନଳକୂଅ ପାଣି ପିଇବା ଗାଁ ଲୋକଙ୍କ ପାଇଁ ମନା। ନଳକୂଅ ପାଣି ପିଇଲେ କିଡ୍‌ନିରେ ଆକ୍ରାନ୍ତ ହେବା ଯଥଷ୍ଟେ ଆଶଙ୍କା ରହିଛି। ନଳକୂଅ ପାଣିର ନମୁନା ପରୀକ୍ଷା ପରେ ଏହାର ବ୍ୟବହାର ପାଇଁ ସ୍ବାସ୍ଥ୍ୟ ବିଭାଗ ମନା କରିଥିବା କହୁଛନ୍ତି ଗାଁ ଲୋକେ।
ସେମାନେ କହନ୍ତି, ଗତ କିଛି ବର୍ଷ ମଧ୍ୟରେ ସତ୍ୟବାଦୀ ଦେହୁରୀ, କୀର୍ତ୍ତନ ଦେହୁରୀ, ରଂଜିତ ଦେହୁରୀ, ଶିବ ଦେହୁରୀ, ସୌଭାଗିନୀ ଦେହୁରୀ, ଦଶମୀ ଭୋଇ, ସୁଲୋଚନା ଦେହୁରୀ, ଗୌରଚନ୍ଦ୍ର ରଣା ଆଦି ଅନେକଙ୍କ ଜୀବନ ନେଇଛି କିଡ୍‌ନି ରୋଗ। ଜଣକ ପରେ ଜଣେ ଅନେକ ଲୋକ ଅସମୟରେ ଆରିପାରିକୁ ଚାଲିଯିବା ପରେ ଲୋକେ ନଳକୂଅ ପାଣିର ବ୍ୟବହାର ଛାଡ଼ି ଦେଇଛନ୍ତି। ଡାକ୍ତରୀ ପରାମର୍ଶ ପରେ ଗାଁ ଲୋକଙ୍କ ପାଇଁ କୂଅପାଣି ହିଁ ଭରସା। ଗାଁର ସେହି ଏକମାତ୍ର କୂଅ ବି ବହୁଦିନ ହେଲା ସଫା ହୋଇନାହିଁ। ଗାଧୋଇବା ପାଇଁ ଗାଁ ପାଖରେ ବୋହିଯାଇଥିବା ନାଳ ଉପରେ ନିର୍ଭରଶୀଳ। ତେବେ, ସେହି ନାଳ ହିଁ ସେମାନଙ୍କ ପାଇଁ ଯାତାୟାତ ସମୟରେ ଦୁଃଖର କାରଣ ପାଲଟିଛି। ପଞ୍ଚାୟତ ମୁଖ୍ୟାଳୟ ଗରଗଡ଼ବାହାଲକୁ ଯିବାକୁ ହେଲେ ୨ଟି ନାଳ ଅତିକ୍ରମ କରିବାକୁ ପଡ଼ୁଛି। ମଧୁବାବୁ ପେନ୍‌ସନ୍ ପାଇଁ ପ୍ରାୟ ୮ କିଲୋମିଟର ଦୂର ଯିବାକୁ ପଡ଼ୁଛି।

ବୃଦ୍ଧାବସ୍ଥାରେ ଖାଲଖମା ଭରା ମାଟି ରାସ୍ତାରେ ଏତେ ବାଟ ଅତିକ୍ରମ କରିବା କଷ୍ଟସାଧ୍ୟ ହୋଇଥିଲେ ବି ଅନ୍ୟ ବିକଳ୍ପ ନାହିଁ। ସବୁଠାରୁ ସାଂଘାତିକ ଅଭିଯୋଗ ହେଲା, ଖରାପ ରାସ୍ତା ଯୋଗୁ ସେନାଘାଟିରେ ବାହାଘର ପାଇଁ ଝିଅ ଦେବାକୁ ଅନ୍ୟ ଗାଁ ଲୋକେ ମନା କରୁଛନ୍ତି। ଏକ ସପ୍ତାହ ତଳେ ଏଭଳି ଏକ ଘଟଣା ଘଟିଥିବା କହନ୍ତି ଗାଁ ଲୋ‌କେ। କଂସ ନାୟକ କହନ୍ତି, ତାଙ୍କ ପୁଅ ଆଇଟିଆଇ ସାରିବା ପରେ ଡିପ୍ଲୋମା ପଢ଼ିଛନ୍ତି। ପୁଅର ବାହାଘର ପାଇଁ କନ୍ୟାପାତ୍ରୀ ଠିକ୍‌ ହୋଇଥିଲା। ଝିଅଘର‌ ଲୋକେ ପୁଅକୁ ପସନ୍ଦ ବି କରିଥିଲେ। ‌‌‌ତେବେ‌, ଆମ ସେନାଘାଟି ଗାଁକୁ ଆସିବା ପରେ ସେମାନଙ୍କ ମତ ବଦଳି ଯାଇଥିଲା। ସେମାନେ କହିଲେ, ‘ତୁମ ଗାଁ ରାସ୍ତାର ଭଲ ନାହିଁ। ଏଠାରେ ବାହାଘରଦେଇ ଆମ ଝିଅକୁ ଅସୁବିଧାରେ ପକାଇବାକୁ ଚାହୁନାହିଁ। ସେଭଳି ସମାନ କଥା କହିଛନ୍ତି ଗାଁର ଅନ୍ୟ ଜଣେ ଯୁବକ କୁନା ଦେହୁରୀ। କୁନା କହନ୍ତି, ପେସାରେ ସେ ଜଣେ ଟ୍ରକ୍ ଚାଳକ। ବାହାଘରକୁ ଦୃଷ୍ଟିରେ ରଖି ନିଜ ସଂଚିତ ଧନରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚକରି ନୂଆଘରଟିଏ ତିଆରି କରିଛନ୍ତି।

ହେଲେ, ଗାଁ ରାସ୍ତାଘାଟ ଖରାପ ଥିବାରୁ ଝିଅ ଦେବାକୁ ଲୋକେ ରାଜି ହେଉନାହାନ୍ତି। ଏଭଳି ସ୍ଥିତିରେ ଚାରମାଳ ଠାରେ ରହିବା ଯୋଜନା କରୁଛି ବୋଲି ସେ କହିଛନ୍ତି। ଗାଁର ଅଧିକାଂଶ ଲୋକ ମାଟିଘରେ ରହୁଛନ୍ତି। ଆବାସ ଯୋଜନାରେ ଅନେକ ଥର ଆବେଦନ କଲେ ବି ଘର ମିଳୁ ନାହିଁ। ବିଧବା ଭତ୍ତା ପାଇବାରୁ ବି ଅନେକ ହିତାଧିକାରୀ ବଂଚିତ ହୋଇଛନ୍ତି। ଗାଁରେ ସ୍କୁଲ ତ ଭିନ୍ନ କଥା ଅଂଗନୱାଡ଼ି କେନ୍ଦ୍ରଟିଏ ବି ହୋଇପାରିଲା ନାହିଁ। ଗାଁର କିଛି ଲୋକ ନିଜ ପିଲାଙ୍କୁ ସଂପର୍କୀୟ ଘରେ ରଖି ପାଠ ପଢ଼ିବାକୁ ଛାଡ଼ି ଦେଉଛନ୍ତି। ଯେଉଁମାନଙ୍କ ସୁବିଧା ନାହିଁ, ସେମାନଙ୍କ କୋମଳମତି ପିଲାଏ ଚାଲି ଚାଲି କଣ୍ଢଳ ଗାଁ ସ୍କୁଲକୁ ଯିବାକୁ ବାଧ୍ୟ ହେଉଛନ୍ତି। ମୋବାଇଲ ନେଟ୍‌ୱର୍କ ପାଇଁ ପାଖରେ ଥିବା ଏକ ଉଚ୍ଚ ପଥରଖଣ୍ଡ ଉପରକୁ ଚଢ଼ିବାକୁ ପଡ଼େ। ‘ରାଜ୍ୟର ସବୁ ମଠ ମନ୍ଦିର ପାଇଁ ସରକାର ଅନୁଦାନ ଦେଉଛନ୍ତି। ଆମ ପାଇଁ ସାଧୁସନ୍ଥଙ୍କ ରହିବା ନିମନ୍ତେ ଜାଗାଟିଏ ନାହିଁ ବୋଲି ଗାଁରେ ମହିମା ଧର୍ମବଲମ୍ବୀମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।