ରାଜ୍ୟ

ନନ୍ଦିଘୋଷେ ନୀଳାଚଳିଆ

ଭୁବନେଶ୍ବର: କିଏ ଦୁଇ ହାତ ଟେକି ଦେଇଥିଲା ତ କିଏ ହାତ ଯୋଡ଼ି ଚାହିଁ ରହିଥିଲା। କିଏ ଡେଉଁଥିଲା ତ କିଏ ନାଚି ପକାଉଥିଲା। ଅନେକ ତ ଘଣ୍ଟ, ଘଣ୍ଟା, ବାଜା ତାଳରେ ଉନ୍ମାଦ ହୋଇଉଠୁଥିଲେ। କାହା ଆଖିରୁ ଝରିପଡ଼ୁଥିଲା ଆନନ୍ଦାଶ୍ରୁ ତ କିଏ ଅତି ଖୁସିରେ କୋହକୋହ ହୋଇ କାନ୍ଦିପକାଉଥିଲା। କିଏ ରଥ ଦଉଡ଼ିକୁ ଛୁଇଁ ମୁଣ୍ଡିଆ ମାରି ଦେଉଥିଲା ତ କିଏ ରଥକୁ ଛୁଇଁ କୃତାର୍ଥ ମନେ କରୁଥିଲା। କିନ୍ତୁ କାହା ଆଖିର ପଲକ ପଡ଼ୁନଥିଲା। ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କ ଆଖି ନନ୍ଦିଘୋଷ ଉପରେ ଚକାନୟନରେ ମିଶିଯାଇଥିଲା। ସବୁରି ମୁହଁରୁ ବାହରୁଥିଲା ଜଗତର ନାଥ ଜଗନ୍ନାଥଙ୍କୁ ନେଇ ରଚିତ ଲୋକପ୍ରିୟ ଭଜନ, ଜଣାଣ ଓ ଭକ୍ତି ଗୀତ। ଆଜି ରାଜଧାନୀରେ ରଥଯାତ୍ରା ଅବସରରେ ସବୁ ରଥ ନିକଟରେ ଥିଲା ଏମିତି ଭାବମୟ, ଆବେଗପୂର୍ଣ୍ଣ ପରିବେଶ।

ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଆଜି ଟାଣ ଖରାକୁ ଖାତିର ନକରି ରଥଟଣା ଦେଖିବାକୁ ଓ ରଥ ଟାଣିବାକୁ ଧାଇଁଆସିଥିଲେ ନନ୍ଦିଘୋଷ ପାଖକୁ। ସବୁ ବର୍ଷ ସେଇ ସମାନ ଦୃଶ୍ୟ ଦେଖୁଥିଲେ ବି ନନ୍ଦିଘୋଷରେ ଜଗାକୁ ଦେଖିବା ଯେମିତି ସେମାନଙ୍କ ପାଇଁ ଥିଲା ସମ୍ପୂର୍ଣ୍ଣ ନୂଆ ଅନୁଭୂତି। ବହୁ ଦିନ ପରେ ଅତି ଆପଣାର କାହାକୁ ଭେଟିବା ପାଇଁ ଯେମିତି ସେମାନେ ଥିଲେ ଖୁବ୍‌ ବ୍ୟାକୁଳ। ରାଜଧାନୀର ଏମୁଣ୍ଡରୁ ସେମୁଣ୍ଡ ସବୁଠି ଥିଲା ଆଜି ରଥଯାତ୍ରା ଖୁସିର ପରିବେଶ। ଚନ୍ଦ୍ରଶେଖରପୁରରୁ ଖଣ୍ଡଗିରି, ଇସ୍କନ୍‌ରୁ ପୁରୁଣା ଭୁବନେଶ୍ବର ଏବଂ ରାଜଧାନୀ ଉପକଣ୍ଠରେ ସବୁଠି ଆଜି ଛାଇଯାଇଥିଲା ନନ୍ଦିଘୋ‌ଷରେ ନୀଳାଚଳିଆ।

ଶ୍ରୀବାଣୀ କ୍ଷେତ୍ରରେ ଜନସମୁଦ୍ର

ଚନ୍ଦ୍ରଶେଖରପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ କିସ୍ ଶ୍ରୀବାଣୀ କ୍ଷେତ୍ରରେ ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇଥିଲା। କିଟ୍‍ ମନ୍ଦିର ଟ୍ରଷ୍ଟି ତଥା ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅପରାହ୍ଣ ସାଢ଼େ ୩ଟାରେ ଛେରା ପହଁରା କରିଥିଲେ। ଅପରାହ୍ଣ ସାଢ଼େ ୪ଟାରେ ଭକ୍ତମାନେ ରଥ ଟାଣିଥିଲେ। ଏଠାରେ ତିନି ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନେଇ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଖୋଳ, ଝାଞ୍ଜ ଓ ହରିନାମ ସଂକୀର୍ତ୍ତନରେ ରଥଦାଣ୍ଡ ପ୍ରକମ୍ପିତ ହୋଇଥିଲା। ଏଠାରେ ପରମ୍ପରା ଅନୁସାରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନକୁ ମହିଳା ଶ୍ରଦ୍ଧାଳୁମାନେ ଟାଣିଥିଲେ।

ଟାଣ ଖରାଜନିତ ପ୍ରତିକୂଳ ପାଗ ସତ୍ତ୍ବେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଏହି ରଥଟଣା ଦେଖିବାକୁ ଆସିଥିଲେ। କିଟ୍‌ ଓ କିସ୍‌ର ଶତାଧିକ ଅଣଓଡ଼ିଆ ଛାତ୍ରଛାତ୍ରୀ ଏହି ଘୋଷଯାତ୍ରା ଦେଖି ବେଶ୍ ଖୁସି ହେଉଥିବା ବେଳେ ବିଦେଶୀ ଛାତ୍ରମାନେ ମଧ୍ୟ ଭକ୍ତିରେ ବିଭୋର ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ଶ୍ରୀକ୍ଷେତ୍ର ରଥଯାତ୍ରାର ସମସ୍ତ ରୀତିନୀତି ଏଠାରେ ଅନୁସରଣ କରାଯାଏ। ରଥ ନିର୍ମାଣ ପାଇଁ ପୁରୀରୁ ସ୍ୱତନ୍ତ୍ର ବିନ୍ଧାଣୀ, ମହାରଣା ଓ ଚିତ୍ରକରଙ୍କୁ ଏଠାରେ ନିଯୁକ୍ତି ମିଳିଥାଏ। ଶ୍ରୀବାଣୀ କ୍ଷେତ୍ରର ରଥଯାତ୍ରା ପୁରୀ ଗଜପତି ମହାରାଜାଙ୍କ ପରାମର୍ଶ ଅନୁସାରେ ସଂପନ୍ନ କରାଯାଇଥାଏ। ଶ୍ରୀକ୍ଷେତ୍ର ଘୋଷଯାତ୍ରାର ଅବିକଳ ଢାଞ୍ଚାରେ ଏଠାରେ ନନ୍ଦିଘୋଷରେ ୧୬, ତାଳଧ୍ବଜରେ ୧୪ ଏବଂ ଦର୍ପଦଳନରେ ୧୨ ଚକ ରହିଛି। ନବଦିନ ବ୍ୟାପୀ ପ୍ରତି ସନ୍ଧ୍ୟାରେ ଏଠାରେ ମହାପ୍ରଭୁଙ୍କ ନିକଟରେ ଭଜନ ସମାରୋହ ଅନୁଷ୍ଠିତ ହେବ।

ଇସ୍କନ୍‌

ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ଇସ୍କନ୍‌ ମନ୍ଦିରର ରଥଟଣା ସଂପନ୍ନ ହୋଇଛି। ସକାଳ ପ୍ରାୟ ୮ଟାରେ ତିନି ରଥକୁ ପ୍ରତିଷ୍ଠା କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ଗୋପୀନାଥ ସ୍ବାମୀ ମହାରାଜ ଛେରା ପହଁରା କରିଥିଲେ। ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସ୍ଥାନୀୟ କର୍ପୋରେଟର୍‌ ମାନସୀ ସୁନ୍ଦରରାୟ ପ୍ରଥମେ ରଥ ଟାଣିଥିଲେ। ପରେ ଭକ୍ତମାନେ ରଥ ଟାଣିଥିଲେ। ରାତି ୮ଟା ସୁଦ୍ଧା ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।

ଶିରିପୁର

ରାଜଧାନୀର ଅନ୍ୟତମ ପୁରୁଣା ରଥଯାତ୍ରା ହେଉଛି ୟୁନିଟ୍‌-୮ ଜଗନ୍ନାଥ ମନ୍ଦିରର ରଥଯାତ୍ରା। ଏଠାରେ ଅପରାହ୍‌ଣ ସାଢ଼େ ୧ଟାରେ ଠାକୁରଙ୍କ ପହଣ୍ଡି ନୀତି ହୋଇଥିଲା। ବାୟାବାବା ମଠ ମହନ୍ତ ମହାରାଜ ସୁଜ୍ଞାନ ସ୍ବାମୀ ଛେରା ପହଁରା କରିଥିଲେ। ଜଗନ୍ନାଥ ମନ୍ଦିରରୁ ବାହାରିଥିବା ରଥ ସଂଧ୍ୟା ପ୍ରାୟ ସାଢ଼େ ୭ଟା ସୁଦ୍ଧା ରଥ ଓୟୁଏଟି ଝାଡ଼େଶ୍ବରୀ ମନ୍ଦିରରେ ପହଞ୍ଚିଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା, ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ, ଅଜିତ୍‌ କର ପ୍ରମୁଖ ଉପସ୍ଥିତ ଥିଲେ।

ସହିଦନଗରରେ ଭକ୍ତିମୟ ପରିବେଶ

ସହିଦନଗର ବିଷ୍ଣୁ ମନ୍ଦିରରେ ବଡ଼ ଧୁମ୍‌ଧାମରେ ପାଳିତ ହୋଇଯାଇଛି ଘୋଷଯାତ୍ରା। ପୂର୍ବାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ସମସ୍ତ ପୂଜା ବିଧି ପାଳିତ ହୋଇଥିଲା। ଅପରାହ୍ଣରେ ତିନି ଠାକୁରଙ୍କୁ ଖେଚୁଡ଼ି ଭୋଗ ଲାଗି କରାଯିବା ପରେ ଅପରାହ୍ଣ ୨ଟା ୪୫ରେ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟାରେ ମନ୍ଦିର ପରିଚାଳନା କମିଟିର ସଭାପତି ମଦନ ମୋହନ ପଣ୍ଡା ଛେରା ପହଁରା କରିଥିଲେ। ଅପରାହ୍ଣ ସାଢ଼େ ୪ଟାରେ ମନ୍ଦିରରୁ ରଥ ଗଡ଼ିଥିଲା। ମା’ ଖଣ୍ଡୁଆଳି ମନ୍ଦିର ଅଭିମୁଖେ ରଥ ଯାତ୍ରା କରିଥିଲା। ଘଣ୍ଟ, ଘଣ୍ଟା ଶବ୍ଦ ସାଙ୍ଗକୁ ହରିବୋଲ ଓ ହୁଳହୁଳି ଧ୍ବନିରେ ପରିବେଶ ପ୍ରକମ୍ପିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।