ଲମତାପୁଟ ୩୦/୦୫ : ଲମତାପୁଟ ପୋଲିସକୁ ବଡ଼ ସଫଳତା। ଆନ୍ଧ୍ର ସୀମାନ୍ତ ବାଙ୍ଗୁରପଡା ନଦୀ ଘାଟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ି ବସିଲା ପୋଲିସ। ନଦୀ ଘାଟରୁ ୪୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଜଣେ ମାଫିଆ ଗିରଫ।
ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ୪ ଜଣିଆ ଟିମ୍ ଗଠନ କରି ବାଙ୍ଗୁରପଡ଼ା ଗ୍ରାମ ନଦୀ ଘାଟରେ ଚଢାଉ କରିଥିଲେ। ଖବର ମୁତାବାକ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ବିପୁଳ ଗଞ୍ଜେଇ ଆସିଥିବା ଖବର ରହିଥିଲା ।
ପୋଲିସ ନଦୀ ଘାଟରେ ଚୋରା ଚାଲଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ଚଢାଉ କରିଥିଲା। ଏହି ସମୟରେ ଜଣେ ମାଫିଆକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଏହା ସହ ୨୦ଟି ବସ୍ତାରେ ପ୍ରାୟ ୪ କୁଇଣ୍ଟାଲ ୮୫ କେ.ଜିର ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪୮ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି ।
ତେବେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ମାଫିଆମାନେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଗିରଫ ହୋଇଥିବା ମାଫିଆ ଜଣଙ୍କ ବଲାଙ୍ଗୀର ଅଞ୍ଚଳର ସୁବାସ ନାୟକ ବୋଲି ଜଣା ପଡ଼ିଛି । ଏହି ବ୍ୟକ୍ତି ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ କରିଥିବା ସ୍ଵୀକାର କରିଛି । ସୁବାସକୁ ଗିରଫ କରି ପୋଲିସ ପଚରାଉଚୁରା କରୁଛି। ଏହି କାରବାରରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ନନ୍ଦପୁର SDPO କହିଛନ୍ତି।