ଅପରାଧ ରାଜ୍ୟ

ଧରାପଡ଼ିଲେ ଚଡ଼ି ଗ୍ୟାଙ୍ଗ୍‌ର ୧୧: ଦିନରେ ବେପାର, ରାତିରେ ଲୁଟ୍‌

ଭୁବନେଶ୍ବର: ଦିନ ବେଳା କିଏ ଟ୍ରାଫିକ୍‌ ଛକରେ ବୁଲିବୁଲି ପେନ୍‌, କାର୍‌ ଆସେସରିଜ୍‌ ବିକ୍ରି କରୁଥିଲା ତ କିଏ ଅଟୋ ଚଳାଉଥିଲା, ପୁଣି କିଏ କିଏ ମଜୁରି ଲାଗୁଥିଲେ। ହେଲେ ରାତିରେ ସେମାନଙ୍କ ବେଶ ବଦଳି ଯାଉଥିଲା। ଲୋକଙ୍କ ଘରେ ପଶି କଳାକନା ବୁଲାଉଥିଲେ। ଏମିତି ଲୁଟ୍‌ପାଟ କରି ରାଜଧାନୀରେ ଆତଙ୍କ ଖେଳାଇଥିବା ଚଡ଼ି-ବାନିୟନ୍‌ ବା ବଞ୍ଜାରା ଗ୍ୟାଙ୍ଗ୍‌କୁ ଶେଷରେ କମିସନରେଟ୍‌ ପୁଲିସ ଧରିଛି। ଗ୍ୟାଙ୍ଗ୍‌ର ୧୧ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ରାଜସ୍ଥାନ କୋଟା ଅଞ୍ଚଳର ସନ୍ତୋଷ ଦାସ(୪୫), ଗରିବ ଗିରି(୪୦), ଦୌଲତ ଗିରି(୨୭), ବରଣ ଅଞ୍ଚଳର ରାଜୁ ବାଗ୍ରି(୩୨), ସାନୁ ବାଗ୍‌ଡି(୨୫), ମହାରାଷ୍ଟ୍ର ନାଗପୁରର ରାମ ମାଲ୍‌କାର(୩୦), ସାଙ୍ଗଲି ମାଲ୍‌କାର(୨୫), କୁନାଲ୍‌ ମାଲ୍‌କାର(୨୫), ମଧ୍ୟପ୍ରଦେଶ ଶିବ୍‌ପୁରୀର ସୁନିଲ୍‌ ମୋଗିଆ(୨୧) ଓ ଝାଡ଼ଖଣ୍ଡ ବୋକାରୋର ରାମସିଂହ ଚୌହାନ(୫୭)। ପୁଲିସ ସେମାନଙ୍କଠାରୁ ୧୨ଟି ସୁନା ବଳା, ଗୋଟିଏ ସ୍କୁଟି, ସାଢ଼େ ୬ ହଜାର ଟଙ୍କା, ଘର ଭଙ୍ଗାରେ ବ୍ୟବହୃତ ଯନ୍ତ୍ରପାତି ଓ ମାରଣାସ୍ତ୍ର ଜବତ କରିଛି।

କେମିତି ଧରାପଡ଼ିଲେ

ଚଳିତ ବର୍ଷ ଆରମ୍ଭରୁ ଏହି ଗ୍ୟାଙ୍ଗ ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରଫିଲ୍ଡ,ଏୟାରପୋର୍ଟ, ତମାଣ୍ଡୋ ଆଦି ଥାନା ଅଞ୍ଚଳରେ ଲୁଟ୍‌ପାଟ କରି ପୁଲିସ ଆଖିରୁ ନିଦ ହଜାଇ ଦେଇଥିଲା। ବିଭିନ୍ନ ଥାନାରେ ୧୬ରୁ ଅଧିକ ମାମଲା ରୁଜୁ ହୋଇଥିଲା। ଏମାନେ କୌଣସି ପ୍ରକାର ସୁରାକ୍‌ ଛାଡ଼ୁ ନଥିଲେ। ତେବେ କେତେକ ଘଟଣାକୁ ନେଇ କମିସନରେଟ୍‌ ସ୍ପେସାଲ୍‌ ସ୍କ୍ବାଡ୍‌ ପୁଲିସ ଆରମ୍ଭ କରିଥିଲା ମିସନ। ସମସ୍ତ ଘଟଣାର ସିସିଟିଭି ଫୁଟେଜ୍‌ ଆଧାରରେ କରିଥିଲା ତନାଘନା। ସମସ୍ତ ଘଟଣାରେ ଲୁଟ୍‌ର ତରିକା ପ୍ରାୟ ସମାନ ଥିବା ବେଳେ ବେଶପୋଷାକ ବି ସମାନ ଥିଲା। ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଥାନାକୁ ଆଲର୍ଟ କରାଯାଇଥିଲା। ରାତ୍ରି ପାଟ୍ରୋଲିଂରେ ଗ୍ୟାଙ୍ଗ‌୍ ଉପରେ ସ୍ବତନ୍ତ୍ର ନଜର ରଖିବାକୁ କୁହାଯାଇଥିଲା। ଗତକାଲି ଅର୍ଥାତ ସୋମବାର ବିଳମ୍ବିତ ରାତିରେ ସ୍ପେସାଲ୍‌ ସ୍କ୍ବାଡ୍‌ ପୁଲିସ ଦୟାନଦୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ କିଛି ଲୋକଙ୍କୁ ଦେଖି ସନ୍ଦେହ କରିଥିଲା। ଏନେଇ ଧଉଳି ଥାନାକୁ ଖବର ଦିଆଯାଇଥିଲା। ଯୋଜନା ମୁତାବକ, ପୁଲିସ୍‌ର ଦୁଇ ଟିମ୍‌ ଗ୍ୟାଙ୍ଗ ଉପରେ ନଜର ରଖିଥିଲେ। ସେମାନେ ତାରେକେଶ୍ବର ମନ୍ଦିର ଅଞ୍ଚଳରେ ଏକ ଘରୁ ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ କାବୁ କରିଥିଲା। ଥାନାକୁ ଆଣି ଜେରା କରିବାରୁ ସେମାନେ ସତ ମାନି ଯାଇଥିଲେ। ଏନେଇ ଧଉଳି ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି।

ଏଜେଣ୍ଟ ମାଧ୍ୟମରେ ଦିଲ୍ଲୀ ପଠାଉଥିଲେ ଚୋରି ଜିନିଷ

ଚୋରି ଜିନିଷ ରାଜ୍ୟ ବାହାରକୁ ପଠାଇବା ପାଇଁ ସ୍ବତନ୍ତ୍ର ଏଜେଣ୍ଟଙ୍କ ସହ ସମ୍ପର୍କରେ ରହୁଥିଲେ। ସେମାନଙ୍କୁ ଚୋରି ଜିନିଷ ଶାଗମାଛ ଦରରେ ବିକ୍ରି କରୁଥିଲେ। ଓଡ଼ିଶାରୁ ଯାହା ସବୁ ଚୋରି କରୁଥିଲେ, ତାହାକୁ ପ୍ରଥମେ ଏଜେଣ୍ଟ ମାଧ୍ୟମରେ ଟାଟା ପଠାଉଥିଲେ। ପରେ ସେସବୁ ଦିଲ୍ଲୀ ଯାଉଥି‌ଲା। ଏହି ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କ ସହ ଲିଙ୍କ୍‌ ଏବଂ ସେମାନଙ୍କ ଆପରାଧିକ ଇତିହାସ ସମ୍ପର୍କରେ ଅଧିକ ଜାଣିବା ପାଇଁ ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ପୁଲିସ ସହ ଯୋଗାଯୋଗ କରିଥିବା ଡିସିପି ଶ୍ରୀ ସିଂ କହିଛନ୍ତି।

ମଧ୍ୟରାତ୍ରରେ ମାତୁଥିଲେ

ଏହି ଗ୍ୟାଙ୍ଗ୍‌ ୨୦୨୨ ଜୁଲାଇ ମାସରୁ ସକ୍ରିୟ ହୋଇ ଉଠିଥିଲା। ବିଶେଷକରି ଯାଜପୁର, ଖୋର୍ଦ୍ଧା, ବାଲେଶ୍ବର, କଟକ, ଭଦ୍ରକ ଆଦି ଜିଲ୍ଲାରେ ବେଶ୍‌ ସକ୍ରିୟ ଥିବା ବେଳେ ଗତ ୬ ମାସ ହେବ ରାଜଧାନୀମୁହାଁ ହୋଇଥିଲା। ଗ୍ୟାଙ୍ଗ୍‌ର ସଦସ୍ୟମାନେ ଦିନରେ ବିଭିନ୍ନ ଟ୍ରାଫିକ୍‌ ଛକରେ ବୁଲିବୁଲି ପେନ୍‌, ଫୁଲ, ଖେଳଣା, କାର୍‌ ଆସେସରିଜ୍‌ ବିକ୍ରି କରୁଥିଲେ। ସନ୍ଧ୍ୟାରେ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯାଇ ଲୁଟ୍‌ ପାଇଁ ଯୋଜନା କରୁଥିଲେ। ବିଶେଷକରି ମୁଖ୍ୟରାସ୍ତା ପାଖାପାଖି ଥିବା ଘରକୁ ଟାର୍ଗେଟ୍‌ କରୁଥିଲେ। ସେହି ଅଞ୍ଚଳରେ ଯେଉଁ ଘରେ ବେଶି ଦିନ ବନ୍ଦ ରହୁଥିଲା କି ଘରେ ପୁରୁଷ ଲୋକ ରହୁନଥିଲେ, ସେଭଳି ଘରକୁ ସେମାନେ ଚିହ୍ନଟ କରୁଥିଲେ। ଏହାପରେ ସେଠାରେ ଯାଇ ଫୁଟ୍‌ପାଥ କିମ୍ବା ତଳେ ଶୋଇ ଡେରା ପକାଉଥିଲେ।

ଠିକ୍‌ ରାତି ୨ଟାରୁ ୪ଟା ମଧ୍ୟରେ ଦଳବଳ ହୋଇ ଚିହ୍ନଟ ଘର ନିକଟକୁ ଯାଉଥିଲେ। ଦେହରୁ ପୋଷାକ ଓହ୍ଲାଇ ଚଡ଼ି ଓ ଗଞ୍ଜି ପିନ୍ଧୁଥିଲେ। ଆଉ ମୁହଁରେ କପଡ଼ା ଗୁଡ଼ାଇ ଦେଉଥିଲେ। ଏହାପରେ ଘରର ଝରକା ତାଡ଼ି ଭିତରେ ପଶୁଥିଲେ। ଯଦି ଘରେ କେହି ଥିବା ଦେଖୁଥିଲେ, ତୁରନ୍ତ ତାଙ୍କୁ ବାହାରୁ ତାଲା ପକାଇ ଦେଉଥିଲେ। ପ୍ରତିବାଦ କଲେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଉଥିଲେ। ସ୍ଥିତିକୁ ନିଜ ଆୟତ୍ତକୁ ଆଣିବା ପାଇଁ ଆକ୍ରମଣ କରିବାକୁ ବି ପଛାଉ ନଥିଲେ। ଏହାପରେ ଘରୁ ଲୁଟ୍‌ପାଟ କରି ବାହାରକୁ ଆସିବା ପରେ ପୋଷାକ ବଦଳାଇ ଫେରାର୍‌ ହୋଇଯାଉଥିଲେ। ତେଣୁ ତାଙ୍କୁ ଠାବ କରିବା ସହଜ ହେଉ ନଥିଲା।

ଲୁଟ୍‌ ବେଳେ ସାଙ୍ଗରେ ନେଉ ନଥିଲେ ମୋବାଇଲ୍‌

ଯେଭଳି ପୁଲିସ ସେମାନଙ୍କର ଟେର୍‌ ପାଇବ ନାହିଁ, ସେଥିପାଇଁ ଅତି ସତର୍କତାର ସହ ସେମାନେ ଲୁଟ୍‌ କରୁଥିଲେ। ଲୁଟ୍‌ ସ୍ଥାନକୁ ଯିବା ‌ବେଳେ ନା ନିଜ ମୋବାଇଲ୍‌ ଫୋନ୍‌ ନେଉଥିଲେ ନା ନିଜ ଗାଡ଼ି। କାଳେ ପୁଲିସ ସେମାନଙ୍କ ଲୋକେସନ୍‌ ଠାବ କରିନେବ, ସେଥିପାଇଁ ଭୁଲ୍‌ରେ କେହି ବି ଜଣେ ସାଙ୍ଗରେ ମୋବାଇଲ୍‌ ଆ‌ଣୁନଥିଲେ। ସେମିତି ଲୁଟ୍‌ ପରେ ରାସ୍ତାକୁ ଯାଇ ଅଟୋ ଭଡ଼ା କରି ଯାଉଥିଲେ। ଦୂର ସ୍ଥାନକୁ ଯିବାକୁ ହେଲେ ବସ୍‌ କିମ୍ବା ଟ୍ରେନ୍‌ରେ ଯାଉଥିଲେ। ଏହାଛଡ଼ା ସେମାନେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ରହୁ ନଥିଲେ। ଲୁଟ୍‌ ପରେ ସ୍ଥାନ ବଦଳାଇ ଦେଉଥିଲେ। କେତେବେଳେ ଷ୍ଟେସନରେ ତ କେତେବେଳେ ବସ୍‌ଷ୍ଟାଣ୍ଡ ଓ ଫୁଟ୍‌ପାଥରେ ରହୁଥିଲେ। ଗୋଟିଏ ଜାଗାରେ ବେଶି ଦିନ ତିଷ୍ଠୁ ନଥିଲେ। ତେଣୁ ଏହି ଗ୍ୟାଙ୍ଗକୁ ଠାବ କରିବା ପୁଲିସ ପାଇଁ କାଠିକର ପାଠ ଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।