ନୂଆଦିଲ୍ଲୀ ୧୩/୦୧ : ନୂଆ ବର୍ଷ ଆରମ୍ଭ ପରେ ଆଜି ସାରା ଦେଶରେ ପ୍ରଥମ ପର୍ବ ଲୋହରୀ ପାଳନ କରାଯାଉଛି। ଆସନ୍ତାକାଲି ସାରା ଦେଶରେ ମକର ସଂକ୍ରାନ୍ତି ପାଳନ କରାଯିବ। ଏହି ଦୁଇଟି ବର୍ଷର ବିଶେଷ ମହତ୍ତ୍ୱ ରହିଛି। ଲୋହରୀ ବିଶେଷ କରି ଉତ୍ତର ଭାରତରେ ପାଳନ କରାଯାଏ। ପ୍ରତି ବର୍ଷ ମକର ସଂକ୍ରାନ୍ତିର ପୂର୍ବ ଦିନ ଲୋହରୀ ପାଳନ କରାଯାଏ। ପଞ୍ଜାବ ଓ ହରିୟାଣାରେ ଏହି ପର୍ବର ଧୁମ ସବୁଠାରୁ ଅଧିକ ଦେଖିବାକୁ ମିଳେ। ଏହି ଦିନ କୃଷକ ନିଆଁ ଲଗାଇ ଫସଲ ଦାନା ଅଗ୍ନିକୁ ସମର୍ପଣ କରନ୍ତି ଏବଂ ଖୁବ ଧୂମଧାମରେ ପର୍ବ ପାଳନ କରନ୍ତି। ବୋନ୍ ଫାୟାର୍ କରି ପୂଜା କରାଯାଇଥାଏ। ଏହି ପର୍ବ ସକାଳୁ ସନ୍ଧ୍ୟା ଯାଏଁ ଚାଲେ। ପୂଜା ସମୟରେ ଲୋକେ ଅଗ୍ନିରେ ବାଦାମ ଲଡୁ, ମକା ଓ ଗୁଡ ଅର୍ପଣ କରନ୍ତି। ଅଗ୍ନିରେ ଏହିସବୁ ଜିନିଷ ଅର୍ପଣ କଲାବେଳେ ‘ଆଧାର ଆଏ ଦିଲାଥେର ଯାଏ’ କହିଥାନ୍ତି। ଏହାର ଅର୍ଥାତ, ଘରକୁ ସମ୍ମାନ ଆସୁ ଏବଂ ଗରିବୀ ଯାଉ। କୃଷକ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ଧନ୍ୟବାଦ ଜଣାନ୍ତି। ଏହାସହ କ୍ଷେତରେ ଉତ୍ପାଦନ କ୍ଷମତା ବଢାଇବାକୁ କୃଷକ ଅଗ୍ନିଦେବଙ୍କୁ ପ୍ରାର୍ଥନା କରନ୍ତି। ପୂଜା ପରେ ଭୋଗ ବଣ୍ଟାଯାଏ।

ଭାରତରେ ଲୋହରୀର ଅନେକ ମହତ୍ତ୍ୱ ରହିଛି। ଏହି ପର୍ବ ଶୀତର ପ୍ରାଥନା ଓ ବସନ୍ତ ଆଗମନର ସଂକେତ। ଏହି ପବିତ୍ର ଅବସରରେ ଲୋକେ ଗହମ, ଜବ, ଚଣା, ମଶୁରି ଓ ସୋରିଷ ଫସଲ ଅଗ୍ନିକୁ ସମର୍ପିତ କରିଥାନ୍ତି। ଏହି ସମୟରେ ରବି ଫସଲ କଟାଯାଏ।

ଏହି ଦିନ ସୂର୍ଯ୍ୟ ମକର ରାଶି ଦେଇ ଉତ୍ତର ଆଡକୁ ଗତି କରନ୍ତି। ଏହି ଦିନ ବର୍ଷର ସବୁଠାରୁ ଛୋଟ ଦିନ ଏବଂ ରାତି ସବୁଠାରୁ ଲମ୍ବା ହୋଇଥାଏ। ଲୋହରୀ ସମ୍ପର୍କରେ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି। ଏହି ଦିନ ହୋଲିକା ଦହନ ରୂପରେ ଲୋହରୀର ଜନ୍ମ ହୋଇଥିଲା। କୃଷକ ଏହାକୁ ନୂଆ ବର୍ଷର ଆର୍ଥିକ ପ୍ରାରମ୍ଭ ଭାବେ ମଧ୍ୟ ପାଳନ କରନ୍ତି।


