ନୂଆଦିଲ୍ଲୀ,୧୦/୦୨: ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ଜିତିଛି ଭାରତ । ସିରିଜର ପ୍ରଥମ ମୁକାବିଲାରେ ପଦାର୍ପଣ କରିଥିଲେ ଦୀପକ ହୁଡ୍ଡା । ଏହାସହ ତାଙ୍କର ପିଲାଦିନର ସ୍ୱପ୍ନ ପୂରଣ ହୋଇଥିଲା । ସେ ପିଲାଦିନେ ଦିନିକିଆ କ୍ୟାପ୍ ବିରାଟ କୋହଲି କିମ୍ବା ମହେନ୍ଦ୍ର ସିଂ ଧୋନୀଙ୍କଠୁ ପାଇବେ ବୋଲି ଆଶା କରିଥିଲେ । ଯାହା ସତ ହୋଇଥିଲା ।
ଦୀପକ ହୁଡ୍ଡା ଏବେସୁଦ୍ଧା ଖେଳିଥିବା ଦୁଇଟି ମୁକାବିଲାରେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଦିନିକିଆରେ ସେ ୨୬ ରନର ଦମଦାର୍ ଇନିଂସ ଖେଳିଥିଲେ । ଏହାସହ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଦ୍ୱିତୀୟ ଦିନିକିଆରେ ସେ ୨୯ ରନ୍ କରି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।
ତେବେ ବିସିସିଆଇ ଟିଭିରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ଆଲୋଚନା କରି ହୁଡ୍ଡା କହିଛନ୍ତି ଯେ, ସେ ପ୍ରଥମ ଦିନିକିଆରେ ପଦାର୍ପଣ କରିଥିଲେ । ଯାହା ତାଙ୍କ ପାଇଁ ଆକର୍ଷଣୀୟ ଥିଲା । ପ୍ରଥମ ଦିନିକିଆରେ କୋହଲିଙ୍କଠୁ କ୍ୟାପ୍ ମିଳିବା ହେଉଛି ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ । ସେ ବହୁତ ଦିନରୁ ଏହି ସମୟକୁ ଅନାଇ ବସିଥିଲେ ।
ଡ୍ରେସିଂ ରୁମ୍ ବାବଦରେ ହୁଡ୍ଡା କହିଛନ୍ତି ଯେ, ବିରାଟ କୋହଲି, ରାହୁଲ ଦ୍ରାବିଡ ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କ ସହ ଏକାଠି ରହିବା ଗର୍ବର କଥା । ଏହା ତାଙ୍କର ସୌଭାଗ୍ୟ । ଏପରି ଖେଳାଳିଙ୍କଠୁ ବହୁତ କିଛି ଶିଖିବାକୁ ମିଳେ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ. ଦ୍ୱିତୀୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩୭ ରନ୍ କରିଥିଲା । ଜବାବରେ ଓ୍ୱେଷ୍ଟ ଇଣ୍ଡିଜ ମାତ୍ର ୧୯୩ ରନରେ ଅଲଆଉଟ୍ ହୋଇ ଯାଇଥିଲା । ଭାରତ ଏହି ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲେ ବି ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟର ଦଳକୁ ସମ୍ମାନଜନକ ସ୍ଥିତିରେ ପହଁଚାଇଥିଲେ । ଦ୍ୱିତୀୟ ଇନିଂସରେ ବୋଲର ଜବରଦସ୍ତ ବୋଲିଂ କରି ଇଣ୍ଡିଜ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ରୋହିତ ସେନାଙ୍କ ନେତୃତ୍ୱରେ ମେନ୍ ଇନ୍ ବ୍ଲୁ ମ୍ୟାଚ୍ ଜିତିବା ସହ ସିରିଜ୍ ଉପରେ କବଜା କରିଥିଲା ।