ରାଜ୍ୟ

ଦାଦନଗଡ଼ ଚଳଚଞ୍ଚଳ: ଫିଟିଲାଣି ଗାଁ ଘରତାଟି, ହାଉଯାଉ ସର୍ଦ୍ଦାର, ଦଲାଲ୍‌

ଲାଙ୍ଗୀର ଜିଲ୍ଲାର ଦୁଇଟି ପ୍ରମୁଖ ବ୍ୟାବସାୟିକ ସହର ହେଉଛି ପାଟଣାଗଡ଼ ଓ କଣ୍ଟାବାଞ୍ଜି। ଉଭୟ ସହରର ଠିକ୍‌ ମଝି, ଅର୍ଥାତ ୨୦ କିଲୋମିଟର ଦୂର‌ରେ ବେଲପଡ଼ା ବ୍ଲକ୍‌। କିନ୍ତୁ ଏହି ବ୍ଲକ୍‌ରେ ଦ୍ରବ୍ୟ, ସାମଗ୍ରୀର ବେପାର ନୁହଁ, ବରଂ ମଣିଷ ବେପାର ଚାଲେ।

ଡୁଙ୍ଗୁରିପାଲିରୁ ଅଞ୍ଜନ ପ୍ରଧାନ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଦୁଇଟି ପ୍ରମୁଖ ବ୍ୟାବସାୟିକ ସହର ହେଉଛି ପାଟଣାଗଡ଼ ଓ କଣ୍ଟାବାଞ୍ଜି। ଉଭୟ ସହରର ଠିକ୍‌ ମଝି, ଅର୍ଥାତ ୨୦ କିଲୋମିଟର ଦୂର‌ରେ ବେଲପଡ଼ା ବ୍ଲକ୍‌। କିନ୍ତୁ ଏହି ବ୍ଲକ୍‌ରେ ଦ୍ରବ୍ୟ, ସାମଗ୍ରୀର ବେପାର ନୁହଁ, ବରଂ ମଣିଷ ବେପାର ଚାଲେ। ମଣିଷ ମୁଣ୍ଡର ମୂଲ୍‌ଚାଲ୍‌ ହୁଏ। ଜିଲ୍ଲା‌ର ଯେଉଁ ୬ଟି ବ୍ଲକ୍‌ ଦାଦନ ପ୍ରବଣ ଅଞ୍ଚଳ ସୂଚୀରେ ରହିଛି, ସେଥିରୁ ବେଲପଡ଼ା ବ୍ଲକ୍‌ ଅନ୍ୟତମ।

ଗତ ଫେବ୍ରୁଆରି ୫ ତାରିଖ। ବେଲପଡ଼ା ବ୍ଲକ୍‌ର ଦାଦନ ସ୍ଥିତି ପରଖିବାକୁ ‘ସମ୍ବାଦ’ ଟିମ୍‌ ପହଞ୍ଚିଥିଲା ବ୍ଲକ୍‌ ମୁଖ୍ୟାଳୟର ମାତ୍ର ୪ କିଲୋମିଟର୍‌ ଦୂରରେ ଥିବା ଡୁଙ୍ଗୁରିପାଲି ଗାଁ କଲୋନିପଡ଼ାରେ। ସେତେବେଳେ ପଡ଼ାର ଦୃଶ୍ୟ ଥିଲା ଅତି ଦୟନୀୟ। ଏଠାରେ ୩୦ ବର୍ଷ ଧରି ବସବାସ କରୁଛନ୍ତି ୨୦ଟି ପରିବାର। ଆମେ ସେତିକି ବେଳେ ଦେଖିଥିଲୁ ୧୫ଟି ଘରେ ତାଲା ଝୁଲୁଥିଲା। ଅବଶିଷ୍ଟ ଘର ଜଗିଥିଲେ ବୁଢ଼ାବୁଢ଼ୀ। କାରଣ ଗାଁର ସବୁ ପୁଅ, ବୋହୂ ଏବଂ ପିଲାଛୁଆ ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ। ଏବେ ‘ନୂଆଁଖାଇ’ ପାଇଁ ଘରକୁ ଫେରିବାର ବେଳା।

ଏବେ ପୁଣି ସ୍ଥିତି ପରଖିବାକୁ ଯାଇ ପହଞ୍ଚିଥିଲୁ ସେହି ଗାଁରେ। ଏଥର ସ୍ଥିତି ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଗାଁରେ ଥିଲା ଉତ୍ସବର ପରିବେଶ। ଘରର ତାଟି ଫିଟିଯାଇଛି। ଗାଁ ଦାଣ୍ଡରେ ଲାଗି ରହିଛି ଗହଳି। ଏକଦା କେବଳ ପାଚିଲା ବାଳର ଲୋକ ଦେଖାଯାଉଥିବା ଗାଁ ଦାଣ୍ଡରେ ଏବେ ପିଲାଙ୍କ ଖେଳକୁଦ ଦେଖିବାକୁ ମିଳିଛି। କିଏ ‘ନୂଆଁଖାଇ’ ପାଇଁ ଘର କାନ୍ଥରେ ଗୋବର ଲେପୁଛି, ଆଉ କିଏ ଭଙ୍ଗା ଛପର ସଳଖାଉଛି। ଗାଁରେ ଭୋଜିଭାତ ବି ଜମୁଛି। ଏସବୁ ଭିତରେ ଆଉ ଏକ ଚିତ୍ର ‌ଦେଖିବାକୁ ମିଳିଥିଲା। ଗାଁରେ ଦାଦନ ସର୍ଦ୍ଦାର ଏବଂ ଦଲାଲ ହାଉଜାଉ ହେଉଥିଲେ। ସମସ୍ତଙ୍କ ପକେଟ୍‌ରେ ବିଡ଼ା ବିଡ଼ା ନୋଟ୍‌। ଚାଲିଥିଲା ମୁଣ୍ଡର ମୂଲ୍‌ଚାଲ୍‌। ଭେଣ୍ଡିଆ ପିଲାଙ୍କୁ ୫୦ହଜାର ଟଙ୍କା ବଇନା (ଅଗ୍ରିମ) ବଣ୍ଟା ଚାଲିଥିଲା। ଏହା ସହିତ ମୁଣ୍ଡ ଅନୁସ‌ାରେ ଟ୍ରେନ୍‌ ଟିକଟ୍‌। ତାହା ପୁଣି ସ୍ଲିପର୍‌ ଶ୍ରେଣୀର। ଲୋକେ ଖୁସିରେ ତାକୁ ଗ୍ରହଣ କରି ଚାଲିଥିଲେ। ବଇନା ମିଳିବା ପରେ ଘରେ ଘରେ ଉତ୍ସାହ ଖେଳିଯାଉଥିଲା। ହାତରେ ଥିବା ବିଡ଼ା ଟଙ୍କାରେ କାହା ପାଇଁ କ’ଣ ଖରିଦ୍‌ ହେବ, ତାକୁ ନେଇ ହିସାବ ଚାଲିଥିଲା। 

ସୂଚନାଯୋଗ୍ୟ, ଚଳିତ ବର୍ଷ ବେଲପଡ଼ା ବ୍ଲକ୍‌ରେ ୪ଜଣ ଦାଦନ ଶ୍ରମିକ ଶବ ହୋଇ ଘରକୁ ଫେରିଛନ୍ତି। ନିର୍ଯାତନା ଘଟଣା ବାରମ୍ବାର ସାମନାକୁ ଆସୁଛି। ହେଲେ ଦାଦନ ସୁଅ ଥମୁନାହିଁ। ବେଲପଡ଼ା ବ୍ଲକ୍‌ର ପ୍ରତି ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ନୂଆଁଖାଇର ସପ୍ତାହେ ପରେ ଏଠାରୁ ହଜାର ହଜାର ଦାଦନ ବାହାର ରାଜ୍ୟକୁ ପୁଣି ପେଟ ପାଇଁ ଧାଇଁ ଯିବେ। ବାହାରେ ନିର୍ଯାତନା ମିଳୁ କି ମୃତ୍ୟୁ; ପେଟପୂରା ଖାଇବାକୁ ମିଳୁଛି ବୋଲି ତେଲେଙ୍ଗାନାରୁ ଫେରନ୍ତା ଜଣେ ଦାଦନ ଶ୍ରମିକ ନାମ ଗୋପନ ରଖି ପ୍ରତିକ୍ରିୟା ରଖିଛନ୍ତି। ତଥ୍ୟ ଅନୁସାରେ, ବେଲପଡ଼ା ବ୍ଲକ୍‌କୁ ମନ୍‌ରେଗା ଯୋଜନାରେ ଚଳିତ ଆର୍ଥିକ ବର୍ଷ ୩୯୧୮୮ ଜବ୍‌କାର୍ଡ ଜାରି ହୋଇଛି। କାମ ମିଳିଛି ୨୭୪୩୬ ଜଣଙ୍କୁ। କିନ୍ତୁ ପରିସଂଖ୍ୟାନ କହୁଛି, କେବଳ ବେଲପଡ଼ା ବ୍ଲକ୍‌ରୁ ୩୦ହଜାରରୁ ଅଧିକ ଦାଦନ ବାହାର ରାଜ୍ୟକୁ ଯାଉଛନ୍ତି। ସର୍ଦ୍ଦାର ଓ ଦଲାଲମାନେ ଗାଁ ଗାଁରେ ଛାଇ ଯାଇଥିବାବେଳେ ପ୍ରଶାସନ ଏବଂ ପୁଲିସ୍‌ ସମ୍ପୂର୍ଣ୍ଣ ନିରବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।