କଳା ଓ ସଂସ୍କୃତି ଧର୍ମ

ଦାଣ୍ଡ ପହଁରା ଓଷା

ଭାରତୀୟ ସଂସ୍କୃତିରେ ସୂର୍ଯ୍ୟପୁତ୍ର ଯମ ମୃତ୍ୟୁର ଦେବତା ଭାବରେ ପରିଚିତ। ମୃତ୍ୟୁ ପରେ ମନୁଷ୍ୟ ଯମାଳୟ ଗମନ କରେ। କିନ୍ତୁ ଯେଉଁ ବ୍ୟକ୍ତି ସତ୍ୟ, ଧର୍ମ ଓ ନ୍ୟାୟରେ ଥାଏ, ମୃତ୍ୟୁ ତା’ପାଇଁ ମୁକ୍ତିର ଦ୍ୱାର ଉନ୍ମୋଚନ କରିଥାଏ। ଏଣୁ ସତ୍ୟ, ଧର୍ମ ଓ ନ୍ୟାୟର ଦେବତା ହେଉଛନ୍ତି ଯମ। ସେଥିପାଇଁ ଏହି ମୃତ୍ୟୁ ଦେବତାଙ୍କର ଅନ୍ୟ ନାମ ଧର୍ମଦେବତା। ସେ ଧର୍ମର ଜାଗ୍ରତ ପ୍ରହରୀ। ଦୀର୍ଘ ଓ ଧାର୍ମିକ ଜୀବନ ବଞ୍ଚିବା ପାଇଁ ଏହି ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ପଡ଼ିଥାଏ। ତେଣୁ ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ, ଓଷାବ୍ରତ ଆଦି ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ଏହି ଓଷା ବାଟ ବା ଦାଣ୍ଡରେ ପାଳିତ ହେଉଥିବାରୁ, ଏପରି ନାମକରଣ ହୋଇଛି। ପଣ୍ଡୁପୂର୍ଣ୍ଣିମା ଯିବାର ତିନିଦିନ, ସାତଦିନ ବା ନଅଦିନରେ ଏହି ଓଷା ପଡ଼େ-
“ପଣ୍ଡୁପୂର୍ଣ୍ଣିମା ହେବ ଗତ। ତୃତୀୟ ନବମ ସପତ।।
ଏ ତିନି ଦିନଟି ପ୍ରଧାନ। ଓଷା କରିବାର ବିଧାନ।।

ଏହି ଓଷା ପାଳନ ଟିକିଏ କଠିନ। ନାରୀମାନେ ଦିନସାରା ଉପବାସ ରହି, ସ୍ୱାଦିଷ୍ଠ ପିଠାପଣା ସହିତ ଉଖୁଡ଼ା, କଦଳୀ, ଆଖୁ ଓ ମୂଳା ଆଦି ନୈବେଦ୍ୟ ରଖି, ଏକ ବଜ୍ରମୂଳି ଗଛରେ ତାହାକୁ ଘୋଡ଼ାଇ ତିନିମୁହାଣି ସ୍ଥାନକୁ ନେଇ ଯାଆନ୍ତି। ସେଠାରେ ଆଗରୁ ଏକ ଗାତ ଖୋଳି ତାହାର ଚାରି ପାଖକୁ ଲିପାପୋଛା କରାଯାଇ ଫୁଲରେ ସଜା ହୋଇଥାଏ। ସେହି ପନ୍ଥେଇକୁ ଚନ୍ଦନ, ସିନ୍ଦୂର ଓ ଧୂପ ଦେଇ ବଜ୍ରମୂଳି ଡାଳ ରଖି ପୂଜା କରାଯାଏ। ଓଷା ବହି ପଢ଼ାହୁଏ। ପୂଜା ସରିବା ପରେ ସେହି ତିନି ମୁହାଣି ଦାଣ୍ଡକୁ ବଜ୍ରମୂଳିରେ ଓଳାଯାଏ। ବ୍ରତକଥାରେ ଲେଖାଅଛି-
“ସର୍ବେ କହନ୍ତି ରୁଣ୍ଡ ହୋଇ। ଯମରାଜାଙ୍କ ଓଷା ଏହି।।
ଏଥି ସନ୍ତୋଷ ଜନ୍ତୁପତି। ଆନନ୍ଦେ ପୁତ୍ର ବର ଦ୍ୟନ୍ତି।”

ବ୍ରତକଥା ଅନୁସାରେ କୋଶଳ ଦେଶର ଅପୁତ୍ରକ ରାଣୀ ଏହି ଓଷା କରିବାରୁ ତାଙ୍କର ପୁତ୍ର ପ୍ରାପ୍ତି ହେଲା। ଅଥଚ ପୁତ୍ର ପ୍ରାପ୍ତି ପରେ ରାଣୀ ଏହି ଓଷା ନକରିବାରୁ ରାଣୀଙ୍କୁ ଦଣ୍ଡ ଦେବାପାଇଁ ଯମ ତାଙ୍କର ପୁତ୍ରକୁ ଅପହରଣ କରିନେଲେ। ରାଣୀ ନିଜର ଭୁଲ୍ ବୁଝିପାରି ପୁଣି ଓଷା କରିବାରୁ ନିଜ ପୁଅକୁ ଫେରିପାଇଲେ।

କେବଳ ପୁତ୍ର ପ୍ରାପ୍ତି ନୁହେଁ; ଏହି ଓଷା ନିଷ୍ଠାର ସହିତ କଲେ ନିର୍ଦ୍ଧନ ଧନବାନ ହୋଇ ସୁଖରେ କାଳାତିପାତ କରେ ବୋଲି ମଧ୍ୟ ବ୍ରତକଥାରେ ଉଲ୍ଲେଖ ଅଛି-
“ଏମନ୍ତ ଅଟେ ବାଟ ଓଷା। ଯେ କରେ ପାଲଟେ ତା ଦଶା।।
ଯମର ଜ୍ୱାଳା ନ ଲାଗଇ। ମହା ସୁଖରେ ଦିନ ଯାଇ।।

ଡକ୍ଟର ତୁଳସୀ ଓଝା

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ