ରାଜ୍ୟ

ଦସ୍ୟୁଙ୍କ କବ୍‌ଜାରେ ଶିମିଳିପାଳ

ବାରିପଦା/କଳାବାଡ଼ିଆ : ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ମୟୂରଭଞ୍ଜର ମୁକୁଟ କୁହାଯାଉଥିବା ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ବିଶାଳ ଅଭୟାରଣ୍ୟରୁ ନିୟମିତ ବ୍ୟବଧାନରେ ହାତୀ, ବାଘ, ହରିଣ, ବିଷଧର ସାପ, ସମ୍ବର, କୁଟୁରା, ବାର୍‌ହା, ବଜ୍ରକାପ୍ତା ଆଦି ବନ୍ୟଜନ୍ତୁଙ୍କ ମୁଣ୍ଡ ନେଉଛନ୍ତି ଶିକାରୀ। ଏନେଇ ବନ ବିଭାଗ ଟେର୍‌ ପାଉନାହିଁ ଅଥବା ବହୁ ବିଳମ୍ବରେ ଖବର ପାଉଛି। ଅବାଧ ଗଛକଟା ଓ ଶିକାର ଯୋଗୁ ବନ୍ୟଜନ୍ତୁଙ୍କ ସଂଖ୍ୟା ବହୁ ପରିମାଣରେ କମିଗଲାଣି। ଫଳରେ, ଏହି ଜୈବମଣ୍ଡଳ ସନ୍ତୁଳନ ହରାଉଛି ବୋଲି କହିଛନ୍ତି ପରିବେଶବିତ୍ ସଂଯୁକ୍ତା ବସା। ଶିମିଳିପାଳ ଉପରେ କେବଳ ମୟୂରଭଞ୍ଜ ନୁହେଁ, ରାଜ୍ୟ ତଥା ରାଜ୍ୟ ବାହାରର ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିସାରିଲାଣି ବୋଲି ଚେତାଇ ଦେଇଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ।

ଶ୍ରୀ ଆଚାର୍ଯ୍ୟଙ୍କ ଆଶଙ୍କାରେ ସତ୍ୟତା ରହିଛି। ଏହାର ପ୍ରଥମ ପ୍ରମାଣ ମିଳିଥିଲା ୧୯୯୯ ମସିହାରେ। ସେହିବର୍ଷ କପ୍ତିପଦା-ନୀଳଗିରି ରାସ୍ତାରେ କିଛି ମଣିପୁର ଶିକାରୀଙ୍କୁ ଧରିବା ସହ ସେମାନଙ୍କଠାରୁ ଦୁଇଟି ରାଇଫଲ୍‌ ଜବତ କରାଯାଇଥିଲା। ସେମାନେ କିଛି ସ୍ଥାନୀୟ ଶିକାରୀଙ୍କ ସହଯୋଗରେ ଶିମିଳିପାଳରୁ ହାତୀ ଶିକାର କରି ଦାନ୍ତ କାଟି ନେଉଥିଲେ। ମାସକ ତଳେ ସ୍ପେସାଲ୍‌ ସ୍କ୍ବାଡ୍‌ ପକ୍ଷରୁ ଝାରପୋଖରିଆ ଥାନା ଅଞ୍ଚଳ‌ର ଏକ ଢାବାରେ ଚଢ଼ଉ କରାଯାଇ ବାଘଛାଲ ଜବତ ହୋଇଥିଲା। ଏହି ମାମଲାରେ ୬ଜଣ ସ୍ଥାନୀୟ ଶିକାରୀ ଗିରଫ ହୋଇଥିଲେ ବି ବାଘଛାଲ ଡିଲ୍‌ ପାଇଁ ଆସିଥିବା ପଶ୍ଚିମବଙ୍ଗର ବେପାରୀମାନେ ଖସିଯାଇଥିଲେ। ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଚାଲାଣ କରୁଥିବା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର-ପୂର୍ବ ରାଜ୍ୟର ବେପାରୀମାନେ ହିଁ ମୟୂରଭଞ୍ଜର ଗରିବ ବନବାସୀଙ୍କୁ ଅର୍ଥ ଲୋଭ ଦେଖାଇ ଶିକାର କରିବାକୁ ପ୍ରରୋଚିତ କରୁଥିବା ଜଣାପଡ଼ିଛି। ନିଜ ଲକ୍ଷ୍ୟ ପୂରଣ ପାଇଁ ସେମାନେ ଶିକାରୀଙ୍କୁ ସହଜରେ ବନ୍ଧୁକ ଯୋଗାଇ ଦେଉଛନ୍ତି। କଲିକତା ଓ ଝାଡ଼ଖଣ୍ଡର ଟାଟା ଅଞ୍ଚଳରୁ କିଛି ବନ୍ଧୁକ ଆସିଥିବା ବେଳେ ବାକି ବନ୍ଧୁକ ସ୍ଥାନୀୟ କାରିଗରଙ୍କ ଦ୍ୱାରା ଜିଲ୍ଲା ଭିତରେ ହିଁ ତିଆରି ହେଉଛି।

Footsteps

ଏନେଇ ‘ସମ୍ବାଦ’ ପକ୍ଷରୁ ବନ ବିଭାଗର କିଛି ତଳିଆ କର୍ମଚାରୀଙ୍କ ସହ ଆଲୋଚନା କରାଯାଇଥିଲା। ଶିମିଳିପାଳରେ ପ୍ରବେଶ କରୁଥିବା ସବୁ ଶିକାରୀଙ୍କ ହାତରେ ଅଛି ଠୁସା ବନ୍ଧୁକ। ଏକଥା ସମସ୍ତେ ଜାଣିଥିଲେ ବି ନିରସ୍ତ୍ର ତଳିଆ କର୍ମଚ‌ାରୀଙ୍କୁ ସଶସ୍ତ୍ର ଶିକାରୀଙ୍କ ସାମ୍ନାକୁ ଠେଲି ଦେଉଛନ୍ତି। ଯଦିଓ ପୂର୍ବରୁ ଶିକାରୀମାନେ ବନ କର୍ମଚାରୀଙ୍କ ଉପରେ ଗୁଳି ଚଳାଉ ନଥି‌ଲେ, ହେଲେ ଏବେ ସେମାନେ ଆଉ ଆଗପଛ ବିଚାର କରୁନାହାନ୍ତି। ଶିମିଳିପାଳ ପାଦଦେଶରେ ଥିବା ଗାଁରେ ଘରେ ଘରେ ହାତ ତିଆରି ବନ୍ଧୁକ ଥିଲେ ବି ଏସ୍‌ଟିଆର, ଆର୍‌ସିଏଫ୍‌, ଉପରିସ୍ଥ ବନ ଅଧିକାରୀ ଓ ପୁଲିସ; ସମସ୍ତେ ନିରବ ରହୁଛନ୍ତି। ଏ ଦିଗରେ ତ୍ବରିତ ପଦକ୍ଷେପ ନନେଲେ ଶିକାରୀମାନେ ଶିମିଳିପାଳକୁ ବର୍ଷ କେଇଟା ମଧ୍ୟରେ ଉଜାଡ଼ି ଦେବେ ବୋଲି ସଂପୃକ୍ତ କର୍ମଚାରୀମାନେ ଆଶଙ୍କା ପ୍ରକଟ କରିଛନ୍ତି।

ସେହିପରି ବନ ବିଭାଗର ଜଣେ ଶୀର୍ଷ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା। ଶିମିଳିପାଳ ଭିତରେ ହିଁ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ଅଧିକ‌ାରୀ ଜଣକ ସନ୍ଦେହ କରିଥିଲେ। ସେ ବନ୍ଧୁକ ଚାଳନା ଶିଖାଇବା ପାଇଁ ମାଫିଆମାନେ ଝାଡ଼ଖଣ୍ଡ ଓ ବିହାରରୁ ଏକ୍ସପର୍ଟମାନଙ୍କୁ ଆଣୁଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳୁଥିବା ବେଳେ ଏହାର କେତେ ସତ୍ୟାସତ୍ୟ ରହିଛି, ସେନେଇ ଅନୁସନ୍ଧାନ ଚାଲିଛି ବୋଲି କହିଥିଲେ।

ତେବେ ଏହି ବରିଷ୍ଠ ଅଧିକାରୀଙ୍କ ସନ୍ଦେହ ସତ ହୋଇଥିଲେ ଏହା ଆଗକୁ ଭୟାନକ ସ୍ଥିତି ସୃଷ୍ଟି କରିବ। ତେଣୁ କାରବାରକୁ ରୋକିବା ଦିଗରେ ପୁଲିସ ଓ ବନ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଛନ୍ତି ଅବସରପ୍ରାପ୍ତ ବନ ଅଧିକାରୀ ଅଚ୍ୟୁତାନନ୍ଦ ମହାନ୍ତି ଓ ସନ୍ତୋଷ କୁମ‌ାର ଷଡଙ୍ଗୀ।

ଏ ସମ୍ପର୍କରେ ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନାନୀଙ୍କୁ ପଚରାଯାଇଥିଲା। ସେ କହିଲେ, ଆମେ ଶିମିଳିପାଳ ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛୁ। କେଉଁ ସୂତ୍ରରୁ ଦେଶୀ ବନ୍ଧୁକ ଆସୁଛି, ସେନେଇ ପୁଲିସ ସହଯୋଗରେ ଖୋଳତାଡ଼ ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।