ରାଜ୍ୟ

ତ୍ବମେବ ସର୍ବଂ ମମଦେବଦେବ: ରଥରେ ଖଞ୍ଜା ମଠର ନୀତି

ଶ୍ରୀମନ୍ଦିର ସହ ପୁରୀର ମଠ ସଂସ୍କୃତି ଓତପ୍ରୋତ ଭାବେ ଜଡ଼ିତ। ବିଭିନ୍ନ ନୀତି ସମ୍ପାଦନରେ ମଠମାନେ ପ୍ରମୁଖ ଭୂମିକା ନିର୍ବାହ କରନ୍ତି। ବିଶ୍ୱନିୟନ୍ତାଙ୍କ ରଥଯାତ୍ରାରେ ମଧ୍ୟ ମଠମାନଙ୍କର ନୀତି ରହିଛି।
ରାଘବଦାସ ମଠ ପକ୍ଷରୁ ଅଣସର ପିଣ୍ଡି ନିମନ୍ତେ କାଠର କନକମୁଣ୍ଡି ଓ ପ୍ରଭା ଯୋଗାଇ ଦିଆଯାଏ। ଅଣସର ବିଧି ସମୟରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପଣା ଓ ଚକଟା ଭୋଗ ଯୋଗାଇ ଦିଆଯାଏ। ଖଳିଲାଗି ଏକାଦଶୀ ଦିନ ଶ୍ରୀବିଗ୍ରହଙ୍କ ସର୍ବାଙ୍ଗ ଲାଗି ୭ କେଜି ଚନ୍ଦନକାଠ, କର୍ପୂର, କେଶର ଓ ଭିତର ପନ୍ତି ଭୋଗ ମଠ ତରଫରୁ ପ୍ରଦାନ କରାଯାଏ। ଶ୍ରୀଗୁଣ୍ଡିଚା ପୂର୍ବଦିନ ମଠ ତରଫରୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ପହଣ୍ଡିରେ ଆବଶ୍ୟକ ଦୁଇଟି ବିଜେ ତୁଳୀ ଓ ସେନାପଟା ଲାଗି ନୀତି ପାଇଁ ଶୁକ୍ଳ ସଜ ଯୋଗାଇ ଦିଆଯାଇଥାଏ। ରଥଯାତ୍ରା ଦିନ ମହାପ୍ରଭୁ ରଥକୁ ବିଜେ କରିବା ବେଳେ ଶ୍ରୀମନ୍ଦିର ସାତ ପାହାଚଠାରେ ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିବା ‘ଟାହିଆ’ ଏହି ମଠ ଯୋଗାଇ ଦିଅନ୍ତି।

ବାରଣାସୀସ୍ଥିତ ଶ୍ରୀବିଜୟକୃଷ୍ଣ ମଠ ତରଫରୁ ଜଟିଆ ବାବାଜୀ ମଠ ଜରିଆରେ ମହାପ୍ରଭୁଙ୍କ ପହଣ୍ଡି ନିମନ୍ତେ ବିଜେ ଡୋରି ରଥଯାତ୍ରା ପୂର୍ବରୁ ଯୋଗାଇବାର ବିଧି ରହିଛି। ବଡ଼ ଓଡ଼ିଆ ମଠ ରଥଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥାଆନ୍ତି। ସେହିଭଳି ଅଣସର ବିଧି ସମୟରେ ବଡ଼ ଓଡ଼ିଆ ମଠ ପକ୍ଷରୁ ଚକଟା ଭୋଗ ଆସିଥାଏ। ଅଣସର ପଞ୍ଚମୀରେ ଫୁଲୁରି ତେଲ ଲାଗି ପାଇଁ ଦୁଇଟି କୁଡ଼ୁଆରେ ୫ ସେର ରାଶି ତେଲ ଯୋଗାଇ ଦିଆଯାଇଥାଏ। ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥ ଉପରେ ପ୍ରସ୍ତୁତ ହେଉଥିବା ଅଧରପଣା ସାମଗ୍ରୀ ମଧ୍ୟ ଏହି ମଠ ତରଫରୁ ଯୋଗାଇ ଦିଆଯାଇଥାଏ। ମଠ ପକ୍ଷରୁ ରତ୍ନ ସିଂହାସନ ଉପରେ ବନ୍ଧା ହେବା ପାଇଁ ପ୍ରତିବର୍ଷ ନୂତନ ତ୍ରିମୁଣ୍ଡି ଚାନ୍ଦୁଆ ଓ ଚକା ଅପସର ନୀତି ପାଇଁ ପାଟ କନା ଯୋଗାଇ ଦିଆଯାଇଥାଏ। କନକମୁଣ୍ଡି ମରାମତି ଦାୟିତ୍ବ ଏହି ମଠ ଉପରେ ନ୍ୟସ୍ତ ରହିଛି। ନୀଳାଦ୍ରି ବିଜେ ଦିନ ମଠ ତରଫରୁ ରତ୍ନ ସିଂହାସନ ମାର୍ଜନା କରାଯିବା ସହ ନୀଳଚକ୍ରରେ ନୂଆ ଧ୍ବଜା ବନ୍ଧାଯାଏ।

ରଥଯାତ୍ରା ଦିନ ଶ୍ରୀମନ୍ଦିରର ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ଅଣାଯାଇ ଛାଉଣୀ ମଠର ବିଜେସ୍ଥଳୀରେ ରଖାଯାଏ। ଶ୍ରୀବିଗ୍ରହମାନେ ରଥାରୂଢ଼ ହେବା ପରେ ମସ୍ତକରେ ସୋଲ ଚିତା ଲଗାଯାଇଥାଏ।
ଏହା ବ୍ୟତୀତ ରଥଯାତ୍ରା ସମୟରେ ବିଭିନ୍ନ ମଠ ତରଫରୁ ଦ୍ରବ୍ୟ ଯୋଗାଣ, ପନ୍ତି ଭୋଗ, ମଠାଧୀଶମାନଙ୍କ ଉପଚାର ଚାମର ଓ ଆଲଟ ସେବା କରିବା ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ସ୍ବତ୍ବଲିପିର ୧୧୯ ନମ୍ବର ତାଲିକାରେ ଥିବା ବ୍ୟକ୍ତିଗତ ଓ ଆନୁଷ୍ଠାନିକ ସେବା ତଥା ଉପସ୍ବତ୍ବରେ ଉଲ୍ଲେଖ ରହିଛି। ରଥଯାତ୍ରାରେ ବିଭିନ୍ନ ମଠ ପକ୍ଷରୁ ମଠର ମହନ୍ତମାନେ ଚାମର ଓ ଆଲଟ ସେବା କରିବାର ଅଧିକାର ରହିଛି। ତେବେ ଅଧିକାଂଶ ମଠର ମଠାଧୀଶମାନେ ପୂର୍ବ ଭଳି ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ଆଡ଼ପ ବିଜେ ଓ ନୀଳାଦ୍ରି ବିଜେରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ସମୟରେ ଚାମର ଓ ଆଲଟ ସେବା କରୁନାହାନ୍ତି। ଅନ୍ୟ ପକ୍ଷରେ କେତେକ ମଠାଧୀଶ ପୂର୍ବ ପରମ୍ପରାକୁ ବଜାୟ ରଖି ରଥଯାତ୍ରା ସମୟରେ ସୁନାବେଣ୍ଟ ଚାମର, ଉପଚାର ସେବା, ଆଲଟ ସେବା, ରତ୍ନ ସିଂହାସନ ମାର୍ଜନା, ମାଳଚୂଳ ପଠାଇବା, ପନ୍ତି ଭୋଗ ଓ ଅନ୍ୟ ସେବା ସମ୍ପାଦନ କରି ଆସୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।