ନୂଆଦିଲ୍ଳୀ: ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ନେଇ ଅନେକ ସ୍ଥାନରେ ବିବାଦ ଦେଖା ଦେଇଛି। ସୁପ୍ରିମକୋର୍ଟଙ୍କ ପରେ ଗୁରୁବାର ଏହି ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ ମାଡ୍ରାସ ହାଇକୋର୍ଟ। ଏହା ପରେ ଫିଲ୍ମଟି ଶୁକ୍ରବାର ରିଲିଜ୍ ହୋଇଥିଲା। ରିଲିଜ୍ ପରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲେ ବି ଏହାକୁ ନେଇ ବିବାଦ ଏବେ ବି ଲାଗି ରହିଛି।
ଜାଣିବାକୁ ମିଳିଛି ଯେ ‘ଦି କେରଳ ଷ୍ଟୋରୀ’ର କ୍ରିୟୁ ସଦସ୍ୟଙ୍କୁ ଏହି ଫିଲ୍ମରେ କାର୍ଯ୍ୟ କରିଥିବା ହେତୁ ଧମକ ମିଳିଛି। ଜଣେ ଅଜଣା ବ୍ୟକ୍ତିଙ୍କ ନିକଟରୁ ଧମକ ଆସିବା କଥା ଫିଲ୍ମର ନିର୍ଦ୍ଦେଶକ ସୁଦିପ୍ତ ସେନ୍ କହିଛନ୍ତି।
ସେ ପୁଲିସ୍କୁ ସୂଚନା ଦେଇ କହିଛନ୍ତି ଯେ ଧମକ ଦେଇଥିବା ଅଜଣା ବ୍ୟକ୍ତି ଜଣକ ତାଙ୍କ ଟିମ୍ର ସଦସ୍ୟଙ୍କୁ ଏକୁଟିଆ ବାହାରକୁ ନବାହାରିବାକୁ ଧମକ ଦେଇଛି। ତେବେ ଅଜଣା ବ୍ୟକ୍ତି ଜଣକ ପଠାଇଥିବା ମେସେଜ୍ରେ ଏକଥା ବି ଉଲ୍ଲେଖ କରାଯାଇଛି ଯେ କ୍ରିୟୁ ସଦସ୍ୟ ଏପରି କାହାଣୀ ପ୍ରଦର୍ଶନ କରି କିଛି ଭଲ କରିନାହାନ୍ତି।
ତେବେ ପୂର୍ବରୁ ‘ଦି କେରଳ ଷ୍ଟୋରୀ’ ଟିମ୍ର ସଦସ୍ୟମାନଙ୍କୁ ପୁଲିସ୍ ସୁରକ୍ଷା ପ୍ରଦାନ କରିଥିଲା। ତେବେ ଏଯାଏ କହାବି ବିରୋଧରେ ପୁଲିସ୍ ଷ୍ଟେସନ୍ରେ କୌଣସି ଲିଖିତ ଅଭିଯୋଗ ଲେଖା ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ସୁଦୀପ୍ତ ସେନ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କେରଳ ଷ୍ଟୋର’କୁ ନେଇ ଗତ ସପ୍ତାହରୁ ବିବାଦ ଲାଗି ରହିଥିବା ବେଳେ ଆଇନ ଶୃଙ୍ଖଳା ସମସ୍ୟା ଏବଂ ଜନସାଧାରଣଙ୍କ ପ୍ରତିକ୍ରିୟା ଖରାପ ଥିବା ଦର୍ଶାଇ ତାମିଲନାଡୁର ମଲ୍ଟିପ୍ଲେକ୍ସଗୁଡ଼ିକରେ ରବିବାରଠାରୁ ଏହି ବିବାଦୀୟ ଚଳଚ୍ଚିତ୍ରର ପ୍ରଦର୍ଶନକୁ ବାତିଲ କରାଯାଇଛି।