ରାଜ୍ୟ ସ୍ପେଶାଲ ରିପୋର୍ଟ

ତିନି ମାସରେ ସମ୍ବଲପୁର ରାଡାର: ଭୁବନେଶ୍ବରରେ ପହଞ୍ଚିଲା ସି-ବ୍ୟାଣ୍ଡ୍‌ ଯନ୍ତ୍ରାଂଶ

ଭୁବନେଶ୍ବର: ଓଡ଼ିଶାରେ ପାଣିପାଗର ପୂର୍ବାନୁମାନକୁ ଅଧିକ ସୁଦୃଢ଼ କରିବାକୁ ସମ୍ବଲପୁର ଓ ବାଲେଶ୍ବରରେ ଆଉ ଦୁଇଟି ରାଡାର ପ୍ରତିଷ୍ଠା କରାଯିବ। ଏଦିଗରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପଦକ୍ଷେପ ନେଇଛି। ୨୦୨୪ ଭିତରେ ସମ୍ବଲପୁର ରାଡାର ଲଗାଇବା ଲକ୍ଷ୍ୟରେ କାମକୁ ଅଧିକ ତ୍ବରାନ୍ବିତ କରାଯାଇଛି। ସମ୍ବଲପୁରରେ ଲାଗିବାକୁ ଥିବା ସି-ବ୍ୟାଣ୍ଡ ଡପ୍ଲର ରାଡାରର ସମସ୍ତ ଯନ୍ତ୍ରାଂଶ ଇତିମଧ୍ୟରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପହଞ୍ଚିସାରିଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ୨ରୁ ୩ ମାସ ମଧ୍ୟରେ ସମ୍ବଲପୁର ରାଡାର କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। ଏହି ରାଡାର ବସିବା ଦ୍ୱାରା ସମ୍ବଲପୁର ସମେତ ଏହାର ଆଖପାଖ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାର ଲୋକେ ଉପକୃତ ହୋଇପାରିବ। ପ୍ରାକୃତିକ ବିପର୍ଯ୍ୟୟ ଯଥା‌ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ପର୍କରେ ଲୋକଙ୍କୁ ୩ ଘଣ୍ଟା ପୂର୍ବରୁ ସଠିକ୍‌ ସୂଚନା ମିଳିପାରିବ। ସେହି ଅନୁଯାୟୀ ଲୋକେ ମଧ୍ୟ ମୁକାବିଲା କରିବାକୁ ପ୍ରସ୍ତୁତ ହେବେ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ‌ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ଏବେ ପାରାଦୀପ ଓ ଗୋପାଳପୁରରେ ଏସ୍‌-ବ୍ୟାଣ୍ଡ୍‌ର ଦୁଇଟି ଡପ୍ଲର ରାଡାର ରହିଛି। ଏହା ମାଧ୍ୟମରେ ୫୦୦ କିମି ପର୍ଯ୍ୟନ୍ତ ଅଞ୍ଚଳର ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇପାରୁଛି। ତେବେ ସମ୍ବଲପୁର ସମେତ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର ପରି କେତେକ ଅଞ୍ଚଳକୁ କଭର୍‌ କରାଯାଇପାରୁ ନାହିଁ। ଏହି ଅଞ୍ଚଳର ପାଣିପାଗ ସମ୍ପର୍କରେ ଆଗୁଆ ଆକଳନ କରିବାକୁ ରାଡାର ପ୍ରତିଷ୍ଠା ହେଉଛି। ସି-ବ୍ୟାଣ୍ଡ୍‌ର ଏହି ରାଡାର ଦ୍ବାରା ୨୦୦ କିମି ପର୍ଯ୍ୟନ୍ତ ଅଞ୍ଚଳର ପାଣିପାଗ ସ୍ଥିତି ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ପୂର୍ବାନୁମାନ କରାଯାଇପାରିବ। ସି-ବ୍ୟାଣ୍ଡ୍‌ ଦ୍ବାରା ପାଣିପାଗ ଆକଳନର କ୍ଲାରିଟି ଆସିପାରିବ। ପଶ୍ଚିମ ଓଡ଼ିଶାର କାଳବୈଶାଖୀ, ପଶ୍ଚିମାଝଡ଼, କୁଆପଥର, ମୌସୁମୀ ସମୟରେ ପ୍ରବଳ ବର୍ଷା ଆଦି ସମ୍ପର୍କରେ ଆଗୁଆ ଜଣାଇ ଦିଆଯିବ। ଏହା ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ ଭାବେ ସାରା ଦେଶରେ ପରିଚୟ ଲାଭ କରିଛି। ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ନିୟମିତ ଭାବେ ବାତ୍ୟାକୁ ଅଳ୍ପେ ବହୁତେ ସମ୍ମୁଖୀନ ହୋଇ ସାରିଲାଣି। ପ୍ରଭାବରେ ଅନେକ ଧନଜୀବନ ଉଜୁଡ଼ି ଯାଇଥିବା ବେଳେ ରାଜ୍ୟ ଅର୍ଥନୀତି ମଧ୍ୟ ବହୁଳ ଭାବେ ପ୍ରଭାବିତ ହେଉଛି। ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ କେନ୍ଦ୍ର ସରକାର ଓଡ଼ିଶାରେ ଅତ୍ୟାଧୁନିକ ଡପ୍‌ଲାର ରାଡାର୍‌ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ତାଲିକାରେ ଗୋପାଳପୁର, ପାରାଦୀପ, ସମ୍ବଲପୁର ଓ ବାଲେଶ୍ବର ରହିଥିଲା। ଓଡ଼ିଶାମୁହାଁ ଯେତିକି ବାତ୍ୟା ଆସୁଛି, ପ୍ରାୟତଃ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାର ପ୍ରଭାବ ଅଧିକ ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହେଉଛି। ବିଶେଷ କରି ସାମୁଦ୍ରିକ ଝଡ଼ବାତ୍ୟା, ବଜ୍ରପାତ, ଲଘୁଚାପ ବର୍ଷା, ପବନର ବେଗ ଆଦି ସଂପର୍କରେ ଆଗୁଆ ସଠିକ ସୂଚନା ଦେବାରେ ଡପ୍‌ଲାର ରାଡାରର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହୁଥିବାରୁ ପାରାଦୀପ ଓ ଗୋପାଳପୁରଠାରେ ପ୍ରାଥମିକ ପର୍ଯ୍ୟାୟରେ ଏହି ରାଡାର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିଲା। ସେହି ଅନୁଯାୟୀ ପଦକ୍ଷେପ ନିଆଯିବା ସହ ପର୍ଯ୍ୟାୟକ୍ରମେ ଦୁଇଟି ଯାକ ରାଡାର ପ୍ରତିଷ୍ଠା ସହ କାର୍ଯ୍ୟକ୍ଷମ ହୋଇସାରିଛି। ତେବେ ସମ୍ବଲପୁର ଓ ବା‌ଲେଶ୍ବର ରାଡାର ପ୍ରତିଷ୍ଠାରେ ବିଳମ୍ବ ହେଉଥିଲା। ୨୦୨୩ ସୁଦ୍ଧା ରାଡାର କାର୍ଯ୍ୟକ୍ଷମ କରିବାକୁ ୨୦୨୧ରେ ଆଇଏମ୍‌ଡି ଯୋଜନା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନ ଥିଲା। ଏବେ ତାହାକୁ ଅଧିକ ତ୍ବରାନ୍ବିତ କରାଯିବା ଦ୍ବାରା ଓଡ଼ିଶାବାସୀ ଉପକୃତ ହୋଇପାରିବେ। ଗତ ମାସରେ ଓଡ଼ିଶା ଗସ୍ତ ସମୟରେ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏସମ୍ପର୍କରେ ସୂଚନା ଦେବା ସହ ୨୦୨୪ ସୁଦ୍ଧା ସମ୍ବଲପୁର ଓ ୨୦୨୫ ପ୍ରଥମାର୍ଦ୍ଧରେ ବାଲେଶ୍ବର ରାଡାର କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।