ମୁମ୍ବାଇ ୩୦/୧୦: କମେଡ଼ି ଧାରାବାହିକ ‘ତାରକ ମେହତା କା ଉଲଟା ଚଶମା’ରେ ଗୋଗି ଭୂମିକାରେ ଅଭିନୟ କରୁଥିବା ସମୟ ଶାହ ମୁମ୍ବାଇର ବୋରିବଲି ପୋଲିସ୍ ଷ୍ଟେସନରେ କିଛି ଯୁବକଙ୍କ ବିରୋଧରେ ତାଙ୍କୁ ଧମକାଇବାର ମାମଲା ରୁଜୁ କରିଛନ୍ତି।
ସମୟ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ କିଛି ଦିନ ତଳେ ସୁଟିଂରୁ ଫେରିବା ସମୟରେ ତାଙ୍କ ସୋସାଇଟି ବାହାରେ କିଛି ଯୁବକ ତାଙ୍କୁ ରୋକିଥିଲେ ଏବଂ ଅଶ୍ଳୀଳ ଗାଳି ଦେଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ସମୟ ତୁରନ୍ତ ସ୍ଥାନୀୟ ପୋଲିସ୍ ଷ୍ଟେସନକୁ ଫୋନ୍ କରି ଏହାର ସୂଚନା ଦେଇଥିଲେ। ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ଯିବା ସମୟରେ ସେମାନେ ସମୟଙ୍କୁ ଦେଖି ନେବେ କହି ଧମକ ଦେଇ ଯାଇଥିଲେ।
ସମୟଙ୍କ ଅଭିଯୋଗ ଅନୁସାରେ ଏହି ଘଟଣା ପରେ ଲଗାତାର ଅଲଗା ଅଲଗା ଲୋକ ତାଙ୍କ ସୋସାଇଟିର ବାହାରେ ଆସି ତାଙ୍କ ବିଷୟରେ ପଚରାଉଚୁରା କରୁଛନ୍ତି। ବିପଦ ଆଶଙ୍କାରେ ସେ ଏହି ମାମଲା ରୁଜୁ କରିଛନ୍ତି। ତାଙ୍କୁ ଧମକ ଦେଇଥିବା ଲୋକଙ୍କୁ ସେ ଚିହ୍ନନ୍ତି ନାହିଁ କିନ୍ତୁ ତାଙ୍କ ଫଟୋ ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ପୋଲିସ୍ ଏହି ଭିଡିଓ ଫୁଟେଜ ଆଧାରରେ ତଦନ୍ତ ଆଗକୁ ବଢ଼ାଉଛନ୍ତି।

