ରାଜ୍ୟ ସ୍ପେଶାଲ ରିପୋର୍ଟ

ଡେଲାଙ୍ଗରୁ ମିଳିଲା ଭଗ୍ନ ମନ୍ଦିର ଅବଶେଷ: ୧୨୦୦ ବର୍ଷର ଭଗ୍ନ ଜୈନ ମୂର୍ତ୍ତି ଉଦ୍ଧାର

ପୁରୀ : ଡେଲାଙ୍ଗ ଅଞ୍ଚଳରେ ଜୈନ ମନ୍ଦିରର ସନ୍ଧାନ ମିଳିଛି। ଦାରୁଅ ନୂଆପାଟଣା ଗ୍ରାମ ନିକଟସ୍ଥ ଜଗତି ମୁଣ୍ଡିଆ ପାଦଦେଶରେ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣରୁ ପ୍ରାଚୀନ ଜୈନ ମନ୍ଦିରର ଭଗ୍ନାବଶେଷ ମିଳିଛି। ଏକ ଭଗ୍ନ ଜୈନ ମୂର୍ତ୍ତିର ମଧ୍ୟ ସନ୍ଧାନ ମିଳିଛି। ଏହି ମୂର୍ତ୍ତିରେ ପଦ୍ମଫୁଲର ସାଙ୍କେତିକ ଚିହ୍ନ ରହିଛି। ମୂର୍ତ୍ତିଟି କାୟସ୍ତ ସ୍ବର୍ଗ ଭଙ୍ଗୀରେ ନିର୍ମିତ ହୋଇଛି। ନିର୍ମାଣ ଶୈଳୀକୁ ଅନୁଧ୍ୟାନ ପରେ ଏହା ଅଷ୍ଟମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି।

ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗର ଅଧ୍ୟାପକ ଡ. ଅନାମ ବେହେରାଙ୍କ ନେତୃତ୍ବରେ ଗବେଷକ ଅମିତ କୁମାର ପ୍ରଧାନ, ଛାତ୍ର ଶକ୍ତିପ୍ରସାଦ ମିଶ୍ର ଓ ସତ୍ୟବ୍ରତ ବେହେରାଙ୍କୁ ନେଇ ହୋଇଥିବା ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣରୁ ଏହି ଜୈନ ମନ୍ଦିର ଓ ପ୍ରାଚୀନ ମୂର୍ତ୍ତିର ସନ୍ଧାନ ମିଳିଛି। ମୂର୍ତ୍ତି ନିକଟରୁ ମନ୍ଦିରର ଭଗ୍ନାବଶେଷ ତଥା ପଥର ଖଣ୍ଡମାନ ଉଦ୍ଧାର କରାଯାଇଛି। ସମ୍ଭବତଃ ସେଠାରେ ୧୨୦୦ ବର୍ଷ ପୂର୍ବେ ଏକ ଜୈନ ମନ୍ଦିର ଥିବା ଅନୁମାନ କରାଯାଉଛି।

ଡ. ବେହେରାଙ୍କ ତଥ୍ୟ ମୁତାବକ, କୋରାପୁଟର ସୁବେଇ ଅଞ୍ଚଳରେ ଅନେକ ଜୈନ ମନ୍ଦିର ଥିବା ଦେଖାଯାଏ। ତେବେ ଡେଲାଙ୍ଗ ଅଞ୍ଚଳରୁ ମିଳିଥିବା ଏହି ଜୈନ ମୂର୍ତ୍ତି ଓ ମନ୍ଦିରର ଭଗ୍ନାବଶେଷ ଦର୍ଶାଇଛି ଯେ ଉପକୂଳ ଓଡ଼ିଶାରେ ମଧ୍ୟ ଜୈନ ମନ୍ଦିର ରହିଥିଲା। ଏହାବ୍ୟତୀତ ଜଗତିମୁଣ୍ଡିଆ ଶୀର୍ଷରୁ ଏକ ଛୋଟ ମାଟି ନିର୍ମିତ ବୌଦ୍ଧ ଧର୍ମର ତାରା ମୂର୍ତ୍ତି ମଧ୍ୟ ଚିହ୍ନଟ କରାଯାଇଛି। ସେଥିରେ ଅଷ୍ଟମ ଶତାବ୍ଦୀର ନାଗରୀ ଲିପି ରହିଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା, ମହିଶୁର ଶିଳାଲେଖ ବିଭାଗର ପୂର୍ବତନ ମୁଖ୍ୟ ନିର୍ଦ୍ଦେଶକ ଡଟିଇ ରବିଶଙ୍କର ଏହି ଲିପିକୁ ଚିହ୍ନଟ କରିଛନ୍ତି।

ଡ. ବେହେରା କହିଛନ୍ତି ମାଦଳାପାଞ୍ଜି ଅନୁସରଣରେ ଓ ଜନଶ୍ରୁତି ଅନୁସାରେ ପାହାଡ଼ର ପାଦଦେଶରେ ଗଙ୍ଗବଂଶର ଚତୁର୍ଥ ରାଜା ମଦନ ମହାଦେବଙ୍କର ସହଜପାରୀ କଟକ ନାମରେ ଏକ ଦୁର୍ଗ ଥିଲା। ଜଗତିମୁଣ୍ଡିଆ ନିକଟରେ ରାଜାଙ୍କ ପାର୍ଷଦମାନଙ୍କର କକ୍ଷ ରହିଥିଲା। ଏ ଅଞ୍ଚଳଟି ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଥିବାରୁ ଏହା ମଧ୍ୟକୁ ପ୍ରବେଶ କରିବା କଷ୍ଟସାଧ୍ୟ ଥିଲା। ନିକଟରେ ଜଙ୍ଗଲକୁ ସଫା କରି କାଜୁ ଜଙ୍ଗଲ ସୃଷ୍ଟି ହୋଇଛି। ଜଗତମୁଣ୍ଡିଆ ପାଦଦେଶ ସଂଲଗ୍ନ ରାଜପଥ ନିକଟରୁ ମଧ୍ୟ ଭଙ୍ଗା ଖପରାମାନ ମିଳିଛି। ପ୍ରାଚୀନ ସମୟରୁ ମଣିଷ ବ୍ୟବହାର କରୁଥିବା ବହୁ ଜିନିଷର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇ ଏହାର କାଳ ନିର୍ଦ୍ଧାରଣ କରାଯାଇଛି। ଏହି ସ୍ଥାନରେ ଏକ ବିଶାଳ ଜନବସତି ଥିବା ଏଥିରୁ ଅନୁମାନ କରାଯାଉଛି। ଅଞ୍ଚଳଟି ଚିଲିକା ହ୍ରଦ ଓ ଧଉଳି ଶିଶୁପାଳଗଡ଼ ମଧ୍ୟରେ ଦୟାନଦୀ କୂଳରେ ରହିଥିବାରୁ ଏହି ସ୍ଥାନର ଯଥେଷ୍ଟ ଗୁରୁତ୍ବ ରହିଛି। ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ପରେ ବହୁ ଅନାଲୋଚ୍ୟ କଥା ଲୋକଲୋଚନକୁ ଆସିଛି। ଅଧିକ ଗବେଷଣାମୂଳକ ଅନୁସନ୍ଧନା କଲେ ଆହୁରି ନୂଆ ଦିଗ ଉନ୍ମୋଚିତ ହେବା ସହିତ ଓଡ଼ିଶା ଇତିହାସରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଡ଼ା ଯାଇପାରିବ ବୋଲି ଡ. ବେହେରା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।