ନୂଆଦିଲ୍ଲୀ ୧୮/୧୧ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୦) ୧୩ତମ ସିଜନ୍ ନଭେମ୍ବର ୧୦ ତାରିଖରେ ସମାପ୍ତ ହୋଇଛି। ମୁମ୍ବାଇ ଇଂଡିଆନ୍ସ ଦୁବାଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ହରାଇ ପଞ୍ଚମଥର ପାଇଁ ଆଇପିଏଲ୍ ଜିତିଛି। ୨୦୨୦ ଆଇପିଏଲରେ ଅନେକ ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଦେବଦତ୍ତ ପଡିକ୍କଲ୍, ଇଶାନ୍ କିଷନ, ରାହୁଲ ତେୱତିୟା ଓ ଶୁଭମନ ଗିଲ ଚମତ୍କାର ବ୍ୟାଟିଂ କରିଛନ୍ତି। ରାଜସ୍ଥାନର ଯୁବ ଖେଳାଳି ତଥା ସ୍ପିଡ଼ ବୋଲର୍ କାର୍ତ୍ତିକ ତ୍ୟାଗୀ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦ ବର୍ଷୀୟ ତ୍ୟାଗୀ ୧୦ଟି ମ୍ୟାଚରେ ୯ଟି ୱିକେଟ ନେଇଛନ୍ତି।
ଭାରତର ପୂର୍ବତନ ସ୍ପିଡ୍ ବୋଲର୍ ଅଜିତ ଅଗରକରଙ୍କୁ ପଚରାଯାଇଥିଲା ଯେ କେଉଁ ଖେଳାଳି ଖୁବ ଶୀଘ୍ର ଭାରତୀୟ ଟିମରେ ସାମିଲ ହୋଇପାରିବେ। ସେ ତୁରନ୍ତ ଜବାବ ଦେଇଥିଲେ କାର୍ତ୍ତିକ ତ୍ୟାଗୀ। ସେ କହିଛନ୍ତି, ‘ମୋତେ କାର୍ତ୍ତିକଙ୍କ ଖେଳ ବହୁତ ପସନ୍ଦ ଆସିଛି। ସେ ଅନୁଭଵହୀନ ଯୁବ ଖେଳାଳି, କିନ୍ତୁ ତାଙ୍କ ଭିତରେ କିଛି ଖାସ ଗୁଣ ରହିଛି। ତାଙ୍କ ପାଖରେ ଆକର୍ଷଣୀୟ ମନୋଭାବ ରହିଛି। ଆଇପିଏଲରେ ଖେଳି ଅନୁଭବ ଓ ଦକ୍ଷତା ହାସଲ କରିବା କୌଣସି ଯୁବ ବୋଲରଙ୍କ ପାଇଁ ସମ୍ଭବ ହୋଇନଥାଏ। ଆଗକୁ ବିଭିନ୍ନ ଟି-୨୦ ମ୍ୟାଚ୍ ଜରିଆରେ ସେ ଆହୁରି ଦକ୍ଷତା ହାସଲ କରିବେ ବୋଲି ମୁଁ ଆଶା କରୁଛି।’
ଅଜିତ ଅଗରକର ପୂର୍ବରୁ କୋଲକାତା ନାଇଟ୍ ରାଇଡ଼ର୍ସ ପାଇଁ ଖେଳି ସାରିଛନ୍ତି। ତେବେ କୋଲକାତା ନାଇଟ୍ ରାଇଡ଼ର୍ସରେ କିଛି ଜିନିଷ ଠିକ ନାହିଁ ବୋଲି ସେ କହିଛନ୍ତି।
ଷ୍ଟାର୍ ସ୍ପୋର୍ଟ୍ସର ଏକ ଶୋ’ରେ ସେ କହିଛନ୍ତି, ‘ମୋତେ ଲାଗୁଚି କିଛି ଟିମକୁ ନିଜର ନବୀକରଣ କରିବାକୁ ପଡିବ। ସିଏସକେକୁ ମଧ୍ୟ ପୁନର୍ଗଠନ ଆବଶ୍ୟକ। କିନ୍ତୁ ମୋତେ ଲାଗୁଛି କେକେଆର ଭଲ ପ୍ରଦର୍ଶନ କରୁଛି। କେକେଆର ଟିମରେ ଅନେକ ମ୍ୟାଚ ୱିନର ଅଛନ୍ତି। ସେ ଆହୁରି ଭଲ ପ୍ରଦର୍ଶନ କରିପାରିବେ। ଏହି ସିଜନରେ ମଧ୍ୟ କେକେଆରର ସ୍ଥିତି ଭଲ ଥିଲା। କିନ୍ତୁ ମଝିରେ କ୍ୟାପଟେନ ବଦଳାଇ ଦିଆଯାଇଥିଲା। ଯାହାଫଳରେ ଟିମର ମନୋବଳ ଉପରେ ପ୍ରଭାବ ପଡିଥିଲା।’