କୋରାପୁଟ : ବହୁ ବର୍ଷ ହେଲା କୋରାପୁଟ ଜିଲ୍ଲାରେ ମାରାତ୍ମକ ଆନ୍ଥ୍ରାକ୍ସର ଚିହ୍ନବର୍ଣ୍ଣ ନଥିଲା। ହଠାତ୍ କାହିଁକି ଚଳିତ ବର୍ଷ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଲେ ତାହାର କାରଣ ଖୋଜିବା ବେଳକୁ ସାଂଘାତିକ ଅବହେଳା ସାମ୍ନାକୁ ଆସିଛି। ଭୁବନେଶ୍ବରୁ ଆସିଥିବା ଆରଏମ୍ଆରସି ଟିମ୍ ଗାଈଗୋରୁଙ୍କ ଟିକାକରଣ ହୋଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ଦେଇଛି।
ଦଶମନ୍ତପୁର ବ୍ଲକ୍ରେ ପରିସ୍ଥିତି ବିଗିଡ଼ିବା ପୂର୍ବରୁ ନିୟନ୍ତ୍ରଣାଧୀନ କରିବାକୁ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ତେଣୁ ବାସ୍ତବ ସ୍ଥିତି ପରଖିବାକୁ ଆଞ୍ଚଳିକ ସ୍ବାସ୍ଥ୍ୟ ଅନୁସନ୍ଧାନ କେନ୍ଦ୍ର (ଆରଏମ୍ଆରସି)ର ବିଶେଷଜ୍ଞ ଡାକ୍ତର ଦେବପ୍ରସାଦ ପରାଇ, ଡାକ୍ତର ହରିରାମ ଚୌଧୁରୀ, ଡାକ୍ତର ପି.କେ ସାମଲ ଓ ଡାକ୍ତର ସୁନୀତା ଜେନା ପ୍ରମୁଖ ଗତକାଲି ଦଶମନ୍ତପୁରରେ ପହଞ୍ଚିଥିଲେ। ଏହି ଟିମ୍ ମୁଖ୍ୟତଃ ଆନ୍ଥ୍ରାକ୍ସ ବ୍ୟାପିବା ପଛର କାରଣ ଅନୁସନ୍ଧାନ କରିଥିଲା। ଗୋରୁମାଂସ ଭକ୍ଷଣ ଯୋଗୁ ଯଦିଓ ଲୋକେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ଗାଈଗୋରୁଙ୍କ ଟିକାକରଣ ଠିକ୍ ରୂପେ ହୋଇନଥିବା ମଧ୍ୟ ଜାଣିବାକୁ ପାଇଥିଲା। ସେହିପରି ଆଜି ଟିମ୍ ପଟାଙ୍ଗି ବ୍ଲକ୍ର କୁନ୍ଦୁଲି ଯାଇ ସେଠାରୁ ଭୁବନେଶ୍ବର ଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ପ୍ରାଣୀଧନ ବିଭାଗ ପକ୍ଷରୁ ନିୟମିତ ଭାବେ ଗୋରୁଙ୍କ ଟିକାକରଣ ହେଉନଥିବା ଅଭିଯୋଗ ହୋଇଛି।