ରାଜ୍ୟ ସ୍ପେଶାଲ ରିପୋର୍ଟ

ଟାଉନ୍‌ ବସ୍‌ରେ ଲାଗିଲାନି ରେଟ୍‌ ଚାର୍ଟ: ପର୍ଯ୍ୟଟକଙ୍କଠାରୁ ଆଦାୟ ହେଉଛି ମନଇଚ୍ଛା ଭଡ଼ା

ପୁରୀ: ଟାଉନ ବସ୍‌ରେ ଲାଗିବ ରେଟ୍‌ ଚାର୍ଟ। ନିର୍ଦ୍ଧାରିତ ଦର ଦେଇ ଯାତ୍ରା କରିବେ ଯାତ୍ରୀ। ଭକ୍ତ, ପର୍ଯ୍ୟଟକ ଓ ଯାତ୍ରୀ ଯେପରି ସହର ମଧ୍ୟରେ ଯାତାୟାତରେ ଶୋଷଣର ଶିକାର ନହେବେ ସେନେଇ ସ୍ବତନ୍ତ୍ର ଟାଉନ୍‌ ବସ୍‌ ଦର ତାଲିକା ପ୍ରକାଶ ପାଇଥିଲା। ଦର ତାଲିକା ଗାଡ଼ିରେ ଲଗାଇବା ସହ ନିର୍ଦ୍ଦ୍ଧାରିତ ଦର ଅସୁଲ କରିବା ପାଇଁ ଆଞ୍ଚଳିକ ପରିବହନ ଦପ୍ତର ନିର୍ଦ୍ଦେଶ ଦେଇଥିଲା। ମାତ୍ର ଦିନ କେଇଟା ପରେ ସ୍ଥିତି ଯଥା ପୂର୍ବଂ ତଥା ପର। ପର୍ଯ୍ୟଟନ ଋତୁ ଆରମ୍ଭ ପରେ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକ ଓ ଭକ୍ତଙ୍କ ବିପୁଳ ଆଗମନ ହେଉଛି। ସହର ମଧ୍ୟରେ ଯାତାୟାତ ପାଇଁ ଟାଉନ ବସ୍‌ଠୁ ନେଇ ଅଟୋ ହିଁ ଏକମାତ୍ର ବିକଳ୍ପ। ମାତ୍ର ନିର୍ଦ୍ଧାରିତ ଦର ତାଲିକା ଲଗାଯାଉନଥିବାରୁ ଯାତ୍ରୀ ପୂର୍ବ ଭଳି ଆର୍ଥିକ ଶୋଷଣର ଶିକାର ହେଉଛନ୍ତି।

ପର୍ଯ୍ୟଟନ ଓ ଐତିହ୍ୟର ସହର ପୁରୀକୁ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନ ହୁଏ। ପୁରୀ ସହରର ଅର୍ଥନୀତିରେ ପର୍ଯ୍ୟଟକଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକମାନେ ଯେପରି ମଧୁର ଅନୁଭୂତି ନେଇ ପୁରୀରୁ ଫେରିବେ ଓ ଠକାମିରେ ପଡ଼ିବେ ନାହିଁ ସେ ଦୃଷ୍ଟିରୁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଟାଉନ ବସ୍‌ରେ ଯାତାୟାତ ପାଇଁ ସ୍ବତନ୍ତ୍ର ଦର ତାଲିକା ପ୍ରକାଶ ପାଇଥିଲା। ଟାଉନ ବସ୍‌ କର୍ମକର୍ତ୍ତାଙ୍କ ସହ ଆଲୋଚନା ପୂର୍ବକ ସ୍ଥିରୀକୃତ ତାଲିକା ବସ୍‌ରେ ମାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୌରାଞ୍ଚଳ ମଧ୍ୟରେ ଯାତାୟାତ କରୁଥିବା ୩୪ଟି ଟାଉନ ବସ୍‌ ଦର ତାଲିକା ନିଜ ଗାଡ଼ିରେ ଲଗାଇବାକୁ ଆର୍‌ଟିଓ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ମାସଟିଏ ମଧ୍ୟ ଏହି ଦର ତାଲିକାକୁ ଅନୁକରଣ କରାଗଲା ନାହିଁ।

ବିଶେଷକରି ବସଷ୍ଟାଣ୍ଡ୍‌ରୁ ଜଗନ୍ନାଥ ବଲ୍ଲଭ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ମରିଚିକୋଟ ପାଇଁ ନିର୍ଦ୍ଧାରିତ ଭଡ଼ା ୫ଟଙ୍କା ରହିଥିଲେ ହେଁ ଏଥିପାଇଁ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ସେହିଭଳି ମରିଚିକୋଟରୁ ଷ୍ଟେସନ୍‌, ମରିଚିକୋଟରୁ ବିଏନ୍‌ଆର୍‌ ହୋଟେଲ୍‌, ମରିଚିକୋଟରୁ ସମୁଦ୍ରକୂଳ, ସ୍ବର୍ଗଦ୍ବାର, ବଳିଆପଣ୍ଡା, ଲୋକନାଥ ରୋଡ୍‌, ମାଳତୀପାଟପୁରରୁ ବସଷ୍ଟାଣ୍ଡ୍‌ ପର୍ଯ୍ୟନ୍ତ ଦର ୧୦ରୁ ୧୫ ଟଙ୍କା ମଧ୍ୟରେ ସୀମିତ ରଖାଯାଇଥିଲେ ହେଁ ଏଥିପାଇଁ ୨୦ ଟଙ୍କା ଲେଖାଏଁ ଆଦାୟ ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଟାଉନ୍‌ ବସ୍‌ର ନିର୍ଦ୍ଦିଷ୍ଟ ଷ୍ଟାଣ୍ଡ ନାହିଁ। ତେଣୁ କେଉଁଠାରେ ବି ଟାଉନ୍‌ ବସ୍‌ରେ ଯାତାୟାତ ଲାଗି ରେଟ୍‌ ଚାର୍ଟ ଲଗାଯାଇ ନାହିଁ କି ଯାତ୍ରୀମାନେ ଯାତାୟାତ କରୁଥିବା ଗନ୍ତବ୍ୟ ସ୍ଥଳକୁ ମୁଣ୍ଡ ପିଚ୍ଛା କେତେ ଟଙ୍କା ଭଡ଼ା ତାହା ବି ଜାଣି ପାରୁନାହାନ୍ତି। ଅନ୍ତତଃ ଟାଉନ୍‌ ବସ୍‌ରେ ଦର ତାଲିକା ଲଗାଗଲେ ଏହା ଯାତ୍ରୀଙ୍କ ନଜରରେ ପଡ଼ିବ ଓ ସେମାନେ ନିର୍ଦ୍ଦାରିତ ଭଡ଼ା ଦେଇ ଯାତ୍ରା କରିବାରେ କୌଣସି ସମସ୍ୟା ହେବ ନାହିଁ। ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ରବିନ ପଟ୍ଟନାୟକଙ୍କ କହିବା ମୁତାବକ, ଟାଉନ ବସ୍‌ ଯାତ୍ରୀଙ୍କୁ ଶୋଷଣ କରୁଥିବା ‌ନେଇ ଅଭିଯୋଗ ହେବାରୁ ଟାଉନ ବସ୍‌ ସଂଘର କର୍ମକର୍ତ୍ତାଙ୍କୁ ଡାକି ଚଢ଼ା ଦର ନନେବାକୁ ତାଗିଦ କରାଯିବା ସହ ଦର ତାଲିକା ଲଗାଇବାକୁ କୁହାଯାଇଥିଲା। ଆଲୋଚନା ଭିତ୍ତିରେ ଦର ଧାର୍ଯ୍ୟ କରାଯିବା ପରେ ତାଲିକା ପ୍ରକାଶ ପାଇଥିଲା। ଦର ତାଲିକା ଲଗାଇନଥିବା ଟାଉନ ବସ୍‌ ଉପରେ ଏଣିକି ଅଚାନକ ଚଢ଼ାଉ କରାଯିବା ସହ ଜରିମାନା ଆଦାୟ କରାଯିବ। ନିକଟରେ କିଛି ଅଟୋ ଉପରେ ଚଢ଼ଉ କରାଯାଇ ୨୦ଟି ଅଟୋ ଜବତ କରାଯିବା ସହ ଜରିମାନା ଆଦାୟ କରାଯାଇଛି। ତେଣୁ ଆଇନ ଅବମାନନା କଲେ କେହି ନିସ୍ତାର ପାଇବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।