ଦେଶ ବିଦେଶ ରାଜ୍ୟ

ଟଙ୍କା ଜଗତୀକରଣ ଅଭିଯାନ: ଓଡ଼ିଆ ଅଧିକାରୀଙ୍କ ନେତୃତ୍ବରେ ନକ୍ସା ପ୍ରସ୍ତୁତ

ଭୁବନେଶ୍ବର : ଆମେରିକୀୟ ଡଲାରର ନିର୍ଭରଶୀଳତା କମ୍ କରିବା ସହ ଭାରତୀୟ ମୁଦ୍ରା ଟଙ୍କାକୁ ବିଶ୍ବସ୍ତରରେ ବ୍ୟାପକ ଭାବେ ପ୍ରଚଳିତ ହେଉଥିବା ଏକ ମୁଦ୍ରାରେ ପରିଣତ କରିବା ଲାଗି ଏକ ନକ୍ସା ପ୍ରସ୍ତୁତ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଓଡ଼ିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ରାଧାଶ୍ୟାମ ରଥଙ୍କ ନେତୃତ୍ବାଧୀନ ୱାର୍କିଂ ଗ୍ରୁପ୍ ସେହି ନକ୍ସା ପ୍ରସ୍ତୁତ କରିଛି। କିଭଳି ଆନ୍ତର୍ଜାତିକ କାରବାରରେ ଟଙ୍କା ଗ୍ରହଣୀୟ ହେବ ତାହାର ବିବରଣୀ ଏହି ଗ୍ରୁପ୍ ପ୍ରଦାନ କରିଛି। ସେଥିପାଇଁ କେଉଁ ସବୁ ସ୍ବଳ୍ପକାଳୀନ, ମଧ୍ୟବର୍ତ୍ତୀକାଳୀନ ଓ ଦୀର୍ଘକାଳୀନ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ତାହା ଗ୍ରୁପ୍ ଜଣାଇଛି।

ଭାରତୀୟ ଟଙ୍କାକୁ ସାରା ବିଶ୍ବରେ ପ୍ରଚଳିତ ହେଉଥିବା ଏକ ମୁଦ୍ରାରେ ପରିଣତ କରିବା ଲାଗି ଶ୍ରୀ ରଥଙ୍କ ନେତୃତ୍ବାଧୀନ ଗ୍ରୁପ୍ ଜଣାଇଛି ଯେ ଦେଶର ଅର୍ଥନୈତିକ ପ୍ରଗତି ଓ ବିଶ୍ବ ବାଣିଜ୍ୟରେ ଆଧିପତ୍ୟ ସହ ଟଙ୍କାର ଜଗତୀକରଣ ସିଧାସଳଖ ସମ୍ପର୍କ ରହିଛି। ବିଶ୍ବବ୍ୟାପୀ ଟଙ୍କାର ବ୍ୟବହାର ବଢ଼ାଇବା ଲାଗି ଭାରତରେ ଓ ଭାରତ ବାହାରେ ପ୍ରବାସୀଙ୍କ ପାଇଁ ଟଙ୍କା ଖାତା ଖୋଲିବା ଅନୁମତି ଦେବା ଏବଂ ଭାରତୀୟ ପେମେଣ୍ଟ୍‌ ବ୍ୟବସ୍ଥାକୁ ବିଶ୍ବର ଅନ୍ୟ ପେମେଣ୍ଟ୍‌ ବ୍ୟବସ୍ଥା ସହ ଯୋଡ଼ିବାକୁ ପ୍ରସ୍ତାବ ଦିଆଯାଇଛି। ପୁଞ୍ଜି ବଜାରରେ ସପ୍ତାହକୁ ପାଞ୍ଚ ଦିନ ବିଶ୍ବ ଟଙ୍କା ବଜାରକୁ ଚାଲୁ ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ରପ୍ତାନିକାରୀମାନଙ୍କୁ ପ୍ରୋତ୍ସାହନ ଦେଇ ଟଙ୍କାରେ କାରବାର କରିବାକୁ ଉତ୍ସାହିତ କରିବାକୁ ଗ୍ରୁପ୍ କହିଛି। ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ଟଙ୍କାରେ ଜାରି ହୋଇଥିବା ମସାଲା ବଣ୍ଡ୍‌ର ଟିକସ ସମୀକ୍ଷା କରିବାକୁ ମଧ୍ୟ କୁହାଯାଇଛି।

ଏବେ ବିଶ୍ବବ୍ୟାପୀ ବ୍ୟାପକ ଭାବେ ପ୍ରଚଳନ ହେଉଥିବା ମୁଦ୍ରା ମଧ୍ୟ‌ରେ ଶୀର୍ଷ ସ୍ଥାନରେ ରହିଛି ଆମେରିକାର ଡଲାର। ଏହା ବ୍ୟତୀତ ବ୍ରିଟେନ୍‌ର ପାଉଣ୍ଡ୍‌ ଷ୍ଟର୍ଲିଂ, ଜାପାନର ୟେନ୍ ଓ ୟୁରୋପର ୟୁରୋ ମଧ୍ୟ ପ୍ରଚଳିତ ହେଉଛି। ଅଳ୍ପ କିଛି ଦିନ ହେଲାଣି ଚୀନ୍‌ର ‌ୟୁଆନ୍ ମଧ୍ୟ ଏକ ବିଶ୍ବ ମୁଦ୍ରା ଭାବେ ପ୍ରଚଳନ ହେବା ଆରମ୍ଭ ହୋଇଛି। ମୁଦ୍ରାକୁ ବିଶ୍ବସ୍ତରରେ ମାନ୍ୟତା ମିଳିଲେ କାରବାର ସହଜ ହୋଇଥାଏ ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରରେ ଅଧିକ ବିଦେଶୀ ମୁଦ୍ରା ରଖିବା ପାଇଁ ଚିନ୍ତା କରିବାକୁ ପଡ଼େ ନାହିଁ। ଓଲଟା ବିଭିନ୍ନ ଦେଶ ସେମାନଙ୍କ ବୈଦେଶିକ ମୁଦ୍ରା ଭଣ୍ଡାରରେ ଟଙ୍କାକୁ ସାମିଲ କରିବେ। ତେବେ ସେହି ଲକ୍ଷ୍ୟ ହାସଲ କରିବା ଲାଗି ଭାରତକୁ ବହୁ ଦୂର ଯାତ୍ରା କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରିଜଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ଡେପୁଟି ଗଭର୍ଣ୍ଣର ପଦରେ ଅନ୍ୟତମ ଓଡ଼ିଆ ମାଇକେଲ ଦେବବ୍ରତ ପାତ୍ର ରହିଛନ୍ତି। ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ମଧ୍ୟ ଓଡ଼ିଆ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ