ରାଜ୍ୟ

ଜୟପୁରରେ କଂଗ୍ରେସର ହୁଙ୍କାର: ଟାର୍ଗେଟରେ କେନ୍ଦ୍ର ଓ ରାଜ୍ୟ ସରକାର

ଜୟପୁର: ଜୟପୁରରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ସହ ମୋଦୀ ଓ ନବୀନଙ୍କ ବିରୋଧରେ ହୁଂକାର ଭରିଛି। ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର, ଏଆଇସିସି ସଂପାଦକ ସାହାଜୁଦ୍ଦିନ, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ସଭାପତି ବିଜୟ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ଏସ୍‌ଟି/ଏସ୍‌ସି ସେଲ୍ ସଭାପତି ଜୟରାମ ପାଙ୍ଗୀ, ସାଂସଦ ସପ୍ତଗିରି ଉଲ୍ଲାକା ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କଂଗ୍ରେସର ଆଭିମୁଖ୍ୟ ଓ ଲକ୍ଷ୍ୟକୁ ସ୍ପଷ୍ଟ କରିଛନ୍ତି। ଡିସିସି ସଭାପତି ଦାୟିତ୍ବ ନେବାପରେ ଶଶି ଭୂଷଣ ପାତ୍ରଙ୍କ ପ୍ରଥମ ସାଂଗଠନିକ ସମାବେଶ ହୋଇଥିବା ବେଳେ ଦେବେନ୍ଦ୍ର ବାହିନୀପତି ସଂଯୋଜନା କରିଥିଲେ।

ସ୍ଥାନୀୟ ପାୱାର ହାଉସ୍‌ ଛକରୁ କଂଗ୍ରେସର ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଦଶହରା ପଡ଼ିଆରେ ପହଞ୍ଚିବା ପରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ରାଜ୍ୟ ସରକାର ଓ ବିଜେଡିକୁ ସମାଲୋଚନା କରିଥିଲେ। ସେ କହିଲେ, ଅଣଓଡ଼ିଆ ଠିକାଦାର ଓ ଶିଳ୍ପପତିଙ୍କୁ ସୁହାଇବା ଭଳି ନୀତି ଲାଗୁ କରାଯାଉଛି। ଚିଟଫଣ୍ଡ, ଖଣି, ପାଣି, କୋଭିଡ୍‌ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ଅନୂସୂଚିତ ଜାତି ଓ ଜନଜାତିଙ୍କ ଅଧିକାରକୁ ଛଡ଼ାଇ ନେଉଛନ୍ତି। ଯଦି ଦମ୍‌ ଅଛି ତେବେ ଝାଡ଼ଖଣ୍ଡ ଭଳି ପେସା ଆଇନ ଲାଗୁ କରାଯାଉ। ସେହିପରି ପ୍ରଧାନମନ୍ତ୍ରୀ ପ୍ରକୃତ ହିନ୍ଦୁ କି ବୋଲି ପ୍ରଶ୍ନ କରିଥିଲେ। ନିର୍ବାଚନ ବଣ୍ଡ ମାମଲାରେ ଦୁର୍ନୀତିଗ୍ରସ୍ତ ଶିଳ୍ପପତି ବିଜେପିକୁ ସହଯୋଗ କରୁଥିବା ପ୍ରମାଣିତ ହୋଇଛି। ଏହି ପ୍ରସଙ୍ଗକୁ ବାଟବଣା କରିବାକୁ ସିଏଏ ଚର୍ଚ୍ଚା କରାଯାଉଛି ବୋଲି କହିଥିଲେ। ଓଡ଼ିଶାରେ କଂଗ୍ରେସ ୯୦ ଆସନରେ ଜିତିବ। ଅବିଭକ୍ତ କୋରାପୁଟର ସମସ୍ତ ବିଧାନସଭା ଏବଂ ଲୋକସଭା ଆସନ କଂଗ୍ରେସ ଖାତାକୁ ଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ପୂର୍ବରୁ ସ୍ପଷ୍ଟ ହୋଇଯାଇଥିଲା ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୋଇସାରିଛି। ଜିତିବା ସମ୍ଭାବନା ରହିଥିବା ନେତାଙ୍କୁ କଂଗ୍ରେସ ଏଥର ପ୍ରାର୍ଥୀ କରିବ ବୋଲି ସେ କହିଥିଲେ। ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ ବୋଲି ଏଆଇସିସି ସଂପାଦକ ସାହାଜୁଦ୍ଦିନ ଓ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନୀପତି ଅଭିଯୋଗ କରିଥିଲେ। ପ୍ରଥମେ ମାଟି, ପରେ ପାର୍ଟି। ଜିଲ୍ଲାଭିତ୍ତିକ ନିଯୁକ୍ତି ସହ ଜିଲ୍ଲା ଏବଂ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଲଢ଼େଇ ଚାଲିଛି, ଆଗକୁ ବି ଜାରି ରହିବ ବୋଲି ଜୟପୁର ବିଧାୟକ ଶ୍ରୀ ବାହିନୀପତି କହିଥିଲେ।

ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍ଦେଶ୍ୟମୂଳକ ଭାବେ କରାଇ ଦିଆଗଲା ନାହିଁ ବୋଲି ସାଂସଦ ଶ୍ରୀ ଉଲ୍ଲାକା କହିଥିଲେ। ବିଜେଡି ଓ ବିଜେପି ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ପୂର୍ବତନ ସାଂସଦ ଶ୍ରୀ ପାଙ୍ଗୀ କହିଥିଲେ। ଶେଷରେ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ାମ, କୃଷ୍ଣ ସଗରିଆ, ନିମାଇଁ ସରକାର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନ୍ଦୀପ ସାମନ୍ତରାୟ, ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ, ବିନୋଦ ମହାପାତ୍ର, ମଣି ପଟ୍ଟନାୟକ, ସୁକାନ୍ତ ପଟ୍ଟନାୟକ, ସୂର୍ଯ୍ୟ ପଟ୍ଟନାୟକ, ଗଙ୍ଗା ସାହୁ, ସୁସ୍ମିତା ରଥ, ନବରଙ୍ଗପୁର ଜିଲ୍ଲା ସଭାପତି ଭୁଜବଳ ମାଝୀ, ମନୋରଞ୍ଜନ ତ୍ରିପାଠୀ, ରାୟଗଡ଼ା ଜିଲ୍ଲା ସଭାପତି ବିଜୟ କୁମାର ଗମାଙ୍ଗ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।