ରାଜ୍ୟ ସ୍ପେଶାଲ ରିପୋର୍ଟ

ଜେଲ୍‌ରେ ଅପରାଧ ନିୟନ୍ତ୍ରଣ ପାଇଁ ପ୍ରିଜନ କଲିଂ ସିଷ୍ଟମ୍‌: କଏଦୀ ରଖି ପାରିବେନି ନଗଦ ଟଙ୍କା, ଲ୍ୟାଣ୍ଡ୍ ଫୋନ୍‌ ମନା

କଟକ : ଜେଲ୍ ଭିତରକୁ କଏଦୀ ଏଣିକି ନଗଦ ଟଙ୍କା ନେଇପାରିବେ ନାହିଁ। ନଗଦ ଟଙ୍କା ନେବା ଦ୍ବାରା ଜେଲ୍ ଭିତରେ ଵାର୍ଡରଙ୍କୁ ହାତଗୁଞ୍ଜା ଦେଇ ଜେଲ୍ ଭିତରକୁ ବେଆଇନ ଖାଦ୍ୟ ସାମଗ୍ରୀ ଓ ନିଶା ଦ୍ରବ୍ୟ ଆଣୁଛନ୍ତି। ଏହାଦ୍ବାରା ଅପରାଧିକ କାର୍ଯ୍ୟକଳାପ ବି ଜେଲ୍ ଭିତରେ ବଢ଼ୁଛି। ତେଣୁ ଏହାର ମୁକାବିଲା ପାଇଁ ନଗଦ ଅର୍ଥ ବଦଳରେ ଅନଲାଇନ୍ ବ୍ୟବସ୍ଥା କରାଯାଇଛି। ଏହାକୁ ଖାଦ୍ୟ ଓ ଟେଲିଫୋନରେ କଥାବାର୍ତ୍ତା ପାଇଁ ବ୍ୟବହାର କରିବେ। ପୂର୍ବରୁ ଵାର୍ଡରଙ୍କୁ ହାତଗୁଞ୍ଜା ଦେଇ ଜେଲ୍ ଲ୍ୟାଣ୍ଡଫୋନରୁ ଘଣ୍ଟାଘଣ୍ଟା ଧରି କଏଦୀ ଗପୁଥିଲେ। ଅତ୍ୟାଧୁନିକ ପ୍ରିଜନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ପିଏମ୍‌ଏସ୍‌) ଚୌଦ୍ବାର ସର୍କଲ ଜେଲ୍ ସମେତ ରାଜ୍ୟର ୭ଟି ଜେଲ୍‌ରେ କାର୍ଯ୍ୟକାରୀ ହେବାକୁ ଯାଉଛି।

ହରିୟାଣାର ଭୋଡନ୍ସି ଜେଲ୍ ଶୈଳୀରେ ପ୍ରାଥମିକ ପର୍ଯ୍ୟାୟରେ ଚୌଦ୍ବାର, ସମ୍ବଲପୁର, ବାରିପଦା, କୋରାପୁଟ, ବ୍ରହ୍ମପୁର ଭଳି ୫ ସର୍କଲ ଜେଲ୍ ଏବଂ ପୁରୀ ଓ ଭୁବନେଶ୍ବର ଜେଲରେ ଆରମ୍ଭ ହେବାକୁ ଯାଉଛି ଏହି ପିଏମ୍‌ଏସ୍‌। ଜଣେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟର ଅମିତ ମିଶ୍ର ତାଙ୍କ ପତ୍ନୀଙ୍କ ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ସମୟରେ ସେ ପିଏମଏସ୍ ବ୍ୟବସ୍ଥା ଆରମ୍ଭ କରିଥିଲେ। ଫିନିକ୍ସ ନାଁରେ ଏକ ଆପ୍ଲିକେସନ୍ ପ୍ରସ୍ତୁତ କରିଥିଲେ। ପରେ ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଭଳି ରାଜ୍ୟର ଜେଲଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଛି। ଏଭଳି ଅତ୍ୟାଧୁନିକ ଯୋଜନା ଦେଖିବାକୁ ଓଡ଼ିଶା ଜେଲ୍ ବିଭାଗ ଡିଜି ହରିୟାଣା ଯାଇ ଅନୁଧ୍ୟାନ କରିଥିଲେ। ସେହି ଆଧାରରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଉପରୋକ୍ତ ଜେଲରେ ଲାଗୁ ହେବାକୁ ଯାଉଛି। ଏଥିପାଇଁ ୧୭ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଓକାକ୍ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର) ଏହି ପ୍ରକଳ୍ପ ଆସନ୍ତା ୪ ମାସ ମଧ୍ୟରେ ଶେଷ କରିବାକୁ ଯାଉଛି।

ଏହି ବ୍ୟବସ୍ଥାରେ ରାଜ୍ୟର ଉପରୋକ୍ତ ଜେଲରେ ଥିବା ସମସ୍ତ କଏଦୀଙ୍କ ନାଁରେ ଜେଲ୍ କର୍ତ୍ତୃପକ୍ଷ ପୃଥକ ଆକାଣ୍ଟ ଖୋଲିବେ। ଏହି ଆକାଉଣ୍ଟରୁ ହିଁ ସେ ଜେଲ୍ ଭିତରେ ଟେଲିଫୋନରେ କଥାବାର୍ତ୍ତା ଏବଂ କ୍ୟାଣ୍ଟିନରେ ଖାଇବା ବାବଦ ଖର୍ଚ୍ଚ ଅନଲାଇନ୍ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରୁ ପୈଠ କରିବେ। ପରିବାର ଲୋକେ ଏହି ଆକାଉଣ୍ଟରେ ସର୍ବାଧିକ ୫ ହଜାର ଟଙ୍କା ଜମା କରିପାରିବେ। ଦୈନିକ ହାରାହାରି ୨୫୦ ଟଙ୍କା ଜଣେ କଏଦୀ କ୍ୟାଣ୍ଟିନ ଓ ଫୋନ୍ ବାବଦ ଖର୍ଚ୍ଚ କରିପାରିବ।

ଜଣେ କଏଦୀ ଜେଲକୁ ଆସିବା ପରେ ସର୍ବାଧିକ ୫ଟି ମୋବାଇଲ ନମ୍ବର ଜେଲ୍ କର୍ତ୍ତୃପକ୍ଷଙ୍କୁ ଦେବ। ଏଥିରେ କଏଦୀଙ୍କ ଓକିଲ ସମେତ ପରିବାର ସଦସ୍ୟ ରହିବେ। ଏସବୁ ତଥ୍ୟ ପ୍ରିଜନ କଲିଂ ସିଷ୍ଟମ୍ ମେସିନରେ ରଖାଯିବ। ଜଣେ କଏଦୀ ଦୈନିକ ସର୍ବାଧିକ ଏହି ମେସିନରେ ୫ ମିନିଟ ଯାଏ କଥା ହୋଇପାରିବ। ଏହି ମେସିନ ସ୍କ୍ରିନରେ ଫିଙ୍ଗରପ୍ରିଣ୍ଟ ଦେବା ପରେ ଉକ୍ତ ୫ଟି ନମ୍ବର ସାମନାକୁ ଆସିବ। ସେଥିରୁ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେବାକୁ ଚାହିଁବ ଉକ୍ତ ନମ୍ବର ଉପରେ କ୍ଲିକ୍ କଲେ ଫୋନ୍ ଲାଗିବ। ୫ ମିନିଟ ହୋଇଗଲେ ଫୋନ୍ ସ୍ବୟଂଚାଳିତ ଭାବେ କଟିଯିବ। ସ୍କ୍ରିନରେ ଲାଉଡସ୍ପିକର ବ୍ୟବସ୍ଥା ରହିଛି। ଏହାରି ମାଧ୍ୟମରେ ସେ କଥାବାର୍ତ୍ତା ହୋଇପାରିବ। ଏହି କଥାବାର୍ତ୍ତା ବାବଦ ଟଙ୍କା ସ୍ବୟଂଚାଳିତ ଭାବେ କଏଦୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ। ଏହି ସିଷ୍ଟମରେ କଏଦୀଙ୍କ ଅଡିଓ କଲ୍ ରେକର୍ଡ ରହିବ। କଏଦୀ ଜେଲ ବାହାରେ ଥିବା ଲୋକଙ୍କୁ ଫୋନ କରି ଅପରାଧିକ କାର୍ଯ୍ୟକଳାପ ବଢ଼ାଉଥିବା ବେଳେ ବଟି ବି ମାଗୁଥିବାର ନଜିର ରହିଛି। ଏଣିକି ଏଥିରେ ରୋକ୍ ଲଗାଯିବ।

ପ୍ରିଜନ୍ ମ୍ୟାନେଜମେଣ୍ଟ ସିଷ୍ଟମରେ କ୍ୟାଣ୍ଟିନରେ ଦୈନିକ ଖାଦ୍ୟ ସାମଗ୍ରୀ ମହଜୁଦ ତାଲିକା ମଧ୍ୟ ରହିବ। କଏଦୀ କ୍ୟାଣ୍ଟିନରୁ ଖାଦ୍ୟ ସାମଗ୍ରୀ କିଣିବା ବେଳେ ବ୍ୟାଙ୍କ ଆକାଉଣ୍ଟରୁ ହିଁ ଟଙ୍କା କଟିବ। ଜେଲ ହସପିଟାଲର ଥିବା କଏଦୀ କେଉଁ ରୋଗରେ ଆକ୍ରାନ୍ତ ଏବଂ କି ପ୍ରକାର ଔଷଧ ସେବନ କରୁଛି, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରହିବ। କୋର୍ଟ ଅନେକ ସମୟରେ କଏଦୀଙ୍କ ଚିକିତ୍ସା ସଂକ୍ରାନ୍ତ ତଥ୍ୟ ଜେଲ୍ କର୍ତ୍ତୃପକ୍ଷଙ୍କୁ ମାଗୁଥିବାରୁ ତୁରନ୍ତ ଏ ସଂକ୍ରାନ୍ତ ତଥ୍ୟ ଜେଲ ପକ୍ଷରୁ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ଏବେ ଚୌଦ୍ବାର ସର୍କଲ ଜେଲ୍ ଓ ଭୁବନେଶ୍ବରରେ ଆରମ୍ଭ ହୋଇସାରିଲାଣି। ଆସନ୍ତା ୪ ମାସ ଭିତରେ ଏହାକୁ ଶେଷ କରିବାକୁ ଓକାକକୁ କୁହାଯାଇଥିବା ଜେଲ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।