କାନପୁର ୦୧/୧୧: ୧୯୯୯ ମସିହାରେ ରିଲିଜ୍ ହୋଇଥିବା ବ୍ଲକ୍ବ୍ଲଷ୍ଟର ବଲିଉଡ୍ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ର କାହାଣୀ ଆପଣମାନଙ୍କର ମନେ ଥିବ । ସେଥିରେ ବନରାଜ ଭୂମିକାରେ ଅଭିନୟ କରୁଥିବା ଅଜୟ ଦେବଗନ୍ ତାଙ୍କ ପତ୍ନୀ ନନ୍ଦିନୀ(ଐଶ୍ୱର୍ଯ୍ୟା ରାୟ)ଙ୍କୁ ପ୍ରେମିକ ସମୀର(ସଲମାନ୍ ଖାନ୍)ଙ୍କ ସହ ମିଳାଇବା ଲାଗି ସବୁପ୍ରକାର ଉଦ୍ୟମ କରିଥିବା ବର୍ଣ୍ଣିତ ହୋଇଛି । ଉତ୍ତରପ୍ରଦେଶର କାନପୁରରେ ଏବେ ବାସ୍ତବରେ ସେପରି ଏକ ଘଟଣା ଘଟିଛି । କେବଳ ଏକ ବ୍ୟତିକ୍ରମ ରହିଛି ଯେ, ନିଜ ସ୍ୱାମୀଙ୍କ ଭଲପାଇବାକୁ ଦେଖି ନନ୍ଦିନୀ ତାଙ୍କ ପାଖକୁ ଫେରିଆସିଥିଲେ । ଏହି କାହାଣୀରେ ତାର ବୀପରିତ ଘଟିଛି ।
ରିପୋର୍ଟ ଅନୁସାରେ କାନପୁରର ପଙ୍କଜ ଶର୍ମା ଗୁରୁଗ୍ରାମରେ ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି । ଚଳିତବର୍ଷ ମେ ମାସରେ ସେ କୋମଲ ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ୫ ମାସ ବିତିଯିବା ପରେ ବି କୋମଲ ତାଙ୍କ ସହ ସହଜ ହୋଇପାରିନଥିଲେ । ଏହାଦେଖି ସେ କୋମଲଙ୍କୁ ସତ କଥା ପଚାରିଥିଲେ । ବହୁ ବାଧ୍ୟବାଧକତା ପରେ କୋମଲ ଶେଷରେ ପ୍ରେମିକ ପିଣ୍ଟୁଙ୍କୁ ବିବାହ କରିବାକୁ ଚାହୁଁଥିବା କହିଲେ । ପଙ୍କଜ ଏକଥା ତାଙ୍କ ଶାଶୂ ଶ୍ୱଶୁରଙ୍କୁ ଜଣାଇଲେ । ସେମାନେ କୋମଲଙ୍କୁ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ସେ କାହା କଥା ଶୁଣିଲେ ନାହିଁ ।
ଏହାପରେ ଘରୋଇ ହିଂସା ବିରୋଧୀ ସେଲ୍ରେ ଘଟଣାଟି ପହଞ୍ଚିଲା । ପରେ ପଙ୍କଜ, କୋମଲ, ପିଣ୍ଟୁ ଓ ସଂପର୍କୀୟଙ୍କ ମଧ୍ୟରେ ଏକ ବୈଠକ ବସିଲା । ସେଠାରେ କୋମଲଙ୍କ ମନୋଭାବକୁ ଜାଣିବା ପରେ ପଙ୍କଜ ଆଉ ତାଙ୍କ ରାସ୍ତାରେ କଣ୍ଟା ସାଜିଲେ ନାହିଁ । ସେ ପିଣ୍ଟୁଙ୍କ ସହ କୋମଲଙ୍କ ବିବାହ କରାଇବା ଲାଗି ଯୋଜନା କଲେ । ଏପରିକି ନିଜେ ଜଣେ ଓକିଲ ବୁଝିଦେଲେ । ଶୁକ୍ରବାର ସନ୍ଧ୍ୟାରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଉଭୟ ପକ୍ଷର ଲୋକେ ଅତିଥି ଭାବେ ଯୋଗ ଦେଇଥିଲେ।

