କଟକ: ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ୍ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ କରିଛନ୍ତି। ଜଷ୍ଟିସ୍ ତାଳପତ୍ର ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ୨୦୨୧ ଜାନୁଆରି ୪ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ସେ ଅଗଷ୍ଟ ମାସରେ ଅବସର ନେବେ। ତା’ ପରେ ଖାଲି ପଡ଼ିବାକୁ ଥିବା ମୁଖ୍ୟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ ଜଷ୍ଟିସ ତାଳପତ୍ରଙ୍କ ନାମକୁ ଅନୁମୋଦନ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ୧୯୬୧ ମସିହା ଅକ୍ଟୋବର ୪ ତାରିଖ ଦିନ ତ୍ରିପୁରାର ଉଦୟପୁରରେ ଜନ୍ମଗ୍ରହଣ କରିଥିଲେ। ସେ କଲିକତା ବିଶ୍ବବିଦ୍ୟାଳୟରୁ ଆଇନ୍ରେ ସ୍ନାତକ ହୋଇଥିଲେ। ସେ ବିଭିନ୍ନ ସମୟରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲର ସଦସ୍ୟ ଥିଲେ। ସେ ମୁଖ୍ୟତଃ ଗୁଆହାଟୀ ହାଇକୋର୍ଟର ଅଗରତଲା ବେଞ୍ଚରୁ ଆଇନ୍ର ବ୍ୟବସାୟ କରିଥିଲେ। ୨୦୦୪ ମସିହା ଡିସେମ୍ବର ୨୧ ପରଠାରୁ ବରିଷ୍ଠ ଆଇନଜୀବୀ ଭାବେ ଦେୱାନୀ ଓ ଫୌଜଦାରୀ ମାମଲା ଗୁଡ଼ିକର ପରିଚାଳଚା କରିଥିଲେ। ୨୦୧୧ ମସିହା ନଭେମ୍ବର ୧୫ରେ ଗୁଆହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ୨୦୨୨ ଜୁନ୍ ୧୦ ତାରିଖରେ ଦାୟିତ୍ବ ନେଇଥିଲେ।