ରାଜ୍ୟ

ଜଳିଗଲା ୩୦ ହେକ୍ଟର ୱାଡି ପ୍ରକଳ୍ପ, କୋଟିଏର ଦୁର୍ନୀତି ଲୁଚାଇବାକୁ ନିଆଁ ଭିତରେ ଛାଡ଼ିଦେଲେ

ସୁନ୍ଦରଗଡ଼/ହେମଗିର: ବ୍ୟାପକ ଦୁର୍ନୀତି ଓ ହରିଲୁଟ୍‌ ଅଭିଯୋଗକୁ ନେଇ କିଛି ଦିନ ଧରି ଚର୍ଚ୍ଚାରେ ଥିବା ହେମଗିର ବ୍ଲକ୍‌ ଟପରିଆର ୩୦ ହେକ୍ଟରର ୱାଡି ପ୍ରକଳ୍ପ ଜଳିଗଲା। ପ୍ରକଳ୍ପରେ ଲାଗିଥିବା ୨୫ ଶହରୁ ଉର୍ଦ୍ଧ୍ବ ଆମ୍ବ, ଲେମ୍ବୁ, କମଳା ଗଛ ଜଳି ଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ କୋଟିଏ ଟଙ୍କା ବ୍ୟୟରେ ସୃଷ୍ଟି ହୋଇଥିବା ଏହି ଫଳ ବଗିଚାରେ କିପରି ନିଆଁ ଲାଗିଲା କାହାକୁ ଜଣା ନଥିଲେ ମଧ୍ୟ ଏହା ଉଦ୍ୟାନ ବିଭାଗ ଓ ପ୍ରକଳ୍ପ ଦାୟିତ୍ବରେ ଥିବା ବେସରକାରୀ ସଂସ୍ଥାକୁ ଦୁର୍ନୀତି ଲୁଚାଇବା ପାଇଁ ବଡ଼ ମଉକାଟେ ମିଳିଗଲା ବୋଲି ଚର୍ଚ୍ଚା ହେଉଛି। କାରଣ କିଛି ଦିନ ହେଲା ବଗିଚାରେ ନିଆଁ ଲାଗିଥିଲେ ମଧ୍ୟ ତାକୁ ଲିଭାଇବାକୁ ସଂସ୍ଥା କି ବିଭାଗ ତରଫରୁ କୌଣସି ଉଦ୍ୟମ କରାଯାଇ ନଥିଲା। ଅନ୍ୟପଟେ ୬ ମାସ ହେଲା ପରିଦର୍ଶକ ବା ତଦାରଖକାରୀ, ଜଗୁଆଳିଙ୍କ ଦରମା ଦିଆଯାଇ ନଥିବା ବେଳେ ଘାସସଫା, ମରାମତି ଓ ନିୟମିତ ରକ୍ଷଣାବେକ୍ଷଣ ପ୍ରତି ଅବହେଳା କରାଯାଇଥିଲା ଏବଂ ଜାଲିଆତି ପୂର୍ବକ ଅର୍ଥ ହଡ଼ପ କରାଯାଇଥିଲା। ଯାହା ଫଳରେ ବଗିଚାରେ ଘାସଲଟା ବଢ଼ି ଯାଇଥିବା ଓ ସେଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ପାଣ୍ଠିର ୧୧ କୋଟି ୬୩ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ହେମଗିର ବ୍ଲକର ଆଦିବାସୀ ଉନ୍ନୟନ ପାଇଁ ୭ଟି ସ୍ଥାନରେ ୧୩ଟି ୱାଡ଼ି ପ୍ରକଳ୍ପ ଚାଲିଛି। ସୁନ୍ଦରଗଡ଼ ଉଦ୍ୟାନ ବିଭାଗର ତତ୍ତ୍ବାବଧାନରେ କେନ୍ଦୁଝରର ଏସ. ଜି. ଫାଉଣ୍ଡେସନ ସଂସ୍ଥା ମାଧ୍ୟମରେ ବ୍ଲକ ଅନ୍ତର୍ଗତ ଲଇକେରାର ୪ଟି ସ୍ଥାନରେ ମୋଟ ୩୯.୯୮୨ ହେକ୍ଟର, କୋଡବାହାଲରେ ୨ଟି ମୋଟ ୧୮ ହେକ୍ଟର, ଡୁଙ୍ଗୁରିଡିହି, ସୁରୁଲତା, ବିଶ୍ବନାଥପୁର ଓ ବାଦିବାହାଲରେ ଗୋଟିଏ ଲେଖାଏଁ ଯଥାକ୍ରମେ ୧୦ ହେକ୍ଟର, ୧୦.୮୯ ହେକ୍ଟର, ୫୨.୨୧ ହେକ୍ଟରରେ ଫଳ ଉଦ୍ୟାନ କରାଯାଇଛି। ଏଥିରେ ଶହେରୁ ଉର୍ଦ୍ଧ୍ବ ହିତାଧିକାରୀ ସାମିଲ ହୋଇଛନ୍ତି।

ତନ୍ମଧ୍ୟରୁ ହେମଗିରର ଛତିଶଗଡ଼ ସୀମାନ୍ତ ଟପରିଆର ୩ଟି ସ୍ଥାନରେ ମୋଟ ୩୦.୧୭ ହେକ୍ଟର ଜମିରେ ଫଳବଗିଚା କରାଯାଇଥିଲା। ଏଥିପାଇଁ ପ୍ରାୟ କୋଟିଏ ଟଙ୍କା ବ୍ୟୟ ହୋଇଥିବା ବେଳେ ବଗିଚାରେ ଆମ୍ବ, ଲେମ୍ବୁ, କମଳା ଚାରା ଲଗାଯାଇଥିଲା। ଯୋଜନାରେ ଗୋଷ୍ଠୀଗତ ଫଳ ବଗିଚା ସୃଷ୍ଟି କରାଯାଇ ତାର ଯତ୍ନ ନେବା, ବୁଲା ଗାଈଗୋରୁ ଓ ବନ୍ୟପ୍ରାଣୀ ଠାରୁ ସୁରକ୍ଷା ପାଇଁ ଜମି ଚାରିପଟେ ତାରବାଡ଼ ଦେବା, ଗଛରେ ନିୟମିତ ପାଣି ସିଂଚନ ପାଇଁ ପ୍ରତି ୨୦ ଏକରରେ ୪ ଟି ସୋଲାର ଗଭୀର ନଳକୂପ ଖୋଳାଯାଇ ପ୍ରତ୍ୟେକ ଗଛ ମୂଳକୁ ପାଇପ୍ ବିଛା ଯିବା, ଏକର ପିଛା ୫୦/୬୦ ଫଳ ଗଛଗୁଡ଼ିକ ବଢିବା ପାଇଁ ନିୟମିତ ସାର ଖତ ପ୍ରୟୋଗ, ଜମିରୁ ଘାସବୁଦା ନିୟମିତ ସଫା କରାଯିବା, ଦୁଇ ଧାଡ଼ିରେ ଲଗାଯାଇଥିବା ଫଳ ଗଛ ମଝି ଜମିରେ ଅନ୍ୟାନ୍ୟ ଅର୍ଥକାରୀ ଫସଲ ପନିପରିବା, ଫୁଲ ଆଦି ଚାଷ କରି ହିତାଧିକାରୀମାନଙ୍କୁ ଉପାର୍ଜନକ୍ଷମ କରାଯିବା ଏହାର ଲକ୍ଷ୍ୟ ରହିଛି।

ପ୍ରକଳ୍ପ ଆଧାରିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ବ୍ୟବସ୍ଥା ଆଦିବାସୀ ହିତାଧିକାରୀଙ୍କ ପାଇଁ ସଂପୂର୍ଣ୍ଣ ଦେୟମୁକ୍ତ ଅଟେ। କେବଳ ସେତିକି ନୁହେଁ, ଏହି ପ୍ରକଳ୍ପ ସହ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ ସାମିଲ କରାଯାଇ ଅନ୍ୟାନ୍ୟ ଜବକାର୍ଡଧାରୀ ଶ୍ରମିକଙ୍କ ଉପାର୍ଜନକୁ ମଧ୍ୟ ଏଥିରେ ଯୋଡ଼ାଯାଇଛି। କିନ୍ତୁ ମାର୍ଗଦର୍ଶିକା ଅନୁଯାୟୀ କାମ ନକରି କେବଳ କାଗଜପତ୍ରରେ ସବୁ ଠିକଠାକ ଦେଖାଇ ଯୋଜନାର ଅର୍ଥ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଥିଲା। ସାରଖତ, ଘାସସଫା, ମରାମତିର ନିୟମିତ ରକ୍ଷଣାବେକ୍ଷଣ ହେଉ ନଥିବାରୁ ବଗିଚାରେ ଘାସଲଟା ଭରି ଯାଇଥିଲା। ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ନିୟମିତ ପ୍ରକାଶ ପାଇବା ପରେ ଅଡ଼ୁଆରେ ପଡ଼ି ଯାଇଥିଲା ବିଭାଗ ଓ ଦାୟିତ୍ବରେ ଥିବା ସଂସ୍ଥା। ଠିକ୍ ଏହି ସମୟରେ ଟପରିଆ ବଗିଚା ନିଆଁ ଲାଗି ପୋଡ଼ିଯିବା ଭିନ୍ନ ଚର୍ଚ୍ଚାର କାରଣ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।