ରାଜ୍ୟ

ଜଳବନ୍ଦୀ ଜୀବନ ବିତାଉଛନ୍ତି ଗାଡ଼ରାମୁହିଁ ଗ୍ରାମବାସୀ; ଗାଡ଼ରା ନଦୀ ପାଲଟିଛି ଦୁଃଖ, ମୌଳିକ ସୁବିଧା ସାତ ସପନ

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା ଗଠନ ହେବା ୩୦ ବର୍ଷ ପରେ ମଧ୍ୟ ଆଜି ଏହି ଜିଲ୍ଲାର ବହୁ ଗ୍ରାମବାସୀ ଅଭିଶପ୍ତ ଜୀବନ ବିତାଉଛନ୍ତି। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସରକାରୀ ଯୋଜନା ଏଠାରେ ପହଞ୍ଚିପାରି ନାହିଁ। ଏଭଳି ଗାଁ ମଧ୍ୟରୁ କାଶୀପୁର ବ୍ଲକର ଗୋଡିବଲି ପଞ୍ଚାୟତର ଗାଡରାମୁହିଁ ଗାଁ। ଏଠାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ କୁଇ ଆଦିବାସୀ ପରିବାର ବସବାସ କରିଆସୁଛନ୍ତି। ପଞ୍ଚାୟତ ସଦର ମହକୁମା ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଗ୍ରାମ ଅବସ୍ଥିତ। ଏହି ଗାଁ ବର୍ଷ ତମାମ ଜଳବନ୍ଦୀ ହୋଇ ରହିଛି। ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହୁଛି। କେବଳ ବର୍ଷା ଦିନେ ନୁହେଁ ଗାଁ ନିକଟରେ ବୋହି ଯାଉଥିବା ଗାଡରା ନଦୀ ଏହି ଗ୍ରାମ ପାଇଁ ଦୁଃଖ ପାଲଟିଛି।

ଗାଡ଼ରା ନଦୀ ଉପରେ ବ୍ରିଜ ନଥିବାରୁ ଏହି ଗ୍ରାମର ଗ୍ରାମବାସୀ ପଞ୍ଚାୟତ ସଦର ମହକୁମା ହେଉ ବା ଡାକ୍ତରଖାନା ଏବଂ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯିବାକୁ ଏହି ନଦୀକୁ ପାର କରିଯିବାକୁ ପଡିଥାଏ। ଖରାଦିନେ ଅଣ୍ଟା ପର୍ଯ୍ୟନ୍ତ ପାଣି ରହୁଥିବା ବେଳେ ବର୍ଷାଦିନ ହେଲେ ନଦୀ ପାର କରିବାକୁ ଦେଶୀ ଡଙ୍ଗା ଭରସା। ପ୍ରତିବର୍ଷ ଏହି ନଦୀ ପାର କରୁଥିବା ବେଳେ ବହୁ ଜୀବନ ହାନି ହୋଇଥିବା ଗ୍ରାମବାସୀ କହନ୍ତି। ନଦୀ ପାର ହୋଇ ଆଜି ବି ସରକାରୀ ଯୋଜନା ଏଠାରେ ପହଞ୍ଚିପାରିଲା ନାହିଁ। ନା ଗ୍ରାମବାସୀ ପକ୍କା ରାସ୍ତା ଅଛି ନା ପାନୀୟ ଜଳର ବ୍ୟବସ୍ଥା ରହିଛି। ବହୁ ବର୍ଷ ତଳେ ଏକ ନଳକୂପ ତିଆରି କରାଯାଇଥିଲେ ମଧ୍ୟ ତାହା ଏବେ ଅଚଳ। ଲୋକେ ଝରଣା ପାଣି ଉପରେ ହିଁ ନିର୍ଭର କରି ଚଳନ୍ତି। ବର୍ଷ ତମାମ ଝରଣା ପାଣି ଉପରେ ନିର୍ଭର କରୁଥିବାରୁ ବହୁ ଥର ସଂକ୍ରାମକ ରୋଗର ଶିକାର ହୋଇ ଜୀବନ ଯାଉଛି।

ଗ୍ରାମବାସୀ ଆଦିବାସୀ କୁଇ ସଂପ୍ରଦାୟର ହୋଇଥିବାରୁ କୁଇ ବଂ ଦୁରୁଆ ଭାଷାରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଗାଁରେ ସ୍କୁଲ ନଥିବାରୁ ପିଲାମାନେ ଅଶିକ୍ଷିତ ହୋଇ ରହିଛନ୍ତି। କିଛି ପରିବାରର ପିଲା ହିଁ ହୋଷ୍ଟେଲରେ ରହି ପାଠ ପଢୁଥିବା ଗ୍ରାମବାସୀ କହନ୍ତି। ନଦୀ ପାର କରି ସ୍କୁଲ ଯିବାକୁ ପିଲାମାନେ ଅମଙ୍ଗ ହେବା ସହ ସବୁବେଳଏ ନଦୀପାର କରି ପିଲାଙ୍କୁ ସ୍କୁଲ ଛାଡିବା ବିପଦପୂର୍ଣ୍ଣ ବୋଲି ଅଭିଭାବକ କହନ୍ତି। ତେବେ ସେମାନେ ମଧ୍ୟ ଘରକୁ ଆସିଲେ ଆଉ ହୋଷ୍ଟେଲ ଯିବାକୁ ପସନ୍ଦ କରୁନଥିବା କହନ୍ତି।ଅଙ୍ଗନବାଡି ନଥିବାରୁ ଗ୍ରାମର ଛୋଟ ଛୋଟ ପିଲାମାନେ ପୋଷଣଯୁକ୍ତ ଖାଦ୍ୟର ବଞ୍ଚିତ ହେଉଛନ୍ତି। ରୋଗୀ କିମ୍ବା ଗର୍ଭବତୀ ଓ ପ୍ରସୂତୀଙ୍କୁ ଡାକ୍ତରଖାନାକୁ ନେବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଗ୍ରାମର ଜଣେ ମହିଳାଙ୍କ କହିବା ଅନୁଯାୟୀ ଗତବର୍ଷ ନଦୀ ପାର କରାଇପାରିନଥିବାରୁ ନଦୀ କୂଳରେ ହିଁ ଜଣେ ଗର୍ଭବତୀ ମା’ ଛୁଆ ଜନ୍ମ କଲା। ଆମ୍ବୁଲେନସକୁ ଡାକିଲେ ତମ ଗାଁକୁ ଯାଇ ହେବ ନାହିଁ ବୋଲି କୁହନ୍ତି। ତେଣୁ କାଉଡ଼ି କରି କିମ୍ବା ଭାରରେ ଗର୍ଭବତୀଙ୍କୁ ମେଡିକାଲ ନିଆଯାଉଛି। ସେହିପରି ଭତ୍ତା ପାଇଁ ଗ୍ରାମର ବୃଦ୍ଧ ଓ ବୃଦ୍ଧା ନଦୀ ପାର କରି ଯିବା ଏକ ପ୍ରକାର ଅସମ୍ଭବ। ବର୍ଷା ଦିନ ହେଲେ ଗାଁଟି ସଂପୂର୍ଣ୍ଣ ରୂପେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଉଥିବା କୁହାଯାଇଛି। ଗାଁରୁ ଚାରିପଟୁ ନଦୀ ଘେରି ରହିଥିବାରୁ ଗାଁର ଲୋକେ ବର୍ଷା ଦିନେ ଗାଁରୁ ପଦାକୁ ବାହାରି ପାରନ୍ତି ନାହିଁ। ଜଂଗଲରୁ ଯାହା ମିଳେ ତାହା ଖାଇ ଜୀବନଯାପନ କରନ୍ତି। ଏମାନଙ୍କର ମୁଖ୍ୟ କାରବାର ହେଲା ଜଂଗଲରୁ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିବା। କେବଳ ଏହି ଗ୍ରାମ ନୁହେଁ ଏହି ଗ୍ରାମକୁ ଲାଗି ରହିଥିବା ସିଙ୍ଗାପଟା ଓ ଟେକ୍ସିମୁହିଁ ଗ୍ରାମର ୧୫୦ରୁ ଊର୍ଦ୍ଧ୍ବ ପରିବାର ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି।କେବଳ ଗାଁକୁ ବିଦ୍ୟୁତ ଯୋଗାଣ ହୋଇଛି।ତେବେ ଗାରଡା ନଦୀରେ ପୋଲ ନିର୍ମାଣ ଏବଂ ଗାଁକୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ କହନ୍ତି। ଏହି ଗ୍ରାମର ଭାଗ୍ୟ କେବେ ବଦଳିବ ଦେଖବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।