ମାଲକାନଗିରି : ନକ୍ସଲ ଦମନ ପାଇଁ ପଡ଼ୋଶୀ ଛତିଶଗଡ଼ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସେଠାକାର ସରକାର ନକ୍ସଲଙ୍କ ସହ ମୁହାଁମୁହିଁ ଲଢ଼େଇ କରିବାକୁ ସ୍ଥାନୀୟ ଯୁବକଙ୍କୁ ନେଇ ଗଠନ କରିଛନ୍ତି ‘ବସ୍ତର ଫାଇଟର’। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ନକ୍ସଲ ସଙ୍ଗଠନ ଦୁର୍ବଳ ହୋଇଥିବା ବେଳେ ଛତିଶଗଡ଼ରେ ସଂଗଠନକୁ ଶକ୍ତିଶାଳୀ କରିବାକୁ ନକ୍ସଲ ଯୋଜନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପ୍ରାୟ ୨୧ହଜାର ପଦବି ସୃଷ୍ଟି କରାଯାଇ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ, ଦୁଇ ଗୁଣରୁ ଅଧିକ ଅର୍ଥାତ୍ ୫୩ ହଜାର ଯୁବକ ଏଥିପାଇଁ ଆବେଦନ କରିଥିଲେ। ଏହାର ଚୟନ ପ୍ରକ୍ରିୟା ଶେଷ ହୋଇସାରିଛି। ଏବେ ‘ବସ୍ତର ଟାଇଗର’ଙ୍କ ତାଲିମ ଚାଲିଛି। ଯୁଦ୍ଧର ବିଭିନ୍ନ କୌଶଳ ସାଙ୍ଗକୁ ରଣନୀତି ପ୍ରସ୍ତୁତ କରିବାର ତାଲିମ ଦିଆଯାଉଥିବା ଜଣାପଡ଼ିଛି। ବିଶେଷକରି, ଘଞ୍ଚ ଜଙ୍ଗଲରେ ଏବଂ ପ୍ରତିକୂଳ ପରିସ୍ଥିତିରେ ନକ୍ସଲଙ୍କ ମୁକାବିଲା ନିମନ୍ତେ ସ୍ବତନ୍ତ୍ର ତାଲିମ ଦିଆଯାଉଛି। ତାଲିମ ଶେଷ ହେବାପରେ ନକ୍ସଲ ପ୍ରବଣ ଅଞ୍ଚଳରେ ନିଯୁକ୍ତି ଦିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।