ରାଜ୍ୟ

ଚିଲିକାରେ ମାଡ଼ହେବ ଅବପାତ: ମାଲକାନଗିରି ଓ ନବରଙ୍ଗପୁରରେ ରାସ୍ତା ବୁଡ଼ିଲା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଅବପାତରେ ପରିଣତ ହୋଇଥିଲା। ଏହା ସନ୍ଧ୍ୟା ସୁଦ୍ଧା ଘଣ୍ଟା ପ୍ରତି ୭ କିମି ବେଗରେ ପଶ୍ଚିମ-ଉତ୍ତର ଦିଗରେ ଅଗ୍ରସର ହେଉଛି। ସନ୍ଧ୍ୟା ସାଢ଼େ ୫ଟା ବେଳକୁ ଏହା ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୫୦ କିମି, ଗୋପାଳପୁରଠାରୁ ପୂର୍ବ ଦିଗରେ ୯୦ କିମି ଓ ପାରାଦୀପର ଦକ୍ଷିଣ ପଶ୍ଚିମ ଦିଗରେ ୧୪୦ କିମି ଦୂରରେ ରହିଛି। ଏହା ଅଧିକ ଘନୀଭୂତ ହୋଇ ଶନିବାର ଭୋର୍‌ ସମୟରେ ପୁରୀ ନିକଟ ଚିଲିକା ହ୍ରଦରେ ସ୍ଥଳ ଭାଗ ଛୁଇଁବ। ସେ ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ରହିବ। ସ୍ଥଳ ବିଶେଷରେ ଏହା ୬୫ କିମି ଛୁଇଁପାରେ। ଅବପାତ ପ୍ରଭାବରେ ଆଜି ସକାଳଠାରୁ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ରାସ୍ତା ବୁଡ଼ିଯାଇଥିବା ନଜରକୁ ଆସିଛି। ତେଣୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌ଆରସି)ଙ୍କ ପକ୍ଷରୁ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିବା ସହ ପ୍ରଭାବିତ ରାସ୍ତାରେ ଯେପରି କୌଣସି ବ୍ୟକ୍ତି ଚଳପ୍ରଚଳ ନ କରନ୍ତି ସେଥିପାଇଁ ପୁଲିସ ମୁତୟନ କରିବାକୁ କହିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଅବପାତଟି ଧୀରେଧୀରେ ଉପକୂଳ ମୁହାଁ ହେଉଛି। ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ୨୦ ତାରିଖରେ ମଧ୍ୟ ସମାନ ସ୍ଥିତି ଲାଗିରହିବ। ସ୍ଥଳ ଭାଗ ଛୁଇଁବା ପରେ ଅବପାତଟି ଦୁର୍ବଳ ହେବା ସହ ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।

ଅବପାତ ପ୍ରଭାବରେ ଶନିବାର ସକାଳ ସୁଦ୍ଧା କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅର୍ଥାତ୍‌ ୨୦ ସେମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ ଏହି ୪ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୨୦ ସେମି) ଆଶଙ୍କା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ବନ୍ୟା, ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇପାରେ। ସହରାଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଓ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବ। ବାକି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଶନିବାର ସକାଳଠାରୁ ରବିବାର ପୂର୍ବାହ୍ନ ମଧ୍ୟରେ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଓ ବା‌ଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ଆସନ୍ତା ୨୩ ତାରିଖ ବେଳକୁ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଉତ୍ତର ଓଡ଼ିଶାରେ ବର୍ଷା ହେବ। ପ୍ରଭାବରେ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଅବବାହିକାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ, ଯାହାକି ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।