ରାଉରକେଲା: କଥାରେ ଅଛି ‘ ଚାଷ କାମ ଯାହାର, କେଡେ ସୁଖ ତାହାର’। ଏହି ଉକ୍ତିର ଅର୍ଥକୁ ଭଲ ଭାବେ ବୁଝିଛନ୍ତି ନୂଆଗାଁ ବ୍ଲକ ବାଗଡେଗା ପଞ୍ଚାୟତ ଅନ୍ତର୍ଗତ ଗର୍ଦ୍ଦାର ବିର୍ସା ମାହାତୋ। ଚାଷ ନିଶା ତାଙ୍କୁ ବେଶି ଦିନ ସରକାରୀ ଚାକିରିରେ ବାନ୍ଧି ରଖି ପାରି ନଥିଲା। ଶେଷରେ ସରକାରୀ ଚାକିରି ଛାଡିଥିଲେ। ବିଭିନ୍ନ ପ୍ରକାର ଚାଷ କରି ସୁନ୍ଦରଗଡ଼ ଜିଲ୍ଲାରେ ନିଜକୁ ଜଣେ ସଫଳ ଚାଷୀ ଭାବେ ପ୍ରତିପାଦିତ କରିପାରିଛନ୍ତି। ବର୍ଷକ ବାର ମାସ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ତାଙ୍କର ଏକର ଏକର କ୍ଷେତରେ ଫଳୁଛି କୋବି, ବାଇଗଣ, ବନ୍ଧା, ଟାମାଟୋ, ଆଳୁ , ବିନ୍, କଲରା, କାକୁଡି ଓ ଅନ୍ୟାନ୍ୟ ପନିପରିବା। ବଗିଚାରେ ଫଳୁଛି ଆମ୍ବ, ଲେମ୍ବୁ, ଲିଚୁ ଓ ପିଜୁଳି। ଚାକିରିରେ ମାସକୁ ଯେତିକି ଦରମା ପାଉଥିଲେ। ଚାଷରେ ମାସକୁ ତା’ର ୧୦/୧୫ ଗୁଣା ଅଧିକ ରୋଜଗାର କରୁଛନ୍ତି।
କେବଳ ନିଜେ ରୋଜଗାର କରୁନାହାନ୍ତି, ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି। ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ୨୦ ଜଣ ଚାଷୀଙ୍କୁ ରୋଜଗାର ଦେଇଛନ୍ତି। ତାଙ୍କ ପୁଅ ମଧ୍ୟ ତାଙ୍କୁ ଏହି ଚାଷ କାମରେ ସହଯୋଗ କରୁଛନ୍ତି। ବିର୍ସାଙ୍କ ଠାରୁ ଚାଷର କୌଶଳ ଶିଖି ଅନେକ ଚାଷୀ ଭଲ ଦି’ପଇସା ରୋଜଗାର ବେଶ୍ ଖୁସି ଅଛନ୍ତି। ବିର୍ସା ସିଜିନ୍ ଅନୁଯାୟୀ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ବିର୍ସାଙ୍କ ଆମ୍ବ, ଲିଚୁ ଓ ପିଜୁଳିର ଚାହିଦା ସୁନ୍ଦରଗଡ଼ ବଜାରରେ ଯେତିକି ଚାହିଦା ରହିଛି, ତା’ଠାରୁ ଢ଼େର ଚାହିଦା ରହିଛି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ରାଞ୍ଚି ବଜାରରେ। ବିର୍ସାଙ୍କ ଆମ୍ବ ବଗିଚାରେ ଫଳୁଥିବା ଦଶେରୀ, ମଲ୍ଲିକା, ଆମ୍ରପଲି, ନିଲମ, ବାଇଗଣପଲେଇ ଆମ୍ବର ଝାଡ଼ଖଣ୍ଡ ଓ ରାଞ୍ଚି ବଜାରରେ ଢ଼େର ଚାହିଦା ରହିଛି।
ପ୍ରାୟ ୭ ଏକର ଆମ୍ବ ବଗିଚାରୁ ପାଖାପାଖି ୪୦୦ କ୍ବିଣ୍ଟାଲ ଆମ୍ବ ଉତ୍ପାଦନ କରୁଛନ୍ତି। କେବଳ ଆମ୍ବ ନୁହେଁ ଲିଚୁ, ପିଜୁଳି ଓ ଲେମ୍ବୁ ମଧ୍ୟ ସେହି ଅନୁପାତରେ ଉତ୍ପାଦନ କରୁଛନ୍ତି। ଏହା ବ୍ୟତୀତ ଶୀତ ଓ ଗ୍ରୀଷ୍ମ ଋତୁରେ ଟନ୍ ଟନ୍ କୋବି, ବନ୍ଧା, ଟମୋଟା, ବାଇଗଣ ଉତ୍ପାଦନ କରୁଛନ୍ତି। ଏସବୁ ପନିପରିବା କେବଳ ଓଡ଼ିଶାର ପ୍ରମୁଖ ସହରକୁ ପଠାଉନାହାନ୍ତି ବରଂ ପଡୋଶୀ ଝାଡ଼ଖଣ୍ଡର ସ୍ଥାନୀୟ ବଜାରରେ ବିକ୍ରି ହେଉଛି। ମାତ୍ର କେଇ ପଦ କଥା ଆଜି ବିର୍ସାଙ୍କୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ସଫଳ ଚାଷୀ କରିପାରିଛି। ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଘଟଣାଥିଲା ଏମିତି। କିଛି ବର୍ଷ ତଳେ ବିର୍ସା ନୂଆଗାଁ ବ୍ଲକରେ ଲ୍ୟାମ୍ପସ୍ରେ ଚାକିରି କରୁଥିଲେ। ଚାକିରି ସମୟକୁ ଛାଡି ବାକି ସମୟରେ ନିଜ କ୍ଷେତରେ ପନିପରିବାର ଚାଷ କରୁଥିଲେ।
ଦିନେ ବିଭାଗୀୟ ଅଧିକାରୀ ତାଙ୍କୁ ସୁନ୍ଦରଗଡ଼ ଅନ୍ୟ ଏକ ଉପାନ୍ତ ବ୍ଲକକୁ ବଦଳି କରି ଦେଇଥିଲେ। ବିର୍ସା ଅରାଜି ହୋଇଥିଲେ। କିଛି ମାସ ସମୟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ମାତ୍ର ବିଭାଗୀୟ ଅଧିକାରୀ ତାଙ୍କର କୌଣସି କଥାକୁ ଶୁଣି ନଥିଲେ। ଶେଷରେ ବିର୍ସା ଚାକିରି ଛାଡିବାକୁ ବାଧ୍ୟ ହୋଇଥିଲେ। ଚାକିରିରେ ଯେଉଁ ଦରମା ପାଉଥିଲେ, ଚାଷରେ ତା’ଠୁ ଅଧିକ ରୋଜଗାର କରି ଦେଖିବାକୁ ସଂକଳ୍ପ ନେଇଥିଲେ। ଏବେ ବିର୍ସା କେବଳ ନୂଆଗାଁ ନୁହେଁ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଚାଷୀଭାଇ ଓ ସରକାରୀ ଚାକିରି ପଛରେ ଧାଉଁଥିବା ବେକାରୀ ଯୁବକଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବିର୍ସା କହିଛନ୍ତି, ଚାକିରି ଠାରୁ ଚାଷରେ ଢ଼େର ଲାଭ ଅଛି। ଯେଉଁ ଚାଷ କରନ୍ତୁ ନା କାହିଁକି, ତା’କୁ ନିଷ୍ଠାର ସହ କରନ୍ତୁ। କଦାପି ନିରାଶ ହୁଅନ୍ତୁ ନାହିଁ, ନିଶ୍ଚିତ ଭାବେ ତାଙ୍କ ପରି ଜଣେ ସଫଳ ଚାଷୀ ହୋଇପାରିବ, ଏଥିରେ ଦ୍ବିମତ ନାହିଁ।