ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାଷୀଙ୍କୁ ରାହା ଦେଖାଉଛି ଓଡ଼ିଶା ମିଲେଟ୍‌ ମିସନ୍‌

ଭୁବନେଶ୍ବର : କପା ଚାଷ କରି ଭଲ ଦି’ ପଇସା ରୋଜଗାର କରୁଥିଲେ ବଲାଙ୍ଗୀର ଜିଲ୍ଲାର ଗୋପାଳ ବିଶି। କିନ୍ତୁ କିଛି ବର୍ଷ ହେଲା, ଉତ୍ପାଦନ କମିବା ସହ ଚାଷ ବାବଦ ଖର୍ଚ୍ଚ ବଢ଼ିବାରୁ ସେ ଚିନ୍ତାରେ ପଡ଼ି ଯାଇଥିଲେ। ତେଣୁ ତାଙ୍କ ଜେଜେ, ଅଜା କରୁଥିବା ମିଲେଟ୍‌ ଚାଷ ଆଡ଼କୁ ସେ ମୁହାଁଇଥିଲେ। ସୌଭାଗ୍ୟକୁ ଏହା ଏବେ ତାଙ୍କ ପାଇଁ ବରଦାନ ପାଲଟିଛି। ହେକ୍ଟର୍‌ ହିସାବରେ ଉତ୍ପାଦନ ସହ ଆୟ ମଧ୍ୟ ବଢ଼ିଛି। ଗୋପାଳ ଏକରେ ଜମିରେ ୬:୪ ଅନୁପାତରେ ମାଣ୍ଡିଆ ସହ ଜବାର, ମକା, ମଟର ଚଣା, କଳା ଚଣା ଚାଷ କରିଛନ୍ତି। ମାତ୍ର ୪୫୦୦ ଟଙ୍କା ନିବେଶ କରି କିଛି ମାସ ପରେ ସେ ୩.୨ କ୍ବିଣ୍ଟାଲ ମାଣ୍ଡିଆ, ୩ କ୍ବିଣ୍ଟାଲ ଜବାର, ୩.୫ କ୍ବିଣ୍ଟାଲ ମକା ଓ ୧ କ୍ବିଣ୍ଟାଲ ଚଣା ଉତ୍ପାଦନ କରିବେ ବୋଲି ଆଶାବାଦୀ ଅଛନ୍ତି। ଖାଲି ବିଶି ନୁହନ୍ତି, ତାଙ୍କ ଭଳି ଅନେକ ଚାଷୀ ଏବେ ଓଡ଼ିଶା ମିଲେଟ୍ ମିସନ ଜରିଆରେ ଏମିତି ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ବିହନଠାରୁ ସାର ପର୍ଯ୍ୟନ୍ତ ସବୁ ରିହାତିରେ ମିଳୁଛି। ଅପରପକ୍ଷେ ଆଜିକାର ବ୍ୟସ୍ତବହୁଳ ଜୀବନରେ ଲୋକେ ପୁଷ୍ଟିକର ଖାଦ୍ୟ ପାଇଁ ମିଲେଟ୍‌ ଜାତୀୟ ଖାଦ୍ୟକୁ ପ୍ରାଥମିକତା ଦେବା ଆରମ୍ଭ କରିଥିବାରୁ ବଜାରରେ ମଧ୍ୟ ଏହାର ଚାହିଦା ବଢ଼ିବାରେ ଲାଗିଛି।

ନୀତି ଆୟୋଗର ଏକ ଅଧ୍ୟୟନ ଅନୁଯାୟୀ, ରାଜ୍ୟରେ ମିଲେଟ୍ ମିସନ୍‌ କାର୍ଯ୍ୟକାରୀ (୨୦୧୭-୧୮ବର୍ଷ) ହେବାଠାରୁ କ୍ରମାଗତ ଭାବେ ମିଲେଟ୍‌ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି। ମୋଟାମୋଟି ଭାବେ ହିସାବକୁ ନେଲେ ଏହି ୫ ବର୍ଷ ଭିତରେ ମିଲେଟ୍ ଉତ୍ପାଦନ ପ୍ରତି ଚାଷୀ ହିସାବରେ ୨୧୫ପ୍ରତିଶତ ବଢ଼ିଛି। କମ୍ ସମୟ ମଧ୍ୟରେ ଏତେ ବଡ଼ ଉପଲବ୍ଧି ମିଲେଟ୍ ମିସନ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀ ଫସଲର ଉପଯୁକ୍ତ ପ୍ରାପ୍ୟ ପାଉଥିବା ବେଳେ ଅତି ଗରିବ ଲୋକ ପୁଷ୍ଟିକର ଖାଦ୍ୟ ପାଇ ପାରୁଛନ୍ତି।

ଆକର୍ଷଣୀୟ ଏମ୍‌ଏସ୍‌ପି ବଢ଼ାଉଛି ଚାଷ
ଖାଉଟିଙ୍କୁ ମିଳୁଛି ପୁଷ୍ଟିକର ଖାଦ୍ୟ

ମିଲେଟ୍‌ ଚାଷକୁ ସରକାର ପ୍ରୋତ୍ସାହନ ଦେବା ପଛରେ ଏକ ପ୍ରମୁଖ କାରଣ ହେଲା, ଏଥିରେ ପ୍ରୋଟିନ୍‌, ଆଇରନ୍‌, କପର୍‌, ଜିଙ୍କ୍‌ ଆଦି ପୋଷଣ ଚାଉଳ ଏବଂ ଗହମ ଅପେକ୍ଷା ଅଧିକ ରହିଛି। ୭ଟି ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ୪ଟି ଦେଶରେ କରାଯାଇଥିବା ଅଧ୍ୟୟନ ଅନୁସାରେ, କିଶୋରଙ୍କୁ ଚାଉଳ ବଦଳରେ ମିଲେଟ୍‌ ଦିଆଗଲେ, ସେମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ୨୬ରୁ ୩୯ ପ୍ରତିଶତ ଅଧିକ ହେଉଛି।

ରିପୋର୍ଟ ଅନୁସାରେ, ପୂରା ବିଶ୍ବରେ ୩୦୦ ପ୍ରକାରର ମିଲେଟ୍ ଉତ୍ପାଦନ ହୁଏ। ସେଥିମଧ୍ୟରୁ ମାତ୍ର ୧୨ପ୍ରକାର ମିଲେଟ୍‌କୁ ଖାଦ୍ୟ ଭାବେ ଗ୍ରହଣ କରାଯାଇଥାଏ। ଜବାର, ବାଜରା ମୁଖ୍ୟ ଏବଂ ସୁଆଁ, ମାଣ୍ଡିଆ, ଖିରା, ଚିନା, କୋଡୁଅ ଆଦି ଲଘୁ ମିଲେଟ୍‌ ଶ୍ରେଣୀର। ଏସିଆ ଓ ଆଫ୍ରିକା ସହ ପୂରା ବିଶ୍ବରେ ୩ରୁ ୪କୋଟି ଟନ୍‌ ମିଲେଟ୍‌ ଉତ୍ପାଦିତ ହୁଏ। ଏଥିରେ ଭାରତର ଅବଦାନ ସିଂହଭାଗ। ତେବେ ଭାରତର ଏ ସଫଳତା ପଛରେ ଓଡ଼ିଶାର ବଡ଼ ହାତ ରହିଛି। ମିଲେଟ୍ ମିସନ ଅନ୍ତର୍ଗତରେ କେବଳ ଓଡ଼ିଶା ୪୦ରୁ ୪୫ ପ୍ରତିଶତ ମିଲେଟ୍‌ ଉତ୍ପାଦନ କରୁଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା, ମିଲେଟ୍‌ ପାଇଁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଆକର୍ଷଣୀୟ ହୋଇଥିବାରୁ ତାହା ଚାଷୀଙ୍କୁ ସୁହାଉଛି। ଏଥିରେ ହେକ୍ଟର ହିସାବରେ ପ୍ରତି ଚାଷୀଙ୍କୁ ୨୬ହଜାର ୫୦୦ଟଙ୍କା ଦିଆଯାଉଛି।

୨୦୧୭-୧୮ ମସିହାରେ ୫ ହଜାର ଚାଷୀ ଏଥିରେ ଲାଭାନ୍ବିତ ହୋଇଥିଲେ। ୨୦୨୨ ମସିହାରେ ଏହି ସଂଖ୍ୟା ୧ ଲକ୍ଷ ୬୦ ହଜାରକୁ ବୃଦ୍ଧି ପାଇଛି। ଓଡ଼ିଶା ମିଲେଟ୍ ମିସନ୍‌ ଅନ୍ତର୍ଗତରେ ମାଣ୍ଡିଆ ସର୍ବାଧିକ ଉତ୍ପାଦନ ହୋଇ ସରକାରଙ୍କ ପକ୍ଷରୁ ସଂଗୃହୀତ ହେଉଛି। ୨୦୧୮ ମସିହାରେ ୭୮୯୫ କ୍ବିଣ୍ଟାଲ ଏବଂ ୨୦୨୧ ମସିହାରେ ଏହା ୬୩୯,୫୦୩ କ୍ବିଣ୍ଟାଲ ମାଣ୍ଡିଆ ସଂଗୃହୀତ ହୋଇଛି। ଏଥିରେ ୨୦୧୮ ମସିହାରେ ୨୮୯୭, ୨୦୨୧ ମସିହାରେ ୩୩୭୭ ଟଙ୍କା ପାଇଥିଲେ। ୯୩ ହଜାର ଚାଷୀ ଏହାର ଲାଭ ନେଇଛନ୍ତି।

ଓଡ଼ିଶା ମିଲେଟ୍ ମିସନ୍‌ର ସବୁଠାରୁ ବଡ଼ ସଫଳତା ହେଲା, ଲୋକଙ୍କ ପ୍ରତିଦିନର ଖାଦ୍ୟ ତାଲିକାରେ ମିଲେଟ୍‌ ସାମିଲ ହେବା ସହ ଅଙ୍ଗନବାଡି, ସ୍କୁଲ ଭୋଜନରେ ସାମିଲ ହୋଇପାରିଛି। ଖରିଫରେ ମିଲେଟ୍ ଉତ୍ପାଦନ ୨୦୧୭ରୁ ୨୦୨୨ ମଧ୍ୟରେ ୧.୨ଲକ୍ଷ ଟନ୍‌ରୁ ୨.୬ଲକ୍ଷ ଟନ୍‌କୁ ବଢ଼ିଛି। ପ୍ରତିଶତରେ ହିସାବ କଲେ ୧୬୭ ପ୍ରତିଶତ ବୃଦ୍ଧି ପାଇଛି। ଯଦି ମିଲେଟ୍‌ର ଉତ୍ପାଦନ ଏଭଳି ବଢ଼ିବ, ତେବେ ସହରାଞ୍ଚଳର ପ୍ରତି ଘରେ ଏହା ଦୈନନ୍ଦିନ ଖାଦ୍ୟ ପାଲଟିଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।