ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ଦାବି: ସଂଗୃହୀତ ହେଲାଣି ୨୦ହଜାରରୁ ଅଧିକ ଦସ୍ତଖତ

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ଅନୁମତି ନେଇ ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସମଗ୍ର ଶ୍ରୀକ୍ଷେତ୍ରବାସୀ ନିତ୍ୟ ଦର୍ଶନରେ ଭୋଗୁଥିବା ସମସ୍ୟା ନେଇ କ୍ଷୋଭ ଝାଡ଼ିଥିବା ବେଳେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଦସ୍ତଖତ ଅଭିଯାନ ପୁରୀ ସହରର ସାହି ଗଳିକନ୍ଦିଠାରୁ ନେଇ ପଞ୍ଚାୟତରେ ମଧ୍ୟ ଚାଲୁ ରହିଛି। କେବଳ ପୁରୀବାସୀ ନୁହନ୍ତି, ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ଜଗନ୍ନାଥପ୍ରେମୀ ଭକ୍ତମାନେ ଡିଜିଟାଲ ଅଭିଯାନରେ ସ୍ବାକ୍ଷର କରି ଏହି ମତକୁ ସମର୍ଥନ ଜଣାଇଛନ୍ତି। ମଞ୍ଚ ପକ୍ଷରୁ ଡିଜିଟାଲ୍‌ କ୍ୟାମ୍ପେନ୍‌ ଜରିଆରେ ଭକ୍ତମାନଙ୍କ ଦସ୍ତଖତ ଆହ୍ବାନ କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୨୦ ହଜାର ଦସ୍ତଖତ ସଂଗ୍ରହ କରାଯାଇଛି ବୋଲି ମଞ୍ଚର ସଭାପତି ପ୍ରସନ୍ନ ଦାଶ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ତଳମାଳିସାହି, ବଡ଼ଶଙ୍ଖ, ସର୍ବୋଦୟନଗର, ଚୂଡ଼ଙ୍ଗସାହି, ବାସେଳିସାହି, କାଳିକାଦେବୀସାହି, ପଣ୍ଡାଗଳି, ବିଧବାଶ୍ରମ ଛକ, ବଳିଆପଣ୍ଡା, ଦାମୋଦର ରୋଡ, ଗୌଡ଼ବାଡ଼ସାହି, ମଙ୍ଗଳାଘାଟ, ପାଇକସାହି ସମେତ ପଞ୍ଚାୟତସ୍ତରରେ ଗୋପୀନାଥପୁର, ବୀରହରେକୃଷ୍ଣପୁର, କାଶୀହରିପୁରରେ ଏହି ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇଛି।

ଶ୍ରୀ ଦାଶ କହିଛନ୍ତି, ଏହି ଦସ୍ତଖତ ସଂଗ୍ରହ ଅଭିଯାନରେ ସେମାନେ ୧୪ ସାହି ଓ ୩ଟି ପଞ୍ଚାୟତ ବୁଲିସାରିଲେଣି। ପ୍ରତ୍ୟେକ ଭକ୍ତଙ୍କ ମଧ୍ୟରେ ରହିଥିବା ପୁଞ୍ଜିଭୂତ ଅସନ୍ତୋଷକୁ ସେ ଉପଲବ୍ଧି କରିଛନ୍ତି। ଭକ୍ତମାନେ ପ୍ରଶାସନ ଉପରେ କ୍ଷୋଭ ଝାଡ଼ୁଛନ୍ତି। ପୁରୀ ବାସିନ୍ଦାଙ୍କ କହିବା ମୁତାବକ, ପୁରୀର ଲୋକେ ପ୍ରତ୍ୟେହ ଦର୍ଶନ ପାଇଁ ଆସନ୍ତି। ଦର୍ଶନ ନକରିବା ପର୍ଯ୍ୟନ୍ତ କେତେକ ଅନ୍ନଜଳ ସ୍ପର୍ଶ କରନ୍ତି ନାହିଁ। କିନ୍ତୁ ସିଂହଦ୍ବାର ସମ୍ମୁଖରେ ଲମ୍ବା ଧାଡ଼ି ଦେଖି ଏହି ଦର୍ଶନ ଧାରା ଭାଙ୍ଗିଯାଇଛି। ଅନ୍ୟପକ୍ଷରେ ବହୁ ପୁରୀ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ ସାରି ନିଜ କର୍ମକ୍ଷେତ୍ରକୁ ଯାଆନ୍ତି। ସେମାନେ ପ୍ରତିଦିନ ଯାଇ ୩/୪ ଘଣ୍ଟା ଧାଡ଼ିବାନ୍ଧି ଛିଡ଼ା ହୋଇ ଦର୍ଶନ କରିବା ଓ ଏହା ପରେ କର୍ମକ୍ଷେତ୍ରକୁ ଯିବା ସମ୍ଭବ ହେଉନାହିଁ। ପୁରୀବାସୀ ମହାପ୍ରଭୁଙ୍କ ସହ ଅନ୍ତରଙ୍ଗ ଭାବେ କେତେ ମାତ୍ରାରେ ଜଡ଼ିତ ତାହା କୋଭିଡ ସମୟର ରଥଯାତ୍ରାରୁ ପ୍ରଶାସନ ଉପଲବ୍ଧି କରିସାରିଛି। ମହାପ୍ରଭୁଙ୍କ ଯାତ୍ରା ଯେପରି ବନ୍ଦ ନହୁଏ ସେଥିପାଇଁ ଇଚ୍ଛା ଥାଇ ମଧ୍ୟ ପୁରୀବାସୀ ଦ୍ବାର କିଳି ରଥଯାତ୍ରା ସମୟରେ ଘର ଭିତରେ ରହିଲେ। ଯଦି ସେତେବେଳେ ପୁରୀବାସୀଙ୍କ ଭାବାବେଗକୁ ବୁଝି ଓ ସହଯୋଗ ପାଇଁ ପ୍ରଶାସନ ପ୍ରଶଂସା କରିପାରିଲା, ତେବେ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ଅନ୍ୟ ଦ୍ବାର ଖୋଲିବା ନିଷ୍ପତ୍ତିକୁ କାହିଁକି ଝୁଲାଇ ରଖି ଆବେଗ ସହ ଖେଳୁଛନ୍ତି ବୋଲି ବାସିନ୍ଦାମାନେ ପ୍ରଶ୍ନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।