ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାନ୍ଦବାଲିରେ ଏଥର ବଡ଼ ଲଢ଼େଇ: ବିଜେପି ରାଜ୍ୟ ସଭାପତି ମନମୋହନ ବନାମ ବିଜେଡି ରାଜ୍ୟ ଯୁବ ସଭାପତି ବ୍ୟୋମକେଶ

ଭଦ୍ରକ: ୨୦୨୪ ସାଧାରଣ ନିର୍ବାଚନରେ ଚର୍ଚ୍ଚାରେ ରହିବ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଧାନସଭା କ୍ଷେତ୍ର। ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ରାଜ୍ୟ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଏଠାରୁ ଲଢିବା ଆପାତତଃ ଥୟ। ଉଭୟ ରାଜ୍ୟ ରାଜନୀତିରେ ବେଶ ପରିଚିତ ନାଁ। ତେଣୁ ଏଠାରେ ବରିଷ୍ଠ ଓ କନିଷ୍ଠଙ୍କ ଭିତରେ ବିଗ୍ ଫାଇଟ୍‌ ଦେଖିବାକୁ ମିଳିବ। ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଦୁହେଁ ପ୍ରାକ୍ ପ୍ରସ୍ତୁତି ମଧ୍ୟ କରି ସାରିଲେଣି।

ଚାନ୍ଦବାଲି ନିର୍ବାଚନମଣ୍ଡଳୀ ୨୦୦୯ ମସିହାରୁ ବିଜେଡି ଦଖଲରେ ରହିଛି। ୨୦୦୯ ନିର୍ବାଚନରେ ବିଜୟ ନାୟକ ଏଠାରୁ ବିଜେଡି ବିଧାୟକ ହୋଇଥିଲେ। ତେବେ ୨୦୧୪ରେ ବିଜୟଙ୍କ ସ୍ଥାନରେ ଛାତ୍ର ବିଜେଡିର ରାଜ୍ୟ ନେତା ବ୍ୟୋମକେଶ ରାୟଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ନବାଗତ ବ୍ୟୋମକେଶ ମଧ୍ୟ ଦଳକୁ ନିରାଶ କରିନଥିଲେ। କଂଗ୍ରେସ ପ୍ରାର୍ଥୀ ଅମିୟ ମହାପାତ୍ରଙ୍କୁ ପଛରେ ପକାଇ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୯ରେ ବ୍ୟୋମକେଶ ପୁଣି ବିଜେଡିରୁ ପ୍ରାର୍ଥୀ ହୋଇ ଭେଟେରାନ୍ ମନମୋହନ ସାମଲଙ୍କୁ ହରାଇ ଦ୍ବିତୀୟ ଥର ବିଧାୟକ ହୋଇଥିଲେ। ଦ୍ବିତୀୟ ପାଳିରେ ବ୍ୟୋମକେଶ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବ୍ୟୋମକେଶଙ୍କୁ ଦଳୀୟ ସଂଗଠନରେ ଅଧିକ ସକ୍ରିୟ ରହିବା ପାଇଁ ରାଜ୍ୟ ଯୁବ ବିଜେଡି ସଭାପତି ଭଳି ଗୁରୁଦାୟିତ୍ବ ଦିଆଯିବା ସହ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା।

୨୦୨୪ରେ ତୃତୀୟ ଥର ପ୍ରାର୍ଥୀ ହୋଇ ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ରହିଛନ୍ତି ବ୍ୟୋମକେଶ। କିନ୍ତୁ ଏଥର ବିଜେଡିରୁ ଆହୁରି ଅନେକ ଆଶାୟୀ ପ୍ରାର୍ଥୀଙ୍କ ନାମ ଶୁଣିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ଚର୍ଚ୍ଚାରେ ଅଛନ୍ତି ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ ମାନସ ମଲ୍ଲିକଙ୍କ ପୁତ୍ର ତଥା ବିଜେଡିର ମୁଖପାତ୍ର ଅମିତ ମଲ୍ଲିକ ଓ ଜିଲ୍ଲା ମହିଳା ସଭାନେତ୍ରୀ ବିଦ୍ୟୁତଲତା ନାୟକ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ୨୦୨୪ ନିର୍ବାଚନ ସମ୍ମାନର ପ୍ରଶ୍ନ ହେବ। କାରଣ ଗତ ଦୁଇଟି ଯାକ ନିର୍ବାଚନରେ ସେ ବ୍ୟୋମକେଶଙ୍କଠାରୁ ପରାସ୍ତ ହୋଇଥିବା ବେଳେ ଏଥର ମଧୁର ପ୍ରତିଶୋଧ ନେବାକୁ ଜୋର୍‌ଦାର କସରତ ଆରମ୍ଭ କରିଛନ୍ତି। ଧାମରା ବନ୍ଦରରେ ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି, ନଦୀନାଳ ଘେରା ବିଭିନ୍ନ ଗାଁକୁ ସେତୁ ଓ ରାସ୍ତା ନିର୍ମାଣ ପ୍ରସଙ୍ଗକୁ ନେଇ ବ୍ୟୋମକେଶଙ୍କୁ ଟାର୍ଗେଟ୍‌ କରିଛନ୍ତି ମନମୋହନ। ଏବେଠୁ ଗାଁ ଗାଁ ବୁଲି ନୂଆ ଯୁବନେତା ଓ କର୍ମୀଙ୍କୁ ନିଜ ଦଳରେ ମିଶ୍ରଣ କରିବା ସହ ୨୪ ପାଇଁ ଗୋଟି ଚାଳନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏଥର କାହାକୁ ପ୍ରାର୍ଥୀ କରିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ୨୦୧୪ରେ କଂଗ୍ରେସ ଅମିୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨୦୧୯ରେ ଦିଗମ୍ବର ଦାସଙ୍କୁ ପ୍ରାର୍ଥୀ କରିଥିଲା। ଏଥର ଯୁବନେତା ସତ୍ୟାନନ୍ଦ ରାଉତ ଗାଁ ଗାଁ ବୁଲି କଂଗ୍ରେସର ସଂଗଠନ କରୁଥିବା ବେଳେ ଏଥର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।