ମୁମ୍ଵାଇ ୨୮।୧୦: ବଲିଉଡ୍ର ବାର୍ବିଡଲ୍ କ୍ୟାଟ୍ରିନା କୈଫ୍। ନଭେମ୍ବର ୪ରେ ରିଲିଜ୍ ହେବ ତାଙ୍କ ଫିଲ୍ମ ଫୋନ୍ ଭୁତ୍ । ବର୍ତ୍ତମାନ ଫିଲ୍ମର ପବଲିସିଟି ପାଇଁ ପ୍ରସିଦ୍ଧ କମିକ୍ ଚାଚା ଚୌଧୁରୀଙ୍କ ସହାୟତା ନିଆଯାଉଛି । ଫିଲ୍ମର ନିର୍ମାତା ଫରହାନ୍ ଅଖତର ଏବଂ ରିତେଶ ସିଦ୍ଧୱାନୀ ଡାଏମଣ୍ଡ ଟୁନ୍ସଙ୍କ ସହ ମିଶି ଫିଲ୍ମର ଚରିତ୍ରମାନଙ୍କ ଉପରେ ଏକ କମିକ୍ କାହାଣୀ କରିଛନ୍ତି। ଏଥିପାଇଁ ଫିଲ୍ମର ତିନୋଟି ପ୍ରମୁଖ ଚରିତ୍ର କ୍ୟାଟ୍ରିନା, ଇଶାନ ଏବଂ ସିଦ୍ଧାନ୍ତଙ୍କ କମିକ୍ ସ୍କେଚ୍ ପ୍ରସ୍ତୁତ କରାଯାଇଛି। ଦୁଇ କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଡାଏମଣ୍ଡ ଟୁନ୍ସ ଫିଲ୍ମ ରିଲିଜ୍ ପୂର୍ବରୁ ଚାଚା ଚୌଧୁରୀଙ୍କ ଏକ କମିକ୍ ବୁକ୍ ରିଲିଜ୍ କରିବେ।
ଡାଏମଣ୍ଡ ଟୁନ୍ସ ମହାନିର୍ଦ୍ଦେଶକ ମନୀଷ ବର୍ମା କହିଛନ୍ତି ଯେ ଚାଚା ଚୌଧୁରୀ ଜଣେ ଅଲରାଉଣ୍ଡର ଏବଂ ଯେକୌଣସି ପରିସ୍ଥିତିରେ ସମସ୍ତଙ୍କ ସହ ଖାପ ଖୁଆଇଛନ୍ତି। ଏହା ସହ ସେ କହିଛନ୍ତି ଯେ ଫିଲ୍ମ ରିଲିଜ ହେବା ସମୟରେ ଏହି କମିକ୍କୁ ଆଣିବୁ। ଚାଚା ଚୌଧୁରୀଙ୍କ ଏହି କାହାଣୀ ଫୋନ୍ ଭୁତ ଫିଲ୍ମର କାହାଣୀ ସହିତ କୌଣସି ସମ୍ପର୍କ ରହିବ ନା ନାହିଁ ତାହା ବିଷୟରେ କିଛି କହି ନାହାନ୍ତି ।
ଫୋନ୍ ଭୁତ୍ ହେଉଛି ଏକ ସୁପରନ୍ୟାଚୁରାଲ କମେଡି ଫିଲ୍ମ । ଯାହାକୁ ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ୍ ଙ୍କ ଦ୍ୱାରା ଲିଖିତ । ଗୁରୁମିତ ସିଂ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିବା ବେଳେ ଏହାକୁ ଫରହାନ ଅଖତର ଏବଂ ରିତେଶ ସିଦ୍ଧୱାନୀଙ୍କ କମ୍ପାନୀ ଏକ୍ସେଲ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହା ପ୍ରଥମ ଥର ନୁହେଁ ଯେ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଏହାର ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଡାଏମଣ୍ଡ ଟୁନ୍ ସହିତ ଯୋଡି ହୋଇଛି। ଏହାପୂର୍ବରୁ, ଉଭୟ କମ୍ପାନୀ ଫୁକ୍ରେ ରିଟର୍ନ ଫିଲ୍ମର ପ୍ରମୋସନ ପାଇଁ ଏକାଠି ହୋଇଥିଲେ।

