ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାକିରି ଠକେଇ ରୢାକେଟ୍‌ର ଗୁମର ଖୋଲୁଛି: ସାରା ରାଜ୍ୟରୁ ଲୁଟିଛନ୍ତି କୋଟି କୋଟି

ଭୁବନେଶ୍ବର: ରେଳ ବିଭାଗରେ ଚାକିରି କରାଇଦେବା ନାଁରେ ୩ଲକ୍ଷ ଟଙ୍କା ଠକେଇ ଘଟଣାରେ ରୢାକେଟ୍‌ର ପ୍ରମୁଖ ସଦସ୍ୟ କୁହାଯାଉଥିବା କାହ୍ନୁ ଚରଣ ସ୍ବାଇଁକୁ କମିସନରେଟ୍‌ ପୁଲିସ ଗିରଫ କରିବା ପରେ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି। ସରକାରୀ ଚାକିରି ଦେବା ନାଁରେ ଏ ରୢାକେଟ୍‌ ଲୋକଙ୍କୁ ଠକି ଚାଲିଥିଲା। ଯେଭଳି ସେମାନଙ୍କ ଠକେଇ ସମ୍ପର୍କରେ କେହି କିଛି ସୁରାକ ନପାଇବେ, ସେଥିପାଇଁ ଭିନ୍ନ ଭିନ୍ନ ନାଁରେ ସେମାନେ ଏକାଧିକ ସଂସ୍ଥା ଖୋଲିଥିଲେ। ଆଶାୟୀଙ୍କ ମନରେ ବିଶ୍ବାସ ଆଣିବା ପାଇଁ କର୍ପୋରେଟ୍‌ ଢ଼ାଞ୍ଚାରେ ଅଫିସ୍‌ ଚଳାଉଥିଲେ। କେବଳ ରାଜଧାନୀ ନୁହେଁ, ସାରା ରାଜ୍ୟରୁ ଶହ ଶହ ଆଶାୟୀଙ୍କୁ ନିଜ ପାଲରେ ପକାଇ କୋଟି କୋଟି ଟଙ୍କା ଲୁଟିଥିଲେ। ତେବେ ଠକେଇର ଶିକାର ହୋଇଥିବା ରୂପାଲୀ ସାହୁ ଓ ତାଙ୍କ ଭାଇ ସତୀଶ ସାହୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ଏ ଚାଞ୍ଚଲ୍ୟକର ଠକେଇ ବିଷୟରେ ଜଣା ପଡ଼ିଛି।

ଅଭିଯୋଗ ମୁତାବକ, ୨୦୧୯ ମସିହାରେ ପ୍ରକାଶ ପ୍ରଧାନ ନାମକ ଜଣେ ଯୁବକ ସତୀଶଙ୍କୁ ଏମ୍‌ସିଏଲ୍‌ରେ ଚାକିରି କରାଇଦେବ ବୋଲି କହିଥିଲା। ହେଲେ ଏଥିପାଇଁ ୧୦ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କହିଥିଲା। ସୀତଶ ତାଙ୍କ ଭଉଣୀ ପାଇଁ ମଧ୍ୟ ଚାକିରି ଖୋଜା ଯାଉଥିବା ଜଣାଇଥିଲେ। ଦୁଇଜଣଙ୍କ ଚାକିରି ପାଇଁ ପ୍ରକାଶ ୧୫ଲକ୍ଷ ଟଙ୍କାର ଏକ ଡିଲ୍‌ କରିଥିଲା। ଭାଇଭଉଣୀଙ୍କ ମନରେ ବିଶ୍ବାସ ଆଣିବା ପାଇଁ ସେମାନଙ୍କୁ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଏନ୍‌-୫ ଅଞ୍ଚଳରେ ଥିବା କାହ୍ନୁଙ୍କ ଅଫିସ୍‌କୁ ନେଇଥିଲା। କାହ୍ନୁ ନିଜକୁ ସେକ୍ରେଟାରିଏଟ୍‌ରେ ଜଣେ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ କହିଥିଲା, ‘‘ଏମ୍‌ସିଏଲ୍‌ର ଦୁଇଟି ସୁପରଭାଇଜର ପଦବି ଫାଙ୍କା ଅଛି। ଯଦି ତମେମାନେ ଇଚ୍ଛୁକ, ପ୍ରକାଶ ସହିତ କଥା ହୋଇଯାଅ!’’ କାହ୍ନୁର ବେଶ ପୋଷାକ ସାଙ୍ଗକୁ ସେଠାରେ ଏକାଧିକ ଯୁବକ ଯୁବତୀ କାମ କରୁଥିବା ତଥା ଅଫିସର ଅଭିଜାତ୍ୟ ଭରା ବାତାବରଣ ଦେଖି ଭାଇଭଉଣୀଙ୍କ ମନରେ ବିଶ୍ବାସ ବଢ଼ିଥିଲା। ଏହାପରେ ସେମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରକାଶ ମାଧ୍ୟମରେ କାହ୍ନୁର ଦୁଇଟି ଆକାଉଣ୍ଟ, ଫୋନ୍‌ ପେ’ ଓ ଗୁଗଲ ପେ’ ଜରିଆରେ ୭ ଲକ୍ଷ ଟଙ୍କା ପଠାଇଥିଲେ। ଟଙ୍କା ଦେବାର ବର୍ଷକ ପରେ ମଧ୍ୟ ନା ମିଳିଥିଲା ନିଯୁକ୍ତିପତ୍ର, ନା ଇଣ୍ଟରଭ୍ୟୁ ପାଇଁ ଆସିଥିଲା କୌଣସି ଡାକରା। ଚାକିରି ପାଇଁ ଜମି ବିକି ଟଙ୍କା ଦେଇଥିବା ଭାଇଭଉଣୀ ଚିନ୍ତାରେ ପଡ଼ିଥିଲେ। ଘରେ କ’ଣ କହିବେ? ଚାକିରି ହେଉନି କି କାହ୍ନୁ ଧରାଛୁଆଁ ଦେଉନି ! କିଛିଦିନ ପରେ ପ୍ରକାଶ ଭାଇଭଉଣୀଙ୍କୁ ପ୍ରତିଶ୍ରୁତି ଦେଇଥିଲା- ‘‘ବ୍ୟସ୍ତ ହୁଅନି, ସାର୍‌ଙ୍କର ଟିକେ ସମସ୍ୟା ଅଛି। ମୁଁ ବଡ଼ ସାର୍‌ଙ୍କ ପାଖକୁ ନେଇଯିବି।

ସେ ସବୁ ସମାଧାନ କରିବେ।’’ ଏହାପରେ ପ୍ରକାଶ ଭାଇଭଉଣୀଙ୍କୁ ଧରି ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଡିଏଲ୍‌ଏଫ୍‌ ବିଲ୍ଡିଂକୁ ଯାଇଥିଲା। ସେଠାରେ ଥିବା ଏକ ସଂସ୍ଥା ଭିତରକୁ ସମସ୍ତେ ଯାଇଥିଲେ। ଚକାଚକ୍‌ ଅଫିସ୍‌ ଦେଖି ଭାଇ ଭଉଣୀ ଭାବିଥିଲେ- ଏଥର ଚାକିରି ପକ୍କା! କିଛି ସମୟ ବସିବା ପରେ ବଡ଼ସାର୍‌ଙ୍କ ଡ଼ାକରା ଆସିଥିଲା। ଭିତରକୁ ପଶିବା ପରେ ‘ବଡ଼ସାର୍‌’ କୁହାଯାଉଥିବା ସଚ୍ଚିଦାନନ୍ଦ ଭୋଇ ନାମକ ଜଣେ ବ୍ୟକ୍ତି ନିଜକୁ ସମ୍ବଲପୁର ଅଞ୍ଚଳର ଜଣେ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେଇଥିଲା। ତା’ର ବହୁ ବଡ଼ ବଡ଼ ସରକାରୀ ଅଧିକାରୀଙ୍କ ସହ ସମ୍ପର୍କ ଥିବା କହିଥିଲା। ‘‘ଚାକିରି ପାଇଁ ବ୍ୟସ୍ତହୁଅନି, ଖୁବ୍‌ଶୀଘ୍ର ତମକୁ ନିଯୁକ୍ତିପତ୍ର ମିଳିବ’’ ବୋଲି କହି ସେ ପ୍ରତିଶ୍ରୁତି ଦେଇଥିଲା। ହେଲେ ସେ ପ୍ରତିଶ୍ରୁତିର ମାସ ମାସ ବିତିଯାଇଥିଲା, କିନ୍ତୁ ପୂର୍ବଭଳି ନା ଆସିଥିଲା ନିଯୁକ୍ତିପତ୍ର, ନା କୌଣସି କଲ୍‌। ଭାଇଭଉଣୀ ଡିଏଲ୍‌ଏଫ୍‌ ଅଫିସ୍‌ରେ ବଡ଼ସାର୍‌ଙ୍କୁ ଭେଟିବାକୁ ଯିବା ବେଳକୁ ସେଠାରେ ସେ ସାର୍‌ ମିଳିବା ତ ଦୂରର କଥା, ଆଉ ଅଫିସ୍‌ କଧ୍ୟ ନଥିଲା। ସେଠାରୁ ଅଫିସ୍‌ ଉଠିଯାଇଥବା ସେମାନେ ଜାଣିବାକୁ ପାଇଥିଲେ। ହେଲେ କେଉଁଆଡ଼େ ଅଫିସ୍‌ ଗଲା, ସାର୍‌ କୁଆଡ଼େ ଗଲେ- ଆଉ ତା’ର କିଛି ଖୋଜଖବର ମିଳିନଥିଲା। ଚାକିରି ତ ହେଲାନି, ଟଙ୍କା ଫେରସ୍ତ ପାଇଁ ସେବେଠାରୁ ଭାଇଭଉଣୀ କାହ୍ନୁ, ସଚ୍ଚିଦାନନ୍ଦ ଓ ପ୍ରକାଶ ସହ ଯୋଗାଯୋଗ ପାଇଁ ବହୁ ଚେଷ୍ଟା କରିଥିଲେ।

ହେଲେ କୌଣସି ପ୍ରକାର ଯୋଗାଯୋଗ ହୋଇପାରିନଥିଲା। ତେବେ ଗତ ୧୩ ତାରିଖ ଦିନ ରେଲୱେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହାୟତାରେ ମଞ୍ଚେଶ୍ବର ଥାନା ପୁଲିସ କାହ୍ନୁକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଜାଣିବା ପରେ ରୂପାଲୀ ଓ ତାଙ୍କ ଭାଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଏହି ରୢାକେଟ୍‌ ନାଁରେ ଏଭଳି ଗୋଟିଏ ପରେ ଗୋଟିଏ ନୂଆ ଅଭିଯୋଗ ଆସିବାରେ ଲାଗିଛି। ଅନ୍ୟପଟେ ପୁଲିସ କାହ୍ନୁକୁ ଜେରା ବେଳେ ତା’ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇବା ସହ କିଛି ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ପୁଲିସ ସନ୍ଦେହ କରିଛି। ଏସବୁ ଭିତରେ ସଚ୍ଚିଦାନନ୍ଦ ଓ ପ୍ରକାଶ ଦୁଇଟି ନାଁ ପଦାକୁ ଆସିବା ପୁଲିସର ଚିନ୍ତା ବଢ଼ି ଯାଇଛି। ଏମାନେ କିଏ? ଏମାନଙ୍କର କ’ଣ ଭୂମିକା? ରୢାକେଟ୍‌ରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି? ଏସବୁ ଦିଗରେ ପୁଲିସ କ’ଣ ପଦକ୍ଷେପ ନେଉଛି, ଏବେ ତା’କୁ ଅପେକ୍ଷା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।