ରାଜନୀତି ରାଜ୍ୟ

ଚାଉଳ ରାଜନୀତି: ୮୪୦୦ କୋଟି ବନାମ ୧୮୫ କୋଟି

ଭୁବନେଶ୍ବର : ହିତାଧିକାରୀମାନଙ୍କୁ ଦିଆଯାଉଥିବା ମାଗଣା ଚାଉଳକୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ର ସରକାର ୮୧ କୋଟିରୁ ଅଧିକ ଲୋକଙ୍କୁ ବର୍ଷକ ପର୍ଯ୍ୟନ୍ତ ମାଗଣାରେ ଶସ୍ୟ ଦେବା ଲାଗି ନୂଆ ସ୍କିମ୍ ଘୋଷଣା କରିବା ପରେ ଓଡ଼ିଶା ସରକାର ମଧ୍ୟ ବର୍ଷକ ପାଇଁ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ଲାଗି ଯୋଜନା ଆଣିଛନ୍ତି। ଏହି ପ୍ରସଙ୍ଗରେ ଆଜି ମତ ରଖି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆମେ ଦେଉଥିବା ଚାଉଳକୁ ପୂର୍ବରୁ ନିଜ ନାଁରେ ରାଜ୍ୟ ସରକାର ଲୋକଙ୍କୁ ଦେଉଥିଲେ। କେନ୍ଦ୍ର ସରକାର ଯେଉଁ ସ୍କିମ୍ ଘୋଷଣା କରିଛନ୍ତି ‌ସେଥିରେ ସାଢ଼େ ଚାରି କୋଟି ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାର ୩ କୋଟି ୨୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ପ୍ରତି ମାସରେ ରାଜ୍ୟର ଲୋକଙ୍କୁ ଚାଉଳ ଦେବାରେ କେନ୍ଦ୍ର ସରକାର ୭୦୦ କୋଟି ଟଙ୍କା ବ୍ୟୟ କର‌ିବେ। ଅର୍ଥାତ ବର୍ଷକୁ ୮୪୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ଯେଉଁ ଯୋଜନା ଘୋଷଣା କରିଛନ୍ତି ତାହାର ଲାଭ ରାଜ୍ୟର ମାତ୍ର ୯ ଲକ୍ଷ ଲୋକଙ୍କୁ ମିଳିବ। ହିତାଧିକାରୀଙ୍କ ସଂଖ୍ୟା ତା’ଠାରୁ ମଧ୍ୟ କମ୍ ହୋଇପାରେ। ସେଥିରେ ସେମାନେ ବର୍ଷକୁ ୧୮୫ କୋଟି ଟଙ୍କା ବ୍ୟୟ କରିବେ। ଏବେ ଓଡ଼ିଶାବାସୀ ବିଚାର କରିବେ ୮୪୦୦ କୋଟି ଟଙ୍କା ବଡ଼ ନା ୧୮୫ କୋଟି ଟଙ୍କା ବୋଲି ଧର୍ମେନ୍ଦ୍ର କହିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆମେ ଦେଉଥିବା ଚାଉଳକୁ ରାଜ୍ୟ ସରକାର ଠିକ୍ ଭାବେ ବାଣ୍ଟିବା ଏକ ବଡ଼ ଦାୟିତ୍ବ। ତାହା ସେମାନେ ତୁଲାନ୍ତୁ।

ଉଲ୍ଲେଖଯୋଗ୍ୟ, ଚାଉଳ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ଓ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ମଧ୍ୟ ନିଜ ନିଜର ମତ ରଖିଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବୁଧବାର ଗଣମାଧ୍ୟମକୁ ସେ କହିଥିଲେ ଯେ କେନ୍ଦ୍ର ସରକାର ଘୋଷଣା କରିବା ପରେ ରାଜ୍ୟରେ ଥିବା ବିଜେଡି ସରକାର ମାଗଣା ଚାଉଳ ଘୋଷଣା କରିଛନ୍ତି। କେବଳ ଶ୍ରେୟ ନେବା ପାଇଁ ରାଜନୀତି କରୁଛି ବିଜେଡି ସରକାର। କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେବେ। ହେଲେ ଓଡ଼ିଶାରେ ଯେଉଁ କାର୍ଡ ବ୍ୟବସ୍ଥା ରହିଛି ସେଥିରେ ବ୍ୟାପକ ଅନିୟମିତତା ହୋଇଛି। କେନ୍ଦ୍ର ସରକାର ଗରିବଙ୍କୁ ଚାଉଳ ଦେବା ପାଇଁ ଚାହୁଁଛନ୍ତି, ଏଥିରେ ଯେଭଳି କୌଣସି ପ୍ରକାର ପାତରଅନ୍ତର ନ ହେବ। ଓଡ଼ିଶା ସରକାର ଯେଉଁ ମାଗଣା ଚାଉଳ ଦେବାକୁ ଚାହୁଁଛନ୍ତି, କେନ୍ଦ୍ର ସରକାର ଦେଲା ପରେ ଏହାର ଆବଶ୍ୟକତା ରହିଛି କି? ଓଡିଶାର ଜନସଂଖ୍ୟା କେତେ ? କେତେ ଜଣ ବିପିଏଲ ବର୍ଗରୁ ଉର୍ଦ୍ଧ୍ବରେ ଅଛନ୍ତି? କେତେ ଲୋକଙ୍କୁ ଚାଉଳର ଆବଶ୍ୟକତା ରହିଛି? ଏସବୁ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଅଛି କି ? ଯେଉଁ ୯ ଲକ୍ଷ ଲୋକଙ୍କୁ ଚାଉଳ ଦେବେ ବୋଲି ରାଜ୍ୟ ସରକାର କହୁଛନ୍ତି, ସେମାନଙ୍କର ତାଲିକା ରାଜ୍ୟ ସରକାର ଦେଇପାରିବେ କି? ପୂର୍ବରୁ ରାଜ୍ୟ ସରକାର ଯେଉଁ ଟଙ୍କିକିଆ ଚାଉଳ ଦେଉଥିଲେ, ସେଥିରେ କେନ୍ଦ୍ରର ଭାଗ ୨୭ ଟଙ୍କା ଥିଲା।

ଏହାର ଜବାବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ କହିଥିଲେ, କୋଭିଡ୍ ସମୟରେ ମଧ୍ୟ ମାଗଣା ଚାଉଳ ଦିଆଯାଇଥିଲା। ବର୍ତ୍ତମାନ ସମୟର ଆବଶ୍ୟକତା ଦେଖି ମୁଖ୍ୟମନ୍ତ୍ରୀ ପୁଣି ଥରେ ଘୋଷଣା କରିଛନ୍ତି। ବର୍ଷ ତମାମ ସେଥିପାଇଁ ୧୮୫ କୋଟି ଟଙ୍କା ମଧ୍ୟ ବ୍ୟୟ ହେବ। ନବୀନ ସରକାର କେବେ ନିର୍ବାଚନକୁ ଦେଖି କିଛି କରନ୍ତି ନାହିଁ। ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରାଯାଇଛି। ରାଜ୍ୟରେ ପ୍ରତେକ ଦିନ ବିକାଶ କାର୍ଯ୍ୟ ହେଉଛି। ପଦ୍ମପୁର ଉପନିର୍ବାଚନକୁ ନେଇ ଆଲୋଚନା ହେଉଥିଲା। ସେଠି ନିର୍ବାଚନ ସରିଲା ପରେ ମଧ୍ୟ କାମ ଚାଲିଛି। ନବୀନ ସରକାରରେ ବିକାଶର ଧାରା ଏକ ନିୟମିତ ପ୍ରକ୍ରିୟା। ଏହା ହେଉଛି ସେବାର କଥା। ମାଇଲେଜ ପାଇଁ ରାଜ୍ୟ ସରକାର କେବେ କାମ କରନ୍ତି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର