ଖେଳ ଦେଶ ବିଦେଶ

ଚହଲଙ୍କୁ ଖେଳାଇବା ଯୋଜନା ନଥିଲା: କୋହଲି

ଭାରତର ମସ୍ତିସ୍କାଘାତ ବଦଳ ଖେଳାଳି ଯୋଜନା ଠିକଣା ଭାବେ କାର୍ଯ୍ୟକାରୀ ହୋଇଥିବାରୁ ଖୁସି ହୋଇଛନ୍ତି ଅଧିନାୟକ ବିରାଟ କୋହଲି। ରବୀନ୍ଦ୍ର ଜାଦେଜାଙ୍କ ବଦଳ ଖେଳାଳି ଭାବେ ଆସି ୟୁଜବେନ୍ଦ୍ର ଚହଲ ୩ ୱିକେଟ୍‌ ନେବା ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପ୍ରଥମ ଭାରତୀୟ ଭାବେ ଚହଲ ଏଭଳି ସୁଯୋଗ ପାଇ ଏହାର ସଦ୍‌ଉପଯୋଗ କରିଥିଲେ। ଦୁଇ ଅଦଳ ବଦଳ ଖେଳାଳି ଜାଦେଜା (୪୪*) ଏବଂ ଚହଲ (୩/୨୫) ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରିଥିଲେ। ପୁରସ୍କାର ବିତରଣ ଉତ୍ସବ ଅବସରରେ ଅଧିନାୟକ ବିରାଟ କୋହଲି କହିଛନ୍ତି ‘ୟୁଜି (ଚହଲ)ଙ୍କୁ ଏହି ମ୍ୟାଚ୍‌ରେ ଖେଳାଇବାର‌ କୌଣସି ଯୋଜନା ନଥିଲା, ଜାଦୁ (ଜାଦେଜା) ମୁଣ୍ଡରେ ଆଘାତ ପାଇବାରୁ ଏଭଳି କରାଗଲା। ଏବେ ବି ତାଙ୍କ ମୁଣ୍ଡ ବୁଲାଉଛି। ମସ୍ତିସ୍କାଘାତ ବଦଳ ଆମ ପାଇଁ ଠିକଣା କାର୍ଯ୍ୟକାରୀ ହୋଇଥିଲା। ଆଉ ଥରେ ହୁଏତ ଏଭଳି ପସନ୍ଦର ଖେଳାଳି ମିଳିନପାରନ୍ତି। ବାସ୍ତବରେ ୟୁଜି ବଢ଼ିଆ ବୋଲିଂ କରି ଜିତାଇଲେ। ଜାଦେଜା, ଚହଲ, ନଟରାଜନ, ଦୀପକ ଚହରଙ୍କ ପ୍ରଦର୍ଶନ ଆମକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲା। ହାର୍ଦିକଙ୍କ କ୍ୟାଚ୍‌ ମ୍ୟାଚ୍‌ର ନିର୍ଣ୍ଣାୟକ ହୋଇଥିଲା’।

୧୦ ମିନିଟ୍ ଆଗରୁ ଜାଣିଥିଲି: ଚହଲ
ପ୍ରଥମରୁ ଚୂଡାନ୍ତ ଏକାଦଶରେ ନ ଥିବା ୟୁଜବେନ୍ଦ୍ର ଚହଲ ଅଷ୍ଟ୍ରେଲିଆ ପାଳି ଆରମ୍ଭର ମାତ୍ର ୧୦-୧୫ ମିନିଟ୍ ପୂର୍ବରୁ ଖେଳିବେ ବୋଲି ସୂଚନା ପାଇଥିଲେ। ଅପ୍ରତ୍ୟାଶିତ ଡକରାକୁ ସେ ପ୍ରମାଣିତ କରିଥିଲେ ସଫଳ ବୋଲିଂ ଚିତ୍ର ୪-୦-୨୫-୩ ସହିତ। ଏଭଳି ସ‌ୁଯୋଗ ପାଇଁ ମୁଁ ମାନସିକ ଭାବେ ପ୍ରସ୍ତୁତ ଥିଲି। ଡଗ୍‌ ଆଉଟ୍‌ରୁ ଆଦାମ ଜାମ୍ପାଙ୍କ ପ୍ରଭାବୀ ବୋଲିଂକୁ‌ ଦେଖିବା ପରେ ଭାରତ ପାଇଁ ସେଭଳି ପ୍ରଦର୍ଶନ ଦୋହରାଇକୁ ଚାହିଁଥିଲି। ମୁଁ ବହୁ ମ୍ୟାଚ୍‌ ଖେଳି ସାରିଥିବାରୁ ମାନସିକ ଭାବେ ଫିଟ୍‌ ଥାଏ। ପାଳି ଆରମ୍ଭର ୧୦-୧୫ ମିନିଟ୍‌ ପୂର୍ବରୁ ସୂଚନା ପାଇଥିଲି। ଜାମ୍ପାଙ୍କୁ ଅନୁସରଣ କରିବା ପରେ ନିଜ ଯୋଜନା ମୁତାବକ ବୋଲିଂ କରିଥିଲି ବୋଲି ଚହଲ ପ୍ରକାଶ କରିଛନ୍ତି।

ଡାକ୍ତରୀ ରିପୋର୍ଟକୁ ଚାଲେଞ୍ଜ କରିହେବନି: ଫିଞ୍ଚ୍‌
ରବୀନ୍ଦ୍ର ଜାଦେଜାଙ୍କ ମସ୍ତିସ୍କାଘାତ ନେଇ ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ଯୁକ୍ତିତର୍କ କରିଥିଲେ। ଘରୋଇ ଦଳର ଅଧିନାୟକ ଆରୋନ୍‌ ଫିଞ୍ଚ୍‌ କିନ୍ତୁ ଆଇସିସି ମ୍ୟାଚ୍‌ ରେଫରିଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ମସ୍ତିସ୍କାଘାତ କାରଣରୁ ଜାଦେଜାଙ୍କୁ ଡାକ୍ତର ଖେଳିବାକୁ ଅନୁମତି ଦେଇନଥିଲେ। ତେଣୁ ଡାକ୍ତରୀ ରିପୋର୍ଟକୁ ଚାଲେଞ୍ଜ୍ କରିହେବ ନାହିଁ ବୋଲି କହିଥିଲେ ଫିଞ୍ଚ୍‌। ବାସ୍ତବରେ ଶେଷାନ୍ତ ଓଭରଗୁଡିକରେ ଆମ ବୋଲର ଅଧିକ ରନ୍‌ ବ୍ୟୟ କରିବା ପରାଜୟର କାରଣ ବୋଲି ଫିଞ୍ଚ୍‌ ପ୍ରକାଶ କରିଥିଲେ। ଜାଦେଜାଙ୍କ ବଦଳରେ ଚହଲଙ୍କୁ ଖେଳାଯିବା ସମ୍ପର୍କରେ ଅନ୍ୟ କିଛି କ୍ରିକେଟର୍ କିନ୍ତୁ ଅସନ୍ତୋଷ ଜାହ‌ିର କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ