ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଗୋପାଳପୁର : ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅଣଦେଖା ବିସ୍ତୀର୍ଣ୍ଣ ବେଳାଭୂମିରେ ଜଣେ ମାତ୍ର ଲାଇଫଗାର୍ଡ଼, ୫ବର୍ଷରେ ସମୁଦ୍ରରେ ବୁଡ଼ି ଗଲାଣି ୧୪ଜଣଙ୍କ ଜୀବନ

ଗୋପାଳପୁର : ଗୋପାଳପୁର ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପାନ୍ଥନିବାସ ଠାରୁ ହରିପୁର ମୁହାଣ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ବିସ୍ତୀର୍ଣ୍ଣ ବେଳାଭୂମି ଆକର୍ଷିତ କରୁଛି ପର୍ଯ୍ୟଟକଙ୍କୁ। ସମୁଦ୍ର ସ୍ନାନ ସହ ବେଳାଭୂମିର ସୁନ୍ଦର ପ୍ରାକୃତିକ ପରିବେଶରେ ସମୟ ଅତିବାହିତ କରିବା ପାଇଁ ପ୍ରତିଦିନ ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। କେବଳ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନୁହେଁ ବରଂ ଦେଶବିଦେଶରୁ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ହେଉଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଫାଣ୍ଡି ସ୍ଥାପନ ହୋଇଛି। ଅସାବଧାନତା ବଶତଃ ସମୁଦ୍ର ସ୍ନାନ ବେଳେ ଯଦି କେହି ବୁଡ଼ିଯାଆନ୍ତି, ସେମାନଙ୍କୁ ରକ୍ଷା କରିବା ପାଇଁ ଲାଇଫ୍ ଗାର୍ଡ଼ ମଧ୍ୟ ନିଯୁକ୍ତ ହୋଇଛନ୍ତି। ସରକାରୀ ଭାବେ ଲାଇଫ୍‌ଗାର୍ଡ ନିଯୁକ୍ତି ହୋଇଛି ସତ କିନ୍ତୁ ବାସ୍ତବ ଚିତ୍ର ଦେଖିଲେ ଏହି ବ୍ୟବସ୍ଥାକୁ ପରିହାସ କଲା ଭଳି ହୋଇଛି । ଆବଶ୍ୟକତା ଅନୁଯାୟୀ ଲାଇଫ୍‌ଗାର୍ଡ ନଥିବା ବ‌େଳେ ମାତ୍ର ୨ଜଣ ଲାଇଫ୍‌ଗାର୍ଡ଼ ପାଳି କରି ୮ଘଣ୍ଟା ଲେଖାଏଁ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଅର୍ଥାତ୍ ଜଣେ ଲାଇଫ୍‌ଗାର୍ଡ଼ଙ୍କୁ ସମ୍ପୂର୍ଣ୍ଣ ବେଳାଭୂମି ଉପରେ ନଜର ରଖିବାକୁ ପଡ଼ୁଛି। ଯଦି କୌଣସି ଅଘଟଣ ଘଟେ ତେବେ ତାଙ୍କ ଜୀବନ ବଞ୍ଚାଇବା ଦୂରର କଥା ଘଟଣାସ୍ଥଳରେ ଠିକଣା ସମୟରେ ପହଞ୍ଚିବା ବି ମୁସ୍କିଲ । ଏହି ଲାଇଫଗାର୍ଡଙ୍କୁ ସହାୟତା ଦେବା ପାଇଁ ବି ଅନ୍ୟ କୌଣସି ତାଲିମପ୍ରାପ୍ତ କର୍ମଚାରୀ ନାହାନ୍ତି । ଏଥିପାଇଁ ସେମାନଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗ ନେବାକୁ ପଡୁଛି ।

‘କୋଭିଡ଼୍‌ ସ୍ଥିତି’ ପୂର୍ବରୁ ଗୋପାଳପୁର ବେଳାଭୂମି ସ୍ଥିତ ଫାଣ୍ଡିରେ ୪ଜଣ ଲାଇଫ୍‌ଗାର୍ଡ଼ ନିୟୋଜିତ ହୋଇଥିଲେ। କରୋନା ଯୋଗୁଁ ଗତ ମାର୍ଚ୍ଚ ମାସ ଅଧାରୁ ୬ମାସ ପର୍ଯ୍ୟନ୍ତ ବେଳାଭୂମି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିଲା। ପର୍ଯ୍ୟଟକ ନଆସିବାରୁ ବେଳାଭୂମି ଶୂନ୍‌ଶାନ୍ ପାଲଟି ଯାଇଥିଲା। ଫଳରେ ଫାଣ୍ଡିରେ ମାତ୍ର ୨ଜଣ ଲାଇଫ୍‌ଗାର୍ଡ଼ଙ୍କୁ ନିୟୋଜିତ କରାଯାଇ ଅନ୍ୟ ଦୁଇ ଜଣଙ୍କୁ ହଟାଇ ନିଆଯାଇଥିଲା। ସେମାନଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। କୋଭିଡ୍‌ ସ୍ଥିତିରେ ସୁଧାର ଆସିବା ପରେ ଗତ ନଭେମ୍ବର ମାସରେ କଟକଣା କୋହଳ ହୋଇଥଲା। ପୁଣିଥରେ ପର୍ଯ୍ୟଟକଙ୍କ ଆଗମନ ବଢ଼ି ବେଳାଭୂମି ପୂର୍ବଭଳି ଚଳଚଂଚଳ ହୋଇ ଉଠିଛି। ଏଭଳି ସ୍ଥିତିରେ ସ୍ଥାନୀୟ ପୁଲିସ ପ୍ରଶାସନ ଲାଇଫ୍‌ଗାର୍ଡ଼ଙ୍କ ସଂଖ୍ୟା ବୃଦ୍ଧିକୁ ଗୁରୁତ୍ବ ଦେଇନାହାନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ି ୧୪ଜଣଙ୍କ ଜୀବନ ଯାଇଥିବା ବେଳେ ୭୩ଜଣଙ୍କୁ ଲାଇଫ୍‌ଗାର୍ଡ଼ଙ୍କ ଦ୍ବାରା ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ମାସରେ ଜଣେ ବୃଦ୍ଧା ସମୁଦ୍ରରେ ବୁଡି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଜଣେ ମାତ୍ର ଲାଇଫ୍‌ଗାର୍ଡ଼ ନିୟୋଜିତ ଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତା ନେଇ ସେ ବୃଦ୍ଧାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ସେହିପରି ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍ ଗତ ଜୁଲାଇ ମାସରେ ଜଣେ ବ୍ୟକ୍ତି ‌ ସମୁଦ୍ରରେ ବୁଡ଼ିଯାଉଥିବା ବେଳେ ସମାନ ଢଙ୍ଗରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ଗୋପାଳପୁର ବେଳାଭୂମି ନିକଟରେ ସମୁଦ୍ର ପୃଷ୍ଠଭାଗ ଅପେକ୍ଷାକୃତ ତୀଖ ହୋଇଥିବାରୁ ବୁଡ଼ି ଯିବାର ଆଶଙ୍କା ଅଧିକ ରହୁଛି। ଅଧିକାଂଶ ପର୍ଯ୍ୟଟକ ଏହାକୁ ଖାତିର୍ ନକରି ସମୁଦ୍ର ସ୍ନାନର ମଜା ଉଠାଇବା ପାଇଁ ଆଗଭର ହେବା ସହ ସାମାନ୍ୟ ଅସାବଧାନତା ଏଠାରେ ବିପଦକୁ ଆମନ୍ତ୍ରଣ କରେ। ଢେଉର ପ୍ରଖରତା କାହାକୁ ସମୁଦ୍ର ଗର୍ଭକୁ ଟାଣିନିଏ ତ ପୁଣି କିଏ ନିଜ ଅଜାଣତରେ ଗଭୀରତାକୁ ଚାଲିଯାଏ। ଏପରିସ୍ଥିତିରେ ଲାଇଫ୍‌ଗାର୍ଡ଼ଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ପୁଲିସ ପ୍ରଶାସନ ଏହାର ଗୁରୁତ୍ବକୁ ହୃଦୟଙ୍ଗମ କରି ତୁରନ୍ତ ଅଧିକ ସଂଖ୍ୟକ ଲାଇଫ୍‌ଗାର୍ଡ଼ ନିଯୁକ୍ତ କରିବାର ଆବଶ୍ୟକତା ରହିଛି। ଏଥିନେଇ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ପ୍ରତିକ୍ରିୟା ନେବାରୁ ସେ ଏହାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି। ବେଳାଭୂମିରେ ଅଧିକ ସଂଖ୍ୟକ ତାଲିମ୍‌ପ୍ରାପ୍ତ ଲାଇଫ୍‌ଗାର୍ଡ଼ ନିଯୁକ୍ତ କରିବା ପାଇଁ ସେ ଉଭୟ ଗଂଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି