ଓଭାଲ ୦୧।୦୯: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ। ପ୍ରଥମ ଦୁଇଟି ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତ ତୃତୀୟ ଟେଷ୍ଟରେ ଶୋଚନୀୟ ପରାଜୟ ଭୋଗିଛି। ଘରୋଇ ଦଳ ହାତରୁ ବିରାଟ ବାହିନୀକୁ ଇନିଂସ ପରାଜୟ ଭୋଗିବାକୁ ପଡିଥିଲା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ରେ ବରାବର ରହିଛି। ଏବେ ନୂଆ ମ୍ୟାଚ୍, ନୂତନ ଜାଗା ଓ ନୂତନ ପରିସ୍ଥିତି ରହିବ ଏବଂ ଦଳ ପାଖରେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ରହିଛି। ପୂର୍ବ ମ୍ୟାଚ୍ର ଭୁଲ୍ ନଦୋହରାଇବାକୁ ଚେଷ୍ଟା କରିବ ଭାରତୀୟ ଦଳ। ଓଭାଲ ଟେଷ୍ଟରେ ଦୁଇଟି ବଡ ପରିବର୍ତ୍ତନ ହେବାର ଆଶା ରହିଛି। ଆସନ୍ତୁ ଜାଣିବା କଣ ହୋଇପାରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ।
ଓପନିଂ ବ୍ୟାଟସମ୍ୟାନ
ରୋହିତ ଶର୍ମା ଓ କେଏଲ ରାହୁଲ ପୁଣି ଥରେ ଭାରତକ ମଜବୁତ ଆରମ୍ଭ ଦେବାକୁ ଚେଷ୍ଟା କରିବେ। ଏହି ଦୁଇ ଖେଳାଳି ସିରିଜ୍ରେ ଏ ପର୍ଯ୍ୟନ୍ତ ଭଲ ଆରମ୍ଭ ଦେଇଛନ୍ତି। ପୁଣି ଥରେ ଓଭାଲ ଟେଷ୍ଟରେ ଦଳ ଦୁଇ ଓପନରଙ୍କଠୁ ବଡ ଆଶା ରଖିଛି।
ମଧ୍ୟକ୍ରମ
ଅଧିନାୟକ ବିରାଟ କୋହଲି ସଂପ୍ରତି ଲୟରେ ନାହିଁ। ଗତ ଦୁଇ ବର୍ଷ ହେବ ସେ ଅନ୍ତର୍ଜାତୀୟ ଶତକ ପାଇଁ ବ୍ୟାକୁଳ। ହେଲେ ଏହି ସମୟରେ ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। କିନ୍ତୁ ଦଳ ତାଙ୍କଠୁ ବଡ ଇନିଂସ ଆଶା ରଖିଛି। ଅନ୍ୟପଟେ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଉପରେ ଦଳ ଆଉ ଥରେ ଭରସା ପ୍ରକାଶ କରିପାରେ। ଚେତେଶ୍ଵର ପୂଜାରା ଗତ ମ୍ୟାଚ୍ରେ ୯୧ ରନର ଇନିଂସ ଖେଳି କିଛି ଆଶା ଜାଗ୍ରତ କରିଛନ୍ତି ଏବଂ ତାଙ୍କ ସ୍ଥାନ ପ୍ରାୟତଃ ନିଶ୍ଚିତ ଲାଗୁଛି।
ଓ୍ଵିକେଟ୍ କିପର
ଋଷଭ ପନ୍ତ ବ୍ୟାଟିଂରେ ଲଗାତାର ଫେଲ୍ ମାରିଛନ୍ତି। ମାତ୍ର ବିରାଟ ତାଙ୍କୁ ନେଇ ପ୍ରଥମରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ସେ ପନ୍ତଙ୍କୁ ଆଉ ଏକ ସୁଯୋଗ ଦେବା ନେଇ ତତ୍ପର। ତେଣୁ ଦଳ ପନ୍ତଙ୍କଠୁ ଭଲ ଇନିଂସ ଆଶା ରଖିଛି।
ଅଲରାଉଣ୍ଡର
ଏହି ମୁକାବିଲାରେ ଦଳରେ ଅଲରାଉଣ୍ଡର୍ସ ଭାବେ ଦୁଇଟି ପରିବର୍ତ୍ତନ ହୋଇପାରେ। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ଵିନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ସାମିଲ୍ କରାଯାଇପାରେ।
ଦ୍ରୁତ ବୋଲର
ଦ୍ରୁତ ବୋଲର ଭାର ପୁଣି ଥରେ ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କ କାନ୍ଧରେ ରହିବ।