ବ୍ୟୁରୋ: ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି ନିଜର ଶକ୍ତି ପ୍ରଦର୍ଶନ କରିଛି । ବିପୁଳ ଭୋଟରେ ଦିଲ୍ଲୀ ନଗର ନିଗମକୁ କବଜା କରିଛି ଦଳ । କିନ୍ତୁ ଗୁଜରାଟ ବିଧାନସଭା ନିର୍ବାଚନରେ ଠିକ ଓଲଟା ଦେଖିବାକୁ ମିଳିଛି । ଚର୍ଚ୍ଚା ହେଉଥିଲା କି ଆମ ଆଦମୀ ପାର୍ଟି ଯେଉଁ ଷ୍ଟ୍ରାଟେଜି ଆପଣାଇ ପଞ୍ଜାବରେ କମାଲ କରିଥିଲା ଠିକ୍ ସେଭଳି କିଛି ବୋଧହୁଏ ଗୁଜରାଟରେ ଦେଖିବାକୁ ମିଳିବ । କିନ୍ତୁ ଦଳ ଗୁଜରାଟ ମାଟିରେ ଫିକା ପଡିଛି । ଏଠାରେ ଅସ୍ତିତ୍ୱ ଜାହିର କରିବା ପାଇଁ ଦଳ ପ୍ରଚାରଠୁ ନେଇ ପ୍ରତିଶ୍ରୁତି, ଯାହା କିଛି କରିଥିଲା ସେସବୁ ଫେଲ ମାରିଛି । ଗୁଜରାଟରେ ଆପର ହୋଇଛି ବଡ ପରାଜୟ ।
ଗୁଜରାଟରେ ଖାତା ଖୋଲିଲା ଆମ ଆଦମୀ ପାର୍ଟି
ହେଲେ କାମ ଦେଲାନି କେଜ୍ରିୱାଲଙ୍କ ଫର୍ମୂଲା
ଗୁଜରାଟରେ ପରିବର୍ତନର ନାରା ଦେଇଥିଲେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । କିନ୍ତୁ ସବୁ ସୋ ଫ୍ଲପ୍ ହୋଇଛି । ୧୮୨ ଆସନ ବିଶିଷ୍ଟ ଗୁଜରାଟରେ ଆପ ୧୦ରୁ କମ ସିଟରେ ସୀମିତ ହୋଇ ରହିବା ନିଶ୍ଚିତ ଭାବେ ଦଳ ପାଇଁ ଏକ ବଡ ଝଟକା । ଦଳକୁ ବଡ ଝଟକା ଦେଇଛନ୍ତି ଗୁଜରାଟର ଆପ ମୁଖ୍ୟ ଗୋପାଳ ଇଟାଲିଆ ଓ ଆପର ଗୁଜରାଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇଶୁଦାନ ଗଢବୀ । ଖଂଭାଳିଆ ଆସନରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢବୀ ପ୍ରାର୍ଥୀ ହୋଇଥିଲେ । ଏହି ଆସନରେ ବିଜେପି ପ୍ରାର୍ଥୀ ମୁଲୁଭାଇ ବେରା ଜିତିଛନ୍ତି । କତରମାଗ ବିଧାନସଭା ଆସନରୁ ଆପର ପ୍ରଦେଶ ଅଧ୍ୟକ୍ଷ ଗୋପାଳ ଇଟାଲିଆ ପରାସ୍ତ ହୋଇଛନ୍ତି । ପଟିଦାର ଗଡଥିବା ବରାଚ୍ଛା ଆସନରୁ ପଟେଲ ନେତା ଆପର ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାଜୟର ମୁହଁ ଦେଖିଛନ୍ତି । ଏହି ଚର୍ଚ୍ଚିତ ଚେହେରାଙ୍କ ପରାଜୟ ଦଳକୁ ବଡ କ୍ଷତି ପହଁଚାଇଛି ।
ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦଳୀୟକର୍ମୀଙ୍କ ମନୋବଳ ବୃଦ୍ଧି କରିଛନ୍ତି ଆଉ କହିଛନ୍ତି ୧୦ବର୍ଷ ପୂର୍ବରୁ ଆଞ୍ଚଳିକ ଦଳ ଭାବେ ଆପ ଗଠନ ହୋଇଥିଲା । ଏବେ ଜାତୀୟ ଦଳର ମାନ୍ୟତା ପାଇବାକୁ ଯାଉଛି । ବିଜେପିର ଗଡକୁ ଭେଦ କରିଛି ଓ ଆଗାମୀ ନିର୍ବାଚନରେ ଦଳ ବିଜୟ ହାସଲ କରିବ ।